ଗାଡ଼ି ସ୍କ୍ରାପ୍ କଲେ ମିଳିବ ରିହାତି, ନୀତିରେ କ’ଣ ଅଛି?

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଆଜି ଲୋକସଭାରେ ସ୍ବେଚ୍ଛାଧୀନ ଗାଡ଼ି ସ୍କ୍ରାପେଜ୍ ନୀତି ଘୋଷଣା କରିଛନ୍ତି। ଗାଡ଼ିକୁ ସ୍କ୍ରାପ୍ କଲେ ମୋଟ ଉପରେ ୧୦-୧୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଚଳିତ ବର୍ଷ ଅକ୍ଟୋବର ୧ ସୁଦ୍ଧା ଫିଟ୍‌ନେସ୍‌ ଟେଷ୍ଟ ଓ ସ୍କ୍ରାପିଂ ସେଣ୍ଟର ନିୟମ ଜାରି କରାଯିବ। ୨୦୨୨ ଏପ୍ରିଲ୍ ୧ ସୁଦ୍ଧା ସରକାର ଏବଂ ସରକାରୀ ସଂସ୍ଥା ପାଖରେ ଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକୁ ସ୍କ୍ରାପ୍ କରାଯିବ। ୨୦୨୩ ଏପ୍ରିଲ୍ ସୁଦ୍ଧା ଭାରି ବାଣିଜ୍ୟିକ ଯାନଗୁଡ଼ିକ ଲାଗି ଫିଟ୍‌ନେସ୍‌ ‌ପରୀକ୍ଷାକୁ ବାଧ୍ୟତାମୂଳକ କରାଯିବ। ୨୦୨୩ ଜୁନ୍ ୧ ସୁଦ୍ଧା ଅନ୍ୟ ସବୁ ବର୍ଗର ଗାଡ଼ି ଲାଗି ଫିଟ୍‌ନେସ୍‌ ପରୀକ୍ଷା ବ‌ାଧ୍ୟତାମୂଳକ ହେବ।

ଗାଡ଼ିର ପଞ୍ଜୀକରଣ ସମୟସୀମା ଶେଷ ହେବା ପରେ ତାହାର ଫିଟ୍‌ନେସ୍ ପରୀକ୍ଷା ବାଧ୍ୟତାମୂଳକ ହେବ ।
ବାଣିଜ୍ୟିକ ଯାନ ଲାଗି ଏହି ଅବଧି ୧୫ ବର୍ଷ ଓ ବ୍ୟକ୍ତିଗତ ଭାବେ ବ୍ୟବହାର ହେଉଥିବା ଯାନ ଲାଗି ୨୦ ବର୍ଷ ରଖାଯାଇଛି।
ଯେଉଁ ଗାଡ଼ି ଫିଟନେସ୍ ପରୀକ୍ଷାରେ ବିଫଳ ହେବ ତାହାର ସମୟ ଶେଷ ହୋଇଗଲା ବୋଲି ବିଚାର କରାଯିବ।
ଗାଡ଼ିର ପଞ୍ଜୀକରଣ ସମୟ ଶେଷ ହେବା ପରେ ତାହାକୁ ପୁନଃ ପଞ୍ଜୀକରଣ କରାଇବା କିମ୍ବା ତାହାର ଫିଟ୍‌ନେସ୍ ପରୀକ୍ଷା ନକରାଇ ସେହି ଗାଡ଼ିକୁ କିଭଳି ସ୍କ୍ରାପ୍ କରାଯିବ ସେଥିପ୍ରତି ଅଧିକ ଧ୍ୟାନ ଦେବା ଲାଗି ଲୋକମାନଙ୍କୁ ଉତ୍ସାହିତ କରାଯିବ।
ଲୋକମାନେ ଯେଭଳି ପୁରୁଣା ଗାଡ଼ି ଠାରୁ ଦୂରେଇ ରହିବେ ସେହି ଲକ୍ଷ୍ୟ ହାସଲ କରିବା ଲାଗି ପୁନଃ ପଞ୍ଜୀକରଣ ଫି’ ବୃଦ୍ଧି କରାଯିବ।
ସହଜରେ ଗାଡ଼ିକୁ ସ୍କ୍ରାପ୍ କରିବା ଲାଗି ସାରା ଦେଶରେ ସ୍ବୟଂକ୍ରିୟ ଫିଟ୍‌ନେସ୍ ସେଣ୍ଟର ଖୋଲାଯିବ।
ଯେଉଁ ଗ୍ରାହକମାନେ ନିଜର ପୁରୁଣା ଗାଡ଼ିକୁ ସ୍କ୍ରାପ୍ କରିବେ ସେମାନଙ୍କୁ ନୂଆ ଗାଡ଼ିର ଏକ୍ସ ‌ସୋ’ରୁମ୍ ମୂଲ୍ୟ ଉପରେ ୪-୬% ପର୍ଯ୍ୟନ୍ତ ରିହାତି ଦେବାର ବ୍ୟବସ୍ଥା କରାଯିବ।
ସଡ଼କ ଟିକସ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଦିଆଯିବ।
ସ୍କ୍ରାପିଂ ସାର୍ଟିଫି‌କେଟ୍ ବଦଳରେ ନୂଆ ଗାଡ଼ି ଗ୍ରାହକଙ୍କୁ ୫% ରିହାତି ଦେବା ଲାଗି ଗାଡ଼ି ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ କୁହାଯିବ।

ସମ୍ବନ୍ଧିତ ଖବର