ଆହ୍ଲାବାଦ ବ୍ୟାଙ୍କକୁ ଭୂଷଣ ଠକିଛି ୧୭୭୫ କୋଟି

ମୁମ୍ବାଇ: ଆହ୍ଲାବାଦ ବ୍ୟାଙ୍କକୁ ମଧ୍ୟ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍ କମ୍ପାନି ୧୭୭୪.୮୨ କୋଟି ଟଙ୍କାର ଚୂନ ଲଗାଇଛି। ଏହି ଜାଲିଆତି ସମ୍ପର୍କରେ କୋଲକାତାଭିତ୍ତିକ ଆହ୍ଲାବାଦ ବ୍ୟାଙ୍କ ଆଜି ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇଛି। ଭୂଷଣ ଏହି ଅର୍ଥର ଦୁରୁପଯୋଗ କରିଛି। ବ୍ୟାଙ୍କରୁ ଏହି ଅର୍ଥ ସଂଗ୍ରହ କରିବା ଲାଗି କମ୍ପାନି ଏହାର ଖାତାରେ ହେରଫେର ମଧ୍ୟ କରିଛି। ଭୂଷଣ କରିଥିବା ଏହି ଠକେଇ କାରଣରୁ ବ୍ୟାଙ୍କ ୯୦୦.୨ କୋଟି ଟଙ୍କାର ଅର୍ଥ ଏ ବାବଦରେ ରଖିଛି ବୋଲି ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବରୁ ଭୂଷଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୩୮୦୦ କୋଟି ଟଙ୍କା ଚୂନ ଲଗାଇଥିବା ବିଷୟ ପଦାକୁ ଆସିଥିଲା। ଭୂଷଣ ପାୱାର ଆଣ୍ଡ ଷ୍ଟିଲ ୪୭,୭୦୦ କୋଟି ଟଙ୍କାର ଋଣ ପରିଶୋଧ କରି ନପାରିବାରୁ ଏହି ମାମଲାକୁ ରିଜର୍ଭ ବ୍ୟାଙ୍କ ଦେବାଳିଆ ଆଇନ ଅଧୀନରେ ବିଚାର ପାଇଁ ଅଦାଲତକୁ ପଠାଇବା ପାଇଁ ସୁପାରିସ କରିଥିଲା। ଏତଦବ୍ୟତୀତ କମ୍ପାନି ବ୍ୟାପାର ମନ୍ତ୍ରାଳୟ ଅଧୀନ ଗୁରୁତର ଜାଲିଆତି ତଦନ୍ତ କାର୍ଯ୍ୟାଳୟ (ଏସଏଫଆଇଓ) ମଧ୍ୟ ଏହି ମାମଲାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର