ନୂଆଦିଲ୍ଲୀ: ବିଗତ ୨୫ ବର୍ଷ ଭିତରେ ଗତ ପାଞ୍ଚ ବର୍ଷ କର୍ପୋରେଟ୍ ଜଗତ ପାଇଁ ସବୁଠାରୁ ଖରାପ ସମୟ ଥିଲା। ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ତଥ୍ୟରୁ ଏହା ଜଣାପଡ଼ିଛି। ଏହା ହେଉଛି ଏକ ସ୍ବାଧୀନ ସଂସ୍ଥା ଯାହା ଭାରତୀୟ ଅର୍ଥନୀତିର ଗତିବିଧି ଉପରେ ନଜର ରଖିଥାଏ। ୨୦୧୩-୧୪ରୁ ୨୦୧୭-୧୮ ପାଞ୍ଚ ବର୍ଷ କଂପାନିଗୁଡ଼ିକ ପାଇଁ ଉଦାରୀକରଣ ପରେ ସବୁଠୁ ଖରାପ ସମୟ ଥିଲା। ଏହି ସମୟରେ ସେମାନଙ୍କ ବିକ୍ରି ଓ ଟିକସ ପରବର୍ତ୍ତୀ ଲାଭରେ ସେଭଳି କୌଣସି ଉଲ୍ଲେଖନୀୟ ବୃଦ୍ଧି ହୋଇନାହିଁ। କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ଦେୟରେ ମଧ୍ୟ ସେଭଳି କୌଣସି ଅଗ୍ରଗତି ଦେଖିବାକୁ ମିଳିନାହିଁ। ଉଭୟ ସରକାରୀ ମାଲିକାନାରେ ଥିବା କଂପାନି ଓ ଘରୋଇ କଂପାନି ଏହି ସମସ୍ୟା ଦେଇ ଗତି କରିଥିବା ସିଏମ୍ଇଆଇ ରିପୋର୍ଟରୁ ଜଣାପଡ଼ିଛି। ତେବେ ସରକାରୀ କଂପାନିଗୁଡ଼ିକ ଅଧିକ ସମସ୍ୟାର ସାମ୍ନା କରିଛନ୍ତି। ସେମାନଙ୍କ ହାରାହାରି ବିକ୍ରି ରାଜସ୍ବ ଅଭିବୃଦ୍ଧି ମାତ୍ର ୨.୬% ରହିଛି। ସେହି ସମୟରେ ଘରୋଇ କଂପାନିଗୁଡ଼ିକର ଅଭିବୃଦ୍ଧି ଅପେକ୍ଷାକୃତ ଭଲ ଅର୍ଥାତ୍ ୬.୫% ଥିଲା। ବିଦେଶୀ କଂପାନିଗୁଡ଼ିକ ୧୩.୬% ଭଳି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି। ୧୯୯୩-୯୪ ପର ଠାରୁ ପ୍ରତି ପାଞ୍ଚ ବର୍ଷକୁ ଏକ ନିର୍ଦିଷ୍ଟ ସମୟ ଭାବେ ବିଚାର କରି ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୨୦୧୩-୨୦୧୮ ଭିତରେ କଂପାନିଗୁଡ଼ିକର ବିକ୍ରି ରାଜସ୍ବରେ ସବୁଠୁ କମ୍ ଅର୍ଥାତ ମାତ୍ର ୬% ବୃଦ୍ଧି ହୋଇଥିବା ଜଣାପଡ଼ିଛି। ୨୦୦୨-୦୮ ଭିତରେ ବିକ୍ରି ରାଜସ୍ବରେ ସର୍ବାଧିକ ୨୧.୨%ର ବୃଦ୍ଧି ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ କଂପାନିଗୁଡ଼ିକର ଟିକସ ପରବର୍ତ୍ତୀ ଲାଭ (ପିଏଟି) ବାର୍ଷିକ ୪.୭% ହାରରେ ତଳକୁ ଖସିଛି। ୨୦୦୭-୦୮ ଏବଂ ୨୦୧୨-୧୩ରେ ଏଭଳି ଅଭିବୃଦ୍ଧି ୧.୧% ଭଳି ନଗଣ୍ୟ ସ୍ତରରେ ଥିଲା। ବିଗତ ପାଞ୍ଚ ବର୍ଷରେ କଂପାନିଗୁଡ଼ିକ କର୍ମଚାରୀମାନଙ୍କୁ ପ୍ରଦାନ କରୁଥିବା ଦେୟରେ ମଧ୍ୟ ସେଭଳି କୌଣସି ଆଖିଦୃଶିଆ ବୃଦ୍ଧି କରିନାହାନ୍ତି। କର୍ମଚାରୀଙ୍କୁ ଦେୟରେ ମାତ୍ର ୧୨.୨% ଅଭିବୃଦ୍ଧି ହୋଇଛି ଯାହା ୧୯୯୨-୯୩ ପରେ ସବୁଠୁ କମ୍ ବୋଲି ଜଣାପଡ଼ିଛି।