ଜିଡିପି ଅଭିବୃଦ୍ଧି ୭% ଟପିବ: ଶକ୍ତିକାନ୍ତ

ସୁଧ ବଦଳାଇବା ନିଷ୍ପତ୍ତି ମୋ ହାତରେ ନାହିଁ, ଦରଦାମ୍ ବିରୋଧ ଲଢ଼େଇ ଶେଷ ହୋଇନି

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଶା ପ୍ରକଟ କରିଛନ୍ତି ଅଭିବୃଦ୍ଧି ୭ ପ୍ରତିଶତରୁ ଅଧିକ ରହିବ। ସିଆଇଆଇର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଯଦି ଅଭିବୃଦ୍ଧି ୭ ପ୍ରତିଶତରୁ ଅଧିକ ହେବ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। ସେହିପରି, ମୁଦ୍ରାସ୍ଫୀତି ସମ୍ପର୍କରେ ସେ କହିଛନ୍ତି ଯେ ଦରଦାମ୍ ବିରୋଧରେ ଲଢ଼େଇ ଶେଷ ହୋଇନାହିଁ। ଆମେ ସତର୍କ ରହିଛୁ। ଏଲ୍‌-ନିନୋର ପ୍ରଭାବ ରହିବ ବୋଲି କୁହାଯାଉଥିବାରୁ ସନ୍ତୁଷ୍ଟ ହୋଇ ଆମେ ବସିଯିବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ସୁଧ ବଦଳାଇବା ନିଷ୍ପତ୍ତି ମୋ ହାତରେ ନାହିଁ
ଦରଦାମ୍ ବିରୋଧ ଲଢ଼େଇ ଶେଷ ହୋଇନି
୨୦୦୦ ଟଙ୍କିଆ ପାଇଁ ବ୍ୟାଙ୍କରେ ଭିଡ଼ ନାହିଁ

ଏଥି ସହିତ ସେ ସଷ୍ଟ କରିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ସୁଧକୁ ନେଇ ଯେଉଁ ନିଷ୍ପତ୍ତି ନେଉଛି ତାହା ତାଙ୍କ ହାତରେ ନାହିଁ। ସେ କହିଛନ୍ତି ଯେ ମୋ ହାତରେ କିଛି ନାହିଁ। ସ୍ଥିତି ପରେ ସବୁ କିଛି ନିର୍ଭର କରୁଛି। ସ୍ଥିତି ଯାହା ରହିଥିବ ସେହି ଅନୁସାରେ ଆମକୁ ନିଷ୍ପତ୍ତି ନେବାକୁ ପଡ଼ୁଛି। ୨୦୦୦ ଟଙ୍କିଆ ନୋଟ୍‌ ସମ୍ପର୍କରେ ସେ କହିଛନ୍ତି ଯେ ଏହି ନୋଟ୍ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପୂର୍ବରୁ ଏକ ସର୍ବେକ୍ଷଣ କରାଯାଇଥିଲା। ତାହା କାରବାର ବେଳେ ଆଦୌଁ ବ୍ୟବହାର ହେଉନଥିବା ସେଥିରୁ ଜଣାପଡ଼ିଥିଲା। ସେହି ଅନୁସାରେ ନୋଟ୍‌ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେ କହିଛନ୍ତି ଯେ ଏହି ନୋଟ୍‌କୁ ବଦଳଇବା ଲାଗି ବ୍ୟାଙ୍କରେ ଭିଡ଼ ଦେଖିବାକୁ ମିଳୁନାହିଁ। ତଥାପି ସ୍ଥିତି ଉପରେ ରିଜର୍ଭ ବ୍ୟାଙ୍କ ନଜର ରଖିଛି ଓ ସବୁ କିଛିକୁ ନିରୀକ୍ଷଣ କରୁଛି। ଗତକାଲି ବ୍ୟାଙ୍କରେ ଭିଡ଼ ନଥିଲା। ୨୦୦୦ ଟଙ୍କିଆକୁ ନେଇ ବିଶେଷ କିଛି ସମସ୍ୟା ଦେଖାଦେବନି ବୋଲି ସେ ଭାବୁଛନ୍ତି। ସବୁ କିଛି ସ୍ବାଭାବିକ ଥିବା ଶକ୍ତିକାନ୍ତ କହିଛନ୍ତି। ୨୦୦୦ ଟଙ୍କିଆ ବଦଳାଇବା ଲାଗି ଦିଆଯାଇଥିବା ୪ ମାସର ସମୟ ଠିକ୍ ନିଷ୍ପତ୍ତି ବୋଲି ସେ କହିଛନ୍ତି। ସମୟ ସୀମା ଧାର୍ଯ୍ୟ କରାନଗଲେ କୌଣସି ପ୍ରକ୍ରିୟା ପ୍ରଭାବଶାଳୀ ହେବ ନାହିଁ। ଆପଣମାନେ ସମୟ ଚାହୁଥିଲେ। ଆମେ ଯଥେଷ୍ଟ ସମୟ ଦେଇଛି। ବିନା ବିଭ୍ରାଟରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର