ସରକାର-ରିଜର୍ଭ ବ୍ୟାଙ୍କ ବିବାଦ: ରିଜର୍ଭ ବ୍ୟାଙ୍କ ଭଣ୍ଡାର ଉପରେ ଆଖି!

ନୂଆଦିଲ୍ଲୀ: ସରକାର ଓ ରିଜର୍ଭ ବ୍ୟାଙ୍କ ବିବାଦକୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ରିଜର୍ଭ ବ୍ୟାଙ୍କ ପାଖରେ ଥିବା ପାଣ୍ଠିର ବିପୁଳ ଭଣ୍ଡାର ଉପରେ ସରକାର ନଜର ପକାଇଥିବା ଚର୍ଚ୍ଚା ହେଉଛି। ରିଜର୍ଭ ବ୍ୟାଙ୍କ ପାଖରେ ୯.୫୯ ଲକ୍ଷ କୋଟି ଟଙ୍କାର ପାଣ୍ଠି ରହିଛି। ସେଥିରୁ ୩.୬ ଲକ୍ଷ କୋଟି ଟଙ୍କା ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଉପରେ ସରକାର ଚାପ ପକାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚାକୁ ସରକାର ଅପପ୍ରଚାର ବୋଲି କହିଛନ୍ତି। ଆଜି ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଗର୍ଗ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କକୁ ସରକାର ୩.୬ ଲକ୍ଷ କୋଟି ଟଙ୍କା କିମ୍ବା ୧ ଲକ୍ଷ କୋଟି ଟଙ୍କା ମାଗିନାହାନ୍ତି। ଗଣମାଧ୍ୟମରେ ଅନେକ କଳ୍ପନାଜଳ୍ପନା ଭିତ୍ତିକ ଅପପ୍ରଚାର ଚାଲିଛି। ‌‌ସେଥିରେ କୌଣସି ସତ୍ୟତା ନାହିଁ। ରିଜର୍ଭ ବ୍ୟାଙ୍କ ଠାରୁ ଟଙ୍କା ମାଗିବାର କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ ବୋଲି ସେ ଟୁଇଟ୍ କରି ଜଣାଇଛନ୍ତି। ଟୁଇଟ୍‌ରେ ସେ ଏହା ସ୍ପଷ୍ଟ କରିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ସହିତ କେବଳ ଅର୍ଥନୈତିକ ପୁଞ୍ଜି ଫ୍ରେମ୍‌ୱର୍କକୁ ନେଇ ଆଲୋଚନା ଚାଲିଛି। ଏହାର ଅର୍ଥ ହେଉଛି ଅର୍ଥନୀତି ପ୍ରତି ରହିଥିବା ବିଭିନ୍ନ ପ୍ରକାର ବିପଦଗୁଡ଼ିକୁ ବିଚାରକୁ ନେଇ କେତେ ଟଙ୍କା ରିଜର୍ଭ ବ୍ୟାଙ୍କ ପାଖରେ ରହିବା ଦରକାର ତାହା ଜାଣିବା। ସରକାରଙ୍କ ପାଇଁ ପାଣ୍ଠିର କୌଣସି ଅଭାବ ନାହିଁ। ସରକାରଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିଛି ବୋଲି ଗର୍ଗ ଜଣାଇଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି ଯେ ୨୦୧୩-୧୪ ବେଳକୁ ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ୫.୧% ଭଳି ସ୍ତରରେ ରହିଥିଲା। ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପରେ ସେଥିରେ ହ୍ରାସ ଘଟିଛି।

ରିଜର୍ଭ ବ୍ୟାଙ୍କ ପାଖରେ ଅଛି ୯.୫୯ ଲକ୍ଷ କୋଟି
ସରକାର ମାଗୁଛନ୍ତି ୩.୬ ଲକ୍ଷ କୋଟି: ରାହୁଲ
ଟଙ୍କା ମାଗିବା କଥାକୁ ସରକାରଙ୍କ ଅସ୍ବୀକାର

