ଜମାକାରୀଙ୍କୁ ଶୋଷୁଛନ୍ତି ବ୍ୟାଙ୍କ
ମୁମ୍ବାଇ: ଜମାକାରୀଙ୍କ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ନରହିଲେ ସେମାନେ ବ୍ୟାଙ୍କ ଗୁଡ଼ିକ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଆଇଆଇଟି-ବମ୍ବେର ପରିସଂଖ୍ୟାନ ବିଭାଗ ପ୍ରଫେସର ଆଶିଷ ଦାସଙ୍କ ଅନୁଧ୍ୟାନରୁ ଏହି ତଥ୍ୟ ପଦାକୁ ଆସିଛି। ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ ଏ ବାବଦରେ ମାତ୍ରାଧିକ ଜରିମାନା ଜମାକାରୀଙ୍କଠାରୁ ଆଦାୟ କରୁଛନ୍ତି। ୟେସ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି) ଭଳି କେତେକ ବ୍ୟାଙ୍କ ସର୍ବନିମ୍ନ ଜମା ନିୟମ ଉଲ୍ଲଂଘନ କ୍ଷେତ୍ରରେ ବାର୍ଷିକ ୧୦୦ ପ୍ରତିଶତରୁ ଅଧିକ ଜରିମାନା ଆଦାୟ କରୁଛନ୍ତି।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ରହିଥିବା ନିୟମାବଳୀର ଉଲ୍ଲଂଘନ ବ୍ୟାଙ୍କ ଗୁଡ଼ିକ କରୁଛନ୍ତି। ରିଜର୍ଭ ବ୍ୟାଙ୍କର ନିୟମ ଅନୁଯାୟୀ ଯେଉଁ ଗ୍ରାହକ ସର୍ବନିମ୍ନ ଜମା ରଖିବାରେ ବିଫଳ ହେବେ ବ୍ୟାଙ୍କ ଗୁଡ଼ିକ ସେମାନଙ୍କଠାରୁ ଏକ ଯୁକ୍ତିଯୁକ୍ତ ପରିମାଣର ଜରିମାନା ଆଦାୟ ବ୍ୟବସ୍ଥା ରହିଛି। ଜରିମାନା ରାଶି ବ୍ୟାଙ୍କର ସେବା ପ୍ରଦାନର ହାରାହାରି ମୂଲ୍ୟଠାରୁ ଅଧିକ ହେବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ନିର୍ଦେଶ ରହିଛି।
କିନ୍ତୁ ଆଇଆଇଟି ମୁମ୍ବାଇର ପ୍ରଫେସରଙ୍କ ଅନୁଧ୍ୟାନରୁ ଜଣାଯାଇଛି ଯେ, ଅଧିକାଂଶ ବ୍ୟାଙ୍କ ଆବଶ୍ୟକ ସର୍ବନିମ୍ନ ଜମାରାଶିଠାରୁ ଗ୍ରାହକ ଖାତାରେ ଯେତିକି କମ୍ ଅର୍ଥ ରହିଛି ସେହି ନିଅଣ୍ଟିଆ ଜମାରାଶିର ବାର୍ଷିକ ହାରାହାରି ୭୮ ପ୍ରତିଶତ ଜରିମାନା ଲାଗୁ କରୁଛନ୍ତି। ବ୍ୟାଙ୍କ ଗୁଡ଼ିକ ଜାରି କରୁଥିବା ଜରିମାନାକୁ ଦେଖିଲେ ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳୀର କୌଣସି ମାନେ ରହୁନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସର୍ବନିମ୍ନ ଜମା କମିଲେ ଆଦାୟ କରୁଛନ୍ତି ଅତ୍ୟଧିକ ଜରିମାନା
ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳୀ କେବଳ ନାଁକୁ ମାତ୍ର
ଆଇଆଇଟି-ବମ୍ବେ ପ୍ରଫେସରଙ୍କ ରିପୋର୍ଟରେ ଖୁଲାସା
ପ୍ରଫେସର ଦାସ ରଖିଥିବା ତଥ୍ୟ ଅନୁଯାୟୀ, ଆବଶ୍ୟକ ସର୍ବନିମ୍ନ ଜମାରାଶିଠାରୁ ଗ୍ରାହକଙ୍କ ଖାତାରେ ଯେତିକି କମ୍ ଜମା ରହୁଛି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ତାହା ଉପରେ ୧୫୯.୪୮ ପ୍ରତିଶତର ବାର୍ଷିକ ଚାର୍ଜ ଆଦାୟ କରୁଛି। ସେହିଭଳି ୟେସ୍ ବ୍ୟାଙ୍କ ୧୧୨.୮ ପ୍ରତିଶତ ଚାର୍ଜ ଆଦାୟ କରୁଥିବାବେଳେ ଏହା ପଛକୁ ଏଚ୍ଡିଏଫ୍ସି ବ୍ୟାଙ୍କ ୮୩.୭୬ ପ୍ରତିଶତ ଏବଂ ଆକ୍ସିସ ବ୍ୟାଙ୍କ ୮୨.୨ ପ୍ରତିଶତ ଚାର୍ଜ ଆଦାୟ କରୁଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୪.୯୬ ପ୍ରତିଶତ ଚାର୍ଜ ଆଦାୟ କରୁଛି ବୋଲି ପ୍ରଫେସର ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବିଭିନ୍ନ ବ୍ୟାଙ୍କ ଭିନ୍ନ ଭିନ୍ନ ସର୍ବନିମ୍ନ ଜମାରାଶିର ନିୟମ କରିଛନ୍ତି। ଏହି ଜମାରାଶି ୧ ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏହାର ଗ୍ରାହକଙ୍କ ପାଇଁ ସର୍ବନିମ୍ନ ଜମାରାଶି ନିୟମ ୧ ହଜାର ଟଙ୍କା ରଖିଥିବାବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କର ସର୍ବନିମ୍ନ ଜମାରାଶି ନିୟମ ୩ ହଜାର ଟଙ୍କା ରହିଛି। ସେହିଭଳି ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଏହାର ଗ୍ରାହକଙ୍କ ପାଇଁ ୨୫୦୦ ଟଙ୍କା, ୟେସ୍ ବ୍ୟାଙ୍କ୍ ୫ ହଜାର ଟଙ୍କା, ଆକ୍ସିସ ବ୍ୟାଙ୍କ, କୋଟାକ ବ୍ୟାଙ୍କ ଓ ଏଚ୍ଡିଏଫ୍ସି ବ୍ୟାଙ୍କ, ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ ସେମାନଙ୍କର ଗ୍ରାହକଙ୍କ ପାଇଁ ସର୍ବନିମ୍ନ ୧୦ ହଜାର ଟଙ୍କା ଲେଖାଏଁ ଜମା ରଖିବାର ନିୟମ ରଖିଛନ୍ତି। ତେବେ ସିଟି ବ୍ୟାଙ୍କର ଗ୍ରାହକଙ୍କ ପାଇଁ ସର୍ବନିମ୍ନ ୧ ଲକ୍ଷ ଟଙ୍କା ଜମାରାଶି ରଖିବାର ନିୟମ ରହିଛି ବୋଲି ପ୍ରଫେସର ଦାସ ତାଙ୍କ ଅନୁଧ୍ୟାନରେ ଦର୍ଶାଇଛନ୍ତି।