୨୦୨୦ରେ ସୁନାଦର ୪୫ ହଜାର ଟଙ୍କା ଟପିବା ସମ୍ଭାବନା

ନୂଆଦିଲ୍ଲୀ : ଆଉ ଗୋଟିଏ ଦିନ ପରେ ୨୦୧୯ ସମାପ୍ତ ହୋଇଯିବ ଓ ଆରମ୍ଭ ହେବ ନୂଆବର୍ଷ ୨୦୨୦ । ନୂଆ ବର୍ଷରେ ସୁନାଦର ୪୫ ହଜାର ଟଙ୍କା ଟପିବା ସମ୍ଭାବନା ରହିଛି ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି । କମୋଡିଟି ଟ୍ରେଂଜର ଗବେଷଣା ନିର୍ଦ୍ଦେଶକ ଜ୍ଞାନଶେଖର ତ୍ୟାଗରାଜନ କହିଛନ୍ତି ଯେ ନୂଆ ବର୍ଷରେ ମଧ୍ୟ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଅସ୍ଥିରତା ଅବ୍ୟାହତ ରହିବ । ଚୀନ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜାରି ରହିବ । ଏହା ଫଳରେ ନିବେଶକମାନେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମନେକରିବେ । ଏହା ଫଳରେ ବିଶ୍ୱବଜାରରେ ସୁନାଦର ବୃଦ୍ଧି ଅବ୍ୟାହତ ରହିବ । କେବଳ ସୁନା ନୁହେଁ, ରୁପାଦର ମଧ୍ୟ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

୨୦୧୯ରେ ସୁନା ଦରରେ ଉଲ୍ଲେଖନୀୟ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ୨୦୧୮ ଡିସେମ୍ବରରେ ସୁନାଦର ୧୦ ଗ୍ରାମ ପିଛା ୩୦,୮୩୦ ଟଙ୍କା ଥିବାବେଳେ ଚଳିତ ମାସରେ ଏହା ୩୯,୮୮୨ ଟଙ୍କାକୁ ବୃଦ୍ଧି ପାଇଛି । ୨୦୨୦ରେ ମଧ୍ୟ ଏହି ଧାରା ଅବ୍ୟାହତ ରହିବ ଓ ବର୍ଷ ଶେଷ ବେଳକୁ ଏହା ୪୫ ହଜାର ଟପିଯାଇଥିବ ।

ବିଶ୍ୱ ସ୍ୱର୍ଣ୍ଣ ପରିଷଦର ଏକ ରିପୋର୍ଟ ଅନୁସାରେ, ଭାରତର ରିଜର୍ଭ ବ୍ୟାଙ୍କ ସମେତ ସାରା ବିଶ୍ୱର ୧୪ଟି କେନ୍ଦ୍ରୀୟ ବ୍ୟାଙ୍କ ୨୦୧୯ରେ ନିଜର ସୁନା ଭଣ୍ଡାରକୁ ଆହୁରି ବୃଦ୍ଧି କରିଛନ୍ତି ।

ସମ୍ବନ୍ଧିତ ଖବର