୨୦୨୦-୨୧ରେ ଏୟାର ଇଣ୍ଡିଆର ଘରୋଇକରଣ ଆଶା କ୍ଷୀଣ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ସରକାର ପୁଞ୍ଜି ପ୍ରତ୍ୟାହାର ବାବଦରେ ୨ ଲକ୍ଷ ୧୦ ହଜାର କୋଟି ଟଙ୍କା ସଂଗ୍ରହ କରିବେ ବୋଲି ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିରେ ଏୟାର ଇଣ୍ଡିଆ ଭଳି ସରକାରୀ କମ୍ପାନିକୁ ବିକ୍ରି କରି ସରକାର ଲକ୍ଷ୍ୟ ହାସଲ ପାଇଁ ଆଶାବାଦୀ ରହିଥିଲେ। କିନ୍ତୁ ଇତିମଧ୍ୟରେ ଆର୍ଥିକ ବର୍ଷ ଶେଷହେବାକୁ ଆଉ ୩ ମାସ ୧୦ ଦିନ ରହିଛି। ତେଣୁ ଏତେ କମ୍‌ ସମୟ ମଧ୍ୟରେ ଏୟାର ଇଣ୍ଡିଆର ବିକ୍ରି ପ୍ରକ୍ରିୟା ଶେଷ ହେବାର ଆଶା କ୍ଷୀଣ ଭଳି ମନେହେଉଛି। ବିକ୍ରି ପ୍ରକ୍ରିୟା ଯଦି ସଫଳ ହୁଏ ତାହେଲେ ଏହା ଆସନ୍ତା ଆର୍ଥିକ ବର୍ଷ ହିଁ ହେବ ବୋଲି ଅନୁମାନ କରାଯାଉଛି। ଏୟାର ଇଣ୍ଡିଆ ପାଇଁ ସରକାର ଆହ୍ବାନ କରିଥିବା ଆଗ୍ରହ ପ୍ରଦର୍ଶନ ( ଇଓଆଇ) ପାଇଁ ଶେଷ ତାରିଖ ଡିସେମ୍ବର ୧୪ ରହିଥିଲା। ଏହି ସମୟ ସୁଦ୍ଧା ଟାଟା ଗ୍ରୁପ୍ ସମେତ ଆମେରିକୀୟ କମ୍ପାନି ଇଣ୍ଟରଅପ୍ସ ଏବଂ ଏୟାର ଇଣ୍ଡିଆର ୨୦୦ରୁ ଅଧିକ କର୍ମଚାରୀ କମ୍ପାନିକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଆଗ୍ରହ ପ୍ରକାଶ କରିଥିବା ସଂସ୍ଥା ଗୁଡ଼ିକ ମଧ୍ୟରୁ କେଉଁମାନେ ଯୋଗ୍ୟ ତାହା ଟ୍ରାଞ୍ଜକସନ ଆଡଭାଇଜର ଆସନ୍ତା ଜାନୁଆରି ୬ ତାରିଖ ସୁଦ୍ଧା ଜଣାଇବ। ଏହାପରୋ ସେହି କମ୍ପାନି ଗୁଡ଼ିକୁ ଏୟାର ଇଣ୍ଡିଆ ଭର୍ଚୁଆଲ ଡାଟା ରୁମ୍‌ (ଭିଡିଆର୍‌) ଦେଖିବା ଲାଗି ଅନୁମତି ମିଳିବ। ଏହି ଅନୁମତି ପାଇବା ପରେ ଏୟାର ଇଣ୍ଡିଆ ଆର୍ଥିକ ସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ପାଇପାରିବେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଏହାପରେ ସେୟାର କ୍ରୟ ରାଜିନାମା ଏବଂ ଆର୍ଥିକ ନିଲାମ ଆବେଦନ ପାଇଁ କମ୍ପାନି ଗୁଡ଼ିକୁ ସୁଯୋଗ ମିଳିବ। ତେଣୁ ଏସବୁ କାର୍ଯ୍ୟ ଏତେ କମ୍ ସମୟ ମଧ୍ୟରେ ଶେଷ ହେବାର ସମ୍ଭାବନା ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର