କେନ୍ଦ୍ରୀୟ ରେଳବାଇ ଆରମ୍ଭ କଲା ସଫେଇ କାର୍ଯ୍ୟ: ରେଳ ଟ୍ରାକ୍‌ରୁ ମିଳିଲା ୫ ଲକ୍ଷ ଆବର୍ଜନା ବ୍ୟାଗ୍‌

ମୁମ୍ବାଇ: ବାରମ୍ବାର ଅଭିଯୋଗ ହେବା ପରେ ଶେଷରେ କେନ୍ଦ୍ରୀୟ ରେଳବାଇ ରେଳ ଟ୍ରାକ୍‌ଗୁଡ଼ିକରୁ ଆବର୍ଜନା ସଫା କରିବା ଫଳରେ ଟ୍ରାକ୍‌ରୁ ପ୍ରାୟ ୫ ଲକ୍ଷ ଆବର୍ଜନା ବ୍ୟାଗ ମିଳିଛି। ଆକ୍ଟୋବରରୁ ନେଇ ଡିସେମ୍ବର ମଧ୍ୟରେ ରେଳବାଇ ଛତ୍ରପତି ଶିବାଜୀ ମାହାରାଜ ଟରମିନସ (ସିଏସଏମଟି), ମସଜିଦ ବନ୍ଦର , ଥାନେ , ପରସିକ ଟରନେଲ ଅଞ୍ଚଳ ଏବଂ ଧାରାଭି ଆଦି ୫ଟି ସ୍ଥାନରୁ ୩୦,୦୦୦ ଘନ ମିଟରର ଆବର୍ଜନା ସଫା କରିସାରିଲାଣି।

ଏ ସଂପର୍କରେକେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସଂପର୍କ ଅଧିକାରୀ ସୁନୀଲ ଉଦାସୀ କହନ୍ତି, ‘ଛଅ ମାସ ମଧ୍ୟରେ ୧,୬୦,୦୦୦ ଘନ ମିଟର ଆବର୍ଜନା ସଫା କରିବାର ଆମର ଲକ୍ଷ୍ୟ ରହିଛି । ଆମେ କ୍ରମ ହିସାବରେ ଗୋଟେ ପରେ ଗୋଟେ ସ୍ଥାନକୁ ସଫା କରିବୁ । ଆସନ୍ତା ମାସରେ ଷ୍ଟେସନ ଟ୍ରାକ ଗୁଡ଼ିକୁ ସଫା କରିବାର ନିର୍ଣ୍ଣୟ ନିଆଯାଇଛି।’

ଏହି ୫ଟି ସ୍ଥାନରୁ ୩୦, ୦୦୦ ଘନ ମିଟର ହିସାବରେ ପ୍ରାୟ ୫ ଲକ୍ଷ ଆବର୍ଜନା ବ୍ୟାଗ ସଫା କରାଯାଇଛି। କେନ୍ଦ୍ରୀୟ ରେଲବାଇ ମହାନଗର ନିଗମ ସାହାଯ୍ୟରେ ଏହି ଆବର୍ଜନାକୁ ସହରର ଅଳିଆ ଆବର୍ଜନା ପଡ଼ିଆକୁ ଧିରେ ଧିରେ ପଠାଇବାର ଯୋଜନା ରହିଛି ବୋଲି ସେ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ମାସରେ ଟୁଇଟର୍‌ରେ ଆବର୍ଜନା ବିରୋଧରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ସେହି ଆନ୍ଦୋଳନ ପ୍ରଭାବରେ ରେଳବାଇ ସଫେଇ କାର୍ଯ୍ୟ ଆରମ୍ଭ କରିଥିବା ଜାଣିବାକୁ ମିଳିଛି। ଏହି ଆନ୍ଦୋଳନ ହେବା ସତ୍ତ୍ୱେ ପଶ୍ଚିମ ରେଲବାଇ ଏନେଇ କୌଣସି ପଦକ୍ଷେପ ନ ନେବାରୁ କେନ୍ଦ୍ରୀୟ ରେଳବାଇ ଗତ ୩ ମାସ ହେଲା ସଫେଇ କାମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର