କେନ୍ଦ୍ର ବଜେଟ୍‌: ଶିଶୁ, କିଶୋରଙ୍କ ପାଇଁ ଜାତୀୟ ଡିଜିଟାଲ୍ ଲାଇବ୍ରେରି

ପ୍ରଯୁକ୍ତିକୁ ପ୍ରାଥମିକତା: ଏଆଇ, ଡାଟା, ଡିଜିଲକର୍‌

ଏଥର ବଜେଟ୍‌ରେ ପ୍ରଯୁକ୍ତିକୁ ପ୍ରାଥମିକତା ଦିଆଯାଇଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ୫ଜି, ଡାଟା ଗଭର୍ଣ୍ଣାସ୍ ଓ ଡିଜିଲକର ଭଳି ଶବ୍ଦକୁ ଅର୍ଥମନ୍ତ୍ରୀ ବ୍ୟବହାର କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ପାଇଁ ନୂଆ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା, ଜାତୀୟ ଡାଟା ଗଭର୍ଣ୍ଣାସ୍ ନୀତି ଓ ଏଣ୍ଟିଟି ଡିଜିଲକର ବିଷୟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଦେଶରେ ତିନିଟି ଏଆଇ ଉତ୍କର୍ଷ କେନ୍ଦ୍ରକୁ ଅଗ୍ରଣୀ ଶିକ୍ଷା‌ନୁଷ୍ଠାନରେ ସ୍ଥାପନ କରାଯିବ। ଏହା ଦ୍ବାରା ‘ମେକ୍ ଏଆଇ ଇନ୍ ଇଣ୍ଡିଆ, ମେକ୍ ଏଆଇ ୱାର୍କ ଫର ଇଣ୍ଡିଆ’ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରାଯିବ। କୃଷି ପାଇଁ ଡିଜିଟାଲ ପ୍ରଯୁକ୍ତି ଭିତ୍ତିଭୂମି ଗଠନ କରାଯିବ ଯାହା ଏକ ଓପୋନ୍ ସୋର୍ସ, ଓପୋନ୍ ଷ୍ଟାଣ୍ଡାର୍ଡ ଏବଂ ଇଣ୍ଟର ଅପରେବଲ୍ ସାର୍ବଜନୀନ ବିଷୟ ହୋଇରହିବ।

ସବୁ ଭୌଗୋଳିକ ସ୍ଥାନ, ଭାଷା, ବର୍ଗ ଏବଂ ସ୍ତରର ଗୁଣାତ୍ମକ ପୁସ୍ତକ ଉପଲବ୍ଧ କରାଇବା ଲାଗି ଶିଶୁ ଓ କିଶୋରମାନଙ୍କ ଲାଗି ଜାତୀୟ ଡିଜିଟାଲ୍ ଲାଇବ୍ରେରି ସ୍ଥାପନ କରାଯିବ। କେୱାଇସି ପାଇଁ ପ୍ରକ୍ରିୟା ବଦଳିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର କେୱାଇସି ବ୍ୟବସ୍ଥା ବଦଳରେ ବିପଦ-ଭିତ୍ତିକ କେୱାଇସି ବ୍ୟବସ୍ଥା ଲାଗୁ କରାଯିବ। ବଡ଼ ଏମ୍ଏସ୍‌ଏମ୍ଇ, ବଡ଼ ବ୍ୟବସାୟ ଏବଂ ଦାତବ୍ୟ ଅନୁଷ୍ଠାନଗୁଡ଼ିକ ଲାଗି ‘ଏଣ୍ଟିଟି ଡିଜିଲକର’ ଗଠନ କରାଯିବ। ସେଥିରେ ଏହି ବର୍ଗର ସଂସ୍ଥାଗୁଡ଼ିକ ସେମାନଙ୍କ କାଗଜପତ୍ରକୁ ସୁରକ୍ଷିତ ଭାବେ ଅନ୍‌ଲାଇନ୍‌ରେ ରଖିପାରିବେ। ୫ଜି ପାଇଁ ଦେଶର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ୧୦୦ ଲ୍ୟାବ୍ ବିକାଶ କରାଯିବ। ସ୍ମାର୍ଟ କ୍ଲାସ୍‌ରୁମ୍, କୃଷି, ପରିବହନ, ସ୍ବାସ୍ଥ୍ୟ ସେବା ଆଦି ଉପରେ ‌ଏହି ଲ୍ୟାବ୍‌ଗୁଡ଼ିକରେ କାମ କରାଯିବ।

ସମ୍ବନ୍ଧିତ ଖବର