ଯୁଦ୍ଧ ପାଇଁ ଚାପରେ ବିଦେଶୀ ମୁଦ୍ରା ଭଣ୍ଡାର: ୨ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ: ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ ଭାରତୀୟ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଥିବା ବେଳେ ବିଭିନ୍ନ କ୍ଷେତ୍ର ଉପରେ ତାହାର ଖରାପ ପ୍ରଭାବ ରହିଛି। କିନ୍ତୁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବିନିମୟ ମୁଦ୍ରା। ଡଲାର ଅତ୍ୟନ୍ତ ଶକ୍ତିଶାଳୀ ହେବା ପରେ ଟଙ୍କା ଦୁର୍ବଳ ହୋଇପଡ଼ିଛି। ତାହାକୁ ଯଥା ସମ୍ଭବ ସବଳ ରଖିବା ଲାଗି ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରୁ ମୁଦ୍ରା ବାହାର କରିବାକୁ ରିଜର୍ଭ ବ୍ୟାଙ୍କ ବାଧ୍ୟ ହେଉଛି। ଯୁଦ୍ଧ ପରେ ମୁଦ୍ରା ଭଣ୍ଡାରରୁ ୮୦୦୦ କୋଟି ଡଲାର ବାହାର କରାଯାଇସାରିଲାଣି। ଏବେ ଯେତିକି ମୁଦ୍ରା ରହିଛି ତାହା ଦୁଇ ବର୍ଷରେ ସବୁଠୁ କମ୍। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ, ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ଏବେ ୫୫,୦୮୭ କୋଟି ଡଲାରର ବିଦେଶୀ ମୁଦ୍ରା ରହିଛି। ଯାହା ଗତ ଦୁଇ ବର୍ଷ ଭିତରେ ସବୁଠୁ କମ୍। ଏହା ପୂର୍ବରୁ ଭଣ୍ଡାରରେ ହାରାହାରି ଭାବେ ୬୦,୦୦୦ କୋଟି ଡଲାରରୁ ଅଧିକ ମୁଦ୍ରା ରହୁଥିଲା। ସେହି ସମୟରେ ୨୯ ସପ୍ତାହର ଆମଦାନି ଆବଶ୍ୟକତା ପୂରଣ କରିପାରିବା ଭଳି ବିଦେଶୀ ମୁଦ୍ରା ଭଣ୍ଡାରରେ ଥିଲା। ଏବେ ଯେତିକି ମୁଦ୍ରା ରହିଛି ତାହା ୨୩ ସପ୍ତାହର ଆମଦାନି ଆବଶ୍ୟକତା ପୂରଣ କରିପାରିବ।

ରୁଷ୍‌-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର କିଛି ମାସ ପୂର୍ବରୁ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ୭୪ ଟଙ୍କା ଥିଲା। ଅର୍ଥାତ ଗୋଟିଏ ଆମେରିକୀୟ ଡଲାର କିଣିବା ଲାଗି ୭୪ ଟଙ୍କା ଗଣିବାକୁ ପଡ଼ୁଥିଲା। ଯୁଦ୍ଧ ପରେ ଟଙ୍କା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଲା ଓ ଏକ ସମୟରେ ତାହା ୮୦ ଟଙ୍କା ସ୍ତରକୁ ହ୍ରାସ ପାଇଥିଲା। ଏହା ଆମଦାନିକାରୀ, ବିଦେଶରେ ପିଲାଙ୍କୁ ପାଠପଢ଼ାଉଥିବା ଅଭିଭାବକ, ବିଦେଶ ଭ୍ରମଣକାରୀଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ସ୍ଥିତିକୁ ଆହୁରି ବିଗାଡ଼ିଥିଲା ଦରଦାମ୍ ସ୍ଥିତି। ତାହା ଉପରେ ଲଗାମ ଲଗାଇବା ଲାଗି ଆମେରିକାର ଫେଡେରାଲ୍ ରିଜର୍ଭ (ଭାରତର ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥା) ସୁଧ ବଢ଼ାଇବା ପରେ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ଭାରତ ଭଳି ବିକାଶଶୀଳ ଦେଶର ଷ୍ଟକ ବଜାରରୁ ନିବେଶକମାନେ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରିଥିଲେ। ଗୋଟିଏ ପଟେ ଡଲାର ତୁଳନାରେ ଟଙ୍କାକୁ ସବଳ ରଖିବା ଲାଗି ଗଚ୍ଛିତ ଭଣ୍ଡାରରୁ ଡଲାର ବାହାର କରାଯାଉଥିବା ବେଳେ ଅନ୍ୟ ପକ୍ଷେ ନୂତନ ବିଦେଶୀ ମୁଦ୍ରା ଆସିବା ବନ୍ଦ ମଧ୍ୟ ହୋଇଯାଇଥିଲା। କେବଳ ରପ୍ତାନି ଜରିଆରେ ଯାହା କିଛି ବିଦେଶୀ ମୁଦ୍ରା ଆସୁଥିଲା। ମାତ୍ର ଆମଦାନି ତୁଳନାରେ ରପ୍ତାନିର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ‌ଆମଦାନି ପାଇଁ ଅଧିକ ବିଦେଶୀ ମୁଦ୍ରା ଗଣିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର