ବିମାନ ବିଳମ୍ବ ହେଲେ ଯାତ୍ରୀଙ୍କୁ ମାଗଣାରେ ହୋଟେଲରେ ରହିବାକୁ ଦିଆଯିବ, ଟିକେଟ ବାତିଲ କଲେ ମିଳିବ ସମ୍ପୂର୍ଣ୍ଣ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ରସରକାର ଯାତ୍ରୀଙ୍କ ଟିକେଟ ଉପରେ ବିମାନ କମ୍ପାନି ମନଇଚ୍ଛା ଚାର୍ଜ ଲଗାଉଥିବା ଉପରେ ଅଙ୍କୁଶ ଲଗାଇଛନ୍ତି। ଉଡାଣ      କ୍ଷେତ୍ରରେ ଏକ ବଡ଼ ସଂସ୍କାର ଅଣାଯାଉଛି। ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜୟନ୍ତ ସିହ୍ନା ମଙ୍ଗଳବାର ବିମାନ ଯାତ୍ରୀଙ୍କ ପାଇଁ ଏକ ବିଶେଷ ସୁବିଧାର ଘୋଷଣା କରିଛନ୍ତି। ପେପରଲେସ୍‌ ଯାତ୍ରା ପାଇଁ ଡିଜିଯାତ୍ରା ପ୍ରାରମ୍ଭ ସହିତ ଟିକେଟ ବାତିଲ୍‌ କରିବା ଦ୍ୱାରା ଯାତ୍ରୀ ଦେଉଥିବା ଚାର୍ଜକୁ ଛାଡ କରି ଦିଆଯାଇଛି। ସରକାର ଏଥିପାଇଁ ଡ୍ରାଫ୍ଟ ଚାର୍ଟର ନେଇ ଆସୁଛନ୍ତି। ଯେଉଁଥିରେ ସମସ୍ତଙ୍କ ରାୟ ମଗାଯାଇଛି। ୨ମାସ ଭିତରେ ଏହି ପ୍ରସ୍ତାବକୁ ଲାଗୁ କରାଯିବାର ଯୋଜନା ରହିଛି।

ଅଧିକାରୀଙ୍କ ସୂଚନାମୁତାବକ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି, ଯଦି ବିମାନ ବୁକିଂର ୨୪ ଘଣ୍ଟା ଭିତରେ ଯାତ୍ରୀ ଟିକେଟ ବାତିଲ୍ କରି ଦିଅନ୍ତି, ତେବେ ଯାତ୍ରୀଙ୍କୁ ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ସେହିପରି ଯଦି ଏହି ସମୟସୀମା ଭିତରେ ଟିକେଟରେ ଅନ୍ୟ କୌଣସି ପ୍ରକାର ପରିବର୍ତ୍ତନ କରାଯାଏ ତାହା ବି ମାଗଣାରେ କରାଯିବ। ଏଥିସହିତ ଯାତ୍ରୀ ଯାତ୍ରା ସମୟର ୯୬ଘଣ୍ଟା ପୂର୍ବରୁ ଟିକେଟ ବାତିଲ କଲେ ବି କୌଣସି ଚାର୍ଜ ପଡ଼ିବ ନାହିଁ।

ଅନ୍ୟପକ୍ଷରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି, ଯଦି ଏୟାରଲାଇନ୍ସ କମ୍ପାନିର ଭୁଲ ହେତୁ ବିମାନ ବିଳମ୍ବ ହୁଏ ତେବେ ଏୟାରଲାଇନ୍ସ କମ୍ପାନି ଯାତ୍ର୍ରୀଙ୍କୁ ଏହାର ମୂଲ୍ୟ ଦେବ। ସେହିପରି ବିମାନ ଯଦି ଗୋଟିଏ ଦିନ ପାଇଁ ବିଳମ୍ବ ହୁଏ, ଏପରି କ୍ଷେତ୍ରରେ ଯାତ୍ରୀଙ୍କଠାରୁ କୌଣସି ଚାର୍ଜ ନିଆ ନ ଯାଇ ହୋଟେଲରେ ରହିବାର ବ୍ୟବସ୍ଥା କରାଇ ଦିଆଯିବ। କନେକ୍ଟିଂ ଫ୍ଲାଇଟ୍‌ ମିସ୍‌ ହେଲେ ବି କମ୍ପାନିର କ୍ଷତି ଭରଣା କରିବ। ବିମାନ ଅଧିକ ବିଳମ୍ବ ହେଲେ ଯାତ୍ରୀ ଟିକେଟ ବାତିଲ କରି ପାରିବେ। ଏଥିପାଇଁ ଯାତ୍ରୀଙ୍କୁ ଟିକେଟ ପାଇଁ ଦେଇଥିବା ସମସ୍ତ ଟଙ୍କା ଫେରସ୍ତ କରି ଦିଆଯିବ।

ସରକାର କହିଛନ୍ତି, ବିଶେଷ ଆବଶ୍ୟକତା ଥିବା ଯାତ୍ରୀ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଦିଆଯିବ। ଏଥିସହିତ ସରକାର ଘରୋଇ ବିମାନ ଯାତ୍ରାକୁ ପେପରଲେସ ଯାତ୍ରାର ସୁବିଧା ଦେବାକୁ ଯାଉଛନ୍ତି। ଏଥିପାଇଁ ଯାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ନମ୍ବର ପ୍ରାପ୍ତ କରିବାକୁ ପଡ଼ିବ। ଯାତ୍ରା ସମୟରେ ବିମାନବନ୍ଦରରେ ଯାତ୍ରୀଙ୍କୁ କେବଳ ସେହି ନମ୍ବର କହିବାକୁ ପଡ଼ିବ। ଏପରି କରି ସେମାନେ ନିଜର ମୂଲ୍ୟବାନ ସମୟକୁ ବଞ୍ଚାଇ ପାରିବେ। ଡିଜିଯାତ୍ରାରେ ପରିଚୟ ପତ୍ର ପାଇଁ ଆଧାରକାର୍ଡ ଅନିବାର୍ଯ୍ୟ ନୁହେଁ।

ସମ୍ବନ୍ଧିତ ଖବର