ଗାଡ଼ି ବଜାରରେ ସଙ୍କଟ, ‌ସୋ’ରୁମ୍ ପରେ କାରଖାନା ବନ୍ଦ

ବିକ୍ରି ହେଉନଥିବାରୁ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ

ବେଙ୍ଗାଲୁରୁ: ସୋ’ରୁମ୍‌ରେ ଗାଡ଼ି ବିକ୍ରି ହେଉନି। ‌ସେଥିପାଇଁ ଅଧିକ ଗାଡ଼ି ଉତ୍ପାଦନ କରିବାର ଆବଶ୍ୟକତା ମଧ୍ୟ ନାହିଁ। ଗାଡ଼ି ବଜାରରେ ଦେଖାଦେଇଥିବା ସଙ୍କଟ କାରଖାନାକୁ ପ୍ରଭାବିତ କରିବା ଆରମ୍ଭ କଲାଣି। ଦେଶର ପ୍ରମୁଖ ଗାଡ଼ି ନିର୍ମାତାମାନେ ନିଜ କାରଖାନାରେ ଉତ୍ପାଦନ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି। ଟାଟା ମୋଟର୍ସ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭଳି ବଡ଼ କଂପାନି ସେମାନଙ୍କ କେତେକ କାରଖାନାକୁ କିଛି ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରର ପୁନେ‌ ଠାରେ ଥିବା କାରଖାନାକୁ ଟାଟା ମୋଟର୍ସ କିଛି ଦିନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରାଜସ୍ବ ଆୟ ଦୃଷ୍ଟିରୁ ଏହା ଦେଶର ଏକ ବହୁତ ବଡ଼ କଂପାନି। ସେହିପରି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ମଧ୍ୟ ଏହାର କେତେକ କାରଖାନାକୁ ୮-୧୪ ଦିନ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ମହିନ୍ଦ୍ରା ଏହାର କାରଖାନାରେ ଗାଡ଼ି ଓ ସ୍ପେୟାର ପାର୍ଟସ୍‌ ଉତ୍ପାଦନ କରୁଛି।

କାରଖାନା ବନ୍ଦ ହେଉଥିବାରୁ ଏହାର ପ୍ରଭାବ ‌ସେହି ସବୁ କାରଖାନାରେ କାମ କରୁଥିବା ଲୋକମାନଙ୍କ ଜୀବିକା ଉପରେ ପଡ଼ିବ। ଗାଡ଼ି ବଜାର ସଙ୍କଟ ଯୋଗୁ ବର୍ତ୍ତମାନ ସୁଦ୍ଧା ସାଢ଼େ ତିନି ଲକ୍ଷ ଲୋକ ବେରୋଜଗାର ହୋଇସାରିଲେଣି। ସାରା ଦେଶରେ ୩୦୦ ପାଖାପାଖି ସୋ’ରୁମ୍‌ରେ ତାଲା ପଡ଼ିସାରିଲାଣି।ଟାଟା ମୋଟର୍ସ, ଜେନେରାଲ୍ ମୋଟର୍ସ ଓ ଟୟୋଟା ଭଳି କଂପାନି ପାଇଁ ପାର୍ଟସ୍ ଯୋଗାଇ ଦେଉଥିବା ସଂସ୍ଥା ଜମ୍‌ନା ଅଟୋ ଇଣ୍ଡଷ୍ଟ୍ରିଜ୍ ଏହାର ସମସ୍ତ ୯ଟି କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ପାର୍ଟସ୍‌ ନିର୍ମାଣ କରୁଥିବା ଅନ୍ୟ ଦୁଇଟି ସଂସ୍ଥା ବୋଶ୍‌ ଓ ୱାବ୍‌କୋ ଇଣ୍ଡିଆ ସେମାନଙ୍କ କାରଖାନାରେ କେବେ ଠାରୁ ଉତ୍ପାଦନ କମାଇ ସାରିଲେଣି। ଗାଡ଼ି ନିର୍ମାଣ କରୁଥିବା କଂପାନିଗୁଡ଼ିକ ପାଇଁ ଏବେ ମୁଖ୍ୟ ସମସ୍ୟା ହେଉଛି ପୂର୍ବରୁ ନିର୍ମାଣ ହୋଇସାରିଥିବା ଗାଡ଼ିଗୁଡ଼ିକ କାରଖାନାରେ ପଡ଼ିରହିଛି। ଗାଡ଼ି ବିକ୍ରିରେ କେବେ ସୁଧାର ହେବ ତାହାର କୌଣସି ସମ୍ଭାବନା ଦେଖାଯାଉନାହିଁ। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଶିଳ୍ପପତିମାନେ ଏକ ବୈଠକରେ ମାନ୍ଦାବସ୍ଥା ବିଷୟରେ ଆଲୋଚନା କରିଥିଲେ। ସେଥିରେ ଅଂଶଗ୍ରହଣ କରିଥିବା‌ କିଛି ଗାଡ଼ି କଂପାନିର ପ୍ରତିନିଧି ଜିଏସ୍‌ଟି ହ୍ରାସ କରିବାକୁ ଦାବି କରିଥିଲେ। ଏହା ସହିତ ସରକାର ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ସେମାନେ କହିଥିଲେ।

