ଭୁବନେଶ୍ୱର -ଆସନ୍ତା ଫେବୃଆରୀ ୬ ତାରିଖରେ ଇଣ୍ଡିଆନ ଅଏଲ ଏବଂ ପାରାଦିପ ପୋର୍ଟ ଟ୍ରଷ୍ଟର ପାରାଦୀପରେ ବିଭନ୍ନ ବୃହତ ପରିଯୋଜନାର ଶୁଭାରମ୍ଭ ହେବ । ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦିଆଯାଇଥିଲା । ଆସନ୍ତା ଫେବୃୟାରୀ ୬ ତାରିଖରେ ପାରାଦୀପଠାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ, ଜାହଜ ଚଳାଚଳ ଏବଂ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ଶ୍ରୀ ନିତୀନ ଗଡ଼କରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।
ଏସବୁ ପ୍ରକଳ୍ପ ମଧ୍ୟରେ ରହିଛି ୩,୧୫୦ କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ବିଶ୍ୱସ୍ତରୀୟ ପ୍ରଲିପ୍ରପିଲିନ୍ (ପିପି) ପ୍ଲାଣ୍ଟ ଯାହାକି ପୂର୍ବୋତ୍ତର କ୍ଷେତ୍ରଗୁଡ଼ିକର ପ୍ଲାଷ୍ଟିକ ଉଦ୍ୟୋଗଗୁଡ଼ିକୁ ସହଯୋଗ କରିବ । ୫,୬୫୪ କୋଟି ଟଙ୍କା ମୂଲ୍ୟ ବିଶିଷ୍ଟ ମନୋଇଥିଲନ୍ ଗ୍ଲାଇକଲ (ଏମ୍ଇଜି) ପ୍ଲାଣ୍ଟ, ଓଡ଼ିଶାରେ ପଲିଷ୍ଟର ଉଦ୍ୟୋଗ / ଟେକ୍ସଟାଇଲ ପାର୍କକୁ ପ୍ରୋତ୍ସାହନ ଯୋଗାଇବ । ୬୯୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ୦.୬ ଏମ୍ଏମ୍ଟିପିଏ ଏଲ୍ପିଜି ଇମ୍ପୋର୍ଟ ଟର୍ମିନାଲ, ଓଡ଼ିଶା ଏବଂ ପଡୋଶୀ ରାଜ୍ୟରେ ସ୍ୱଚ୍ଛ ରନ୍ଧନ ଗ୍ୟାସର ଉପଲବ୍ଧତାକୁ ବୃଦ୍ଧି କରିବ । କଣ୍ଟେନର ଏବଂ ସ୍ୱଚ୍ଛ କାର୍ଗୋ ବର୍ଥ, ପାରାଦୀପ ପୋର୍ଟ ଟ୍ରଷ୍ଟର କାର୍ଗୋ ପ୍ରୋଫାଇଲରେ ବିବିଧତା ଆଣିବା ସହ ସ୍ଥାନୀୟ ଉଦ୍ୟୋଗକୁ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିବ । ଏହାଛଡା ପାରାଦୀପ ବନ୍ଦରରେ ବର୍ତ୍ତମାନ ଥିବା ବର୍ଥର ଯନ୍ତ୍ରୀକରଣ ଏବଂ ୩୦ ମିଲିୟନ ଟନ କ୍ଷମତା ବୃଦ୍ଧି କୋଇଲା ରପ୍ତାନୀରେ ସୁବିଧା ପ୍ରଦାନ କରିବା ସହ ପ୍ରଦୂଷଣକୁ ମଧ୍ୟ ହ୍ରାସ କରିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ୍ ରାୟ, ଆଇଆର୍ଟିଏସ୍, ଆଇଓସିଏଲ୍ ପାରାଦୀପ ରିଫାଇନାରୀର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଟିଡିଭିଏସ୍ ଗୋପାଳ କ୍ରିଷ୍ଣା, ଆଇଓସିଏଲ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ତୈଳ ଉଦ୍ୟୋଗର ରାଜ୍ୟସ୍ତରୀୟ ସଂଯୋଜକ ଶ୍ରୀ ପ୍ରିତୀଶ ଭରତ, ଆଇଓସିଏଲ୍ର ମୁଖ୍ୟ ପରିଚାଳାନା ପ୍ରବନ୍ଧକ (ପେଟ୍ରୋ କେମିକାଲ୍ସ-ମାର୍କେଟିଂ) ଶ୍ରୀ ସୁଜୟ ଚୌଧୁରୀ ଏବଂ ଆଇଓସିଏଲ୍ ର ଦକ୍ଷିଣ ପଶ୍ଚିମାଞ୍ଚଳ ପାଇପଲାଇନର ମୁଖ୍ୟ ପରିଚାଳନା ପ୍ରବନ୍ଧକ (ମାନବସମ୍ବଳ) ଏସ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।