ଶିଳ୍ପ ଉତ୍ପାଦନ ୪ ମାସରେ ସବୁଠୁ ଖରାପ
ନୂଆଦିଲ୍ଲୀ: ଜୁନ୍‌ରେ ଦେଶର ଶିଳ୍ପ ଉତ୍ପାଦନ ଚାରି ମାସର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଖଣି ଓ ଉତ୍ପାଦନ କ୍ଷେତ୍ରର ପ୍ରଦର୍ଶନ ସବୁଠୁ ଖରାପ ରହିଛି। ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି) ଅଭିବୃଦ୍ଧି ହାର ୨% ସ୍ତରକୁ ଖସିଯାଇଛି। ୨୦୧୮ରେ ଏହି ଅଭିବୃଦ୍ଧି ହାର ୭% ଥିଲା। ଶେଷ ଥର ପାଇଁ ଚଳିତ ବର୍ଷ ଫେବ୍ରୁଆରିରେ କାରଖାନା ଉତ୍ପାଦନ ଏଭଳି ନିମ୍ନ ସ୍ତରକୁ ଖସିଥିଲା।

ରୋଡ୍‌ ସୋ’ କରିବେ ନିର୍ମଳା
ନୂଆଦିଲ୍ଲୀ: ମାନ୍ଦାବସ୍ଥାକୁ ନେଇ ଶିଳ୍ପ ଜଗତରେ ବିଶ୍ବାସର ଯେଉଁ ଅଭାବ ଦେଖାଦେଇଛି ତାହାକୁ ଦୂର କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ସପ୍ତାହରୁ ବିଭିନ୍ନ ସ୍ଥାନରେ ରୋଡ୍ ସୋ’ କରିବେ। ଦେଶର ପ୍ରମୁଖ ସହର ଓ ଦ୍ବିତୀୟ ଶ୍ରେଣୀ ସହରଗୁଡ଼ିକରେ ଏହି ରୋଡ୍ ସୋ’ ଆୟୋଜନ କରାଯିବ। ନିର୍ମଳାଙ୍କ ସହ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିବେ। ଟିକସ ଅଧିକାରୀମାନେ ବ୍ୟବସାୟୀଙ୍କୁ ହଇରାଣ କରୁଥିବାର ଯେଉଁ ଅଭିଯୋଗ ହେଉଛି ତାହାକୁ ସିଧାସଳଖ ବ୍ୟବସାୟୀଙ୍କ ଠାରୁ ଶୁଣିବାକୁ ନିର୍ମଳା ଚାହୁଛନ୍ତି। ଯେଉଁ ଯେଉଁ ବିଷୟକୁ ନେଇ ବ୍ୟବସାୟୀମାନଙ୍କ ମନରେ ସନ୍ଦେହ ଓ ସମସ୍ୟା ରହିଛି ତାହାକୁ ନିର୍ମଳା ଦୂର କରିବାକୁ ପ୍ରୟାସ କରିବେ।

ସମ୍ବନ୍ଧିତ ଖବର