ଚଳିତ ଆର୍ଥିକ ବର୍ଷରେ ଦେଶର ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୩% ମଧ୍ୟରେ ରଖିବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ହାସଲ କରିବାରେ ସରକାର ସଫଳ ହେବେ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ ଜଣାଇଛନ୍ତି ଯେ, ଖୋଲା ବଜାରରୁ ଯେତିକି ପରିମାଣର ଋଣ ହାସଲ କରିବା ପାଇଁ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତା’ଠାରୁ ୭୦ ହଜାର କୋଟି ଟଙ୍କା କମ୍ ଋଣ କରିବେ ବୋଲି ସରକାର ଆଗୁଆ ଘୋଷଣା କରିସାରିଛନ୍ତି। ନଭେମ୍ବର ୫ ତାରିଖରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ୍ କରି ମୋଦୀ ସରକାରଙ୍କ ଆର୍ଥିକ ନୀତିର କଟାକ୍ଷ କରିଥିଲେ। ମୋଦୀଙ୍କ ଯୋଗୁ ଅର୍ଥନୀତିର ଯେଉଁ ଦୁର୍ଗତି ହୋଇଛି ତାହାକୁ ଠିକ୍ କରିବା ପାଇଁ ରିଜର୍ଭ ବ୍ୟାଙ୍କକୁ ସରକାର ୩.୬ ଲକ୍ଷ କୋଟି ଟଙ୍କା ମାଗିଛନ୍ତି ବୋଲି ରାହୁଲ ଦାବି କରିଥିଲେ। ଗତ ଗୁରୁବାର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ ଅଭିଯୋଗ କରିଥିଲେ ଯେ ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ରିଜର୍ଭ ବ୍ୟାଙ୍କ ଉପରେ କବ୍‌ଜା କରିବାକୁ ସରକାର ଚାହୁଁଛନ୍ତି। ସରକାର ବିତ୍ତୀୟ ନିଅଣ୍ଟ ସଙ୍କଟରେ ଫସିଯାଇଛନ୍ତି। ନିର୍ବାଚନୀ ବର୍ଷରେ ଖର୍ଚ ବଢ଼ାଇବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କ ପାଇଁ ସବୁ ବାଟ ବନ୍ଦ ହୋଇଯାଇଛି। ବ୍ୟତିବ୍ୟସ୍ତ ହୋଇ ସରକାର ରିଜର୍ଭ ବ୍ୟାଙ୍କ ଠାରୁ ୧ ଲକ୍ଷ କୋଟି ଟଙ୍କା ମାଗିଥିବା ଚିଦମ୍ବରମ୍ କହିଥିଲେ। ୨୦୧୬-୧୭ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ୍ ପ୍ରସ୍ତାବ ଦେଇଥିଲେ ଯେ, ରିଜର୍ଭ ବ୍ୟାଙ୍କ ପାଖରେ ବିପୁଳ ପରିମାଣର ପୁଞ୍ଜି ରହିଛି। ସେଥି ମଧ୍ୟରୁ ଯଦି ୪ ଲକ୍ଷ କୋଟି ଟଙ୍କା ସରକାରଙ୍କ ଖାତାକୁ ସ୍ଥାନାନ୍ତର କରାଯାଆନ୍ତା ତେବେ ସେହି ଟଙ୍କାକୁ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବାରେ ବ୍ୟବହାର କରାଯାଇପାରନ୍ତା। ମାତ୍ର ସେହି ପ୍ରସ୍ତାବ ଉପରେ ଆଉ କୌଣସି ଆଲୋଚନା ହୋଇନଥିଲା। କିଛି ସପ୍ତାହ ହେଲାଣି ସରକାର ଓ ରିଜର୍ଭ ବ୍ୟାଙ୍କ ଭିତରେ ସମ୍ପର୍କ ଭଲ ନାହିଁ। ଡଜନେରୁ ଅଧିକ ବିଷୟକୁ ନେଇ ଉଭୟ ପକ୍ଷ ମଧ୍ୟରେ ମତଭେଦ ରହିଛି। ଚଳିତ ମାସ ୧୯‌ ତାରିଖରେ ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ଅନୁଷ୍ଠିତ ହେବ। ସେହି ବୈଠକ ବେଶ ଗରମାଗରମ ହେବ ବୋଲି ଏବେଠାରୁ ଚର୍ଚା ହେଉଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ଉପରେ ଚାପ ରହିବ। ସରକାର ଅନେକ ପ୍ରସ୍ତାବ ଆଲୋଚନା ପାଇଁ ଟେବୁଲ୍ ଉପରେ ରଖିବେ ଯାହାକୁ ଗ୍ରହଣ କରିବା ରିଜର୍ଭ ବ୍ୟାଙ୍କ ପାଇଁ ସହଜ ହୋଇନପାରେ। ଉର୍ଜିତଙ୍କୁ ଚାପରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କର ଧାରା ୭ ଲାଗୁ କରିବାକୁ ସରକାର ଧମକ ଦେଇଛନ୍ତି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ସାରା ବିଶ୍ବରେ ପ୍ରଚଳନରେ ଥିବା ଏକ ସ୍ବଚ୍ଛ ପୁଞ୍ଜି ଭଣ୍ଡାର ନୀତି ଭାରତରେ ରହିବା ଦରକାର। ବିଶ୍ବର ଅନେକ କେନ୍ଦ୍ରୀୟ ବ୍ୟାଙ୍କ ପୁଞ୍ଜି ଆବଶ୍ୟକତାକୁ ୧୪%ରେ ରଖିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ତାହାକୁ ୨୭% ସ୍ତରରେ ରଖିଛି। ଯଦି ରିଜର୍ଭ ବ୍ୟାଙ୍କ ଏହି ଆବଶ୍ୟକତାକୁ ୧୪% ସ୍ତରକୁ ଖସାଇ ଦେବ ତେବେ ୩.୬ ଲକ୍ଷ କୋଟି ଟଙ୍କାର ପାଣ୍ଠି ବାହାରିପାରିବ ଯାହାକୁ ବିଭିନ୍ନ ପ୍ରକାର କଲ୍ୟାଣମୂଳକ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ସେହି ଟଙ୍କା ପଡ଼ି ରହିବା ଅପେକ୍ଷା ଜନ କଲ୍ୟାଣ କାମରେ ବ୍ୟବହାର ହେଲେ ଅଧିକ ଭଲ ହେବ ବୋଲି ସେ କହିଥିଲେ। ଲାଭାଂଶକୁ ନେଇ ମଧ୍ୟ ରିଜର୍ଭ ବ୍ୟାଙ୍କ ଉପରେ ସରକାର କ୍ଷୁବ୍ଧ ଅଛନ୍ତି। ଗତବର୍ଷ ରିଜର୍ଭ ବ୍ୟାଙ୍କ ୬୫,୮୭୬ କୋଟି ଟଙ୍କାର ଲାଭାଂଶ ଦେଇଥିଲା। ଚଳିତ ବର୍ଷ ତାହାର ଅଧା ଅର୍ଥାତ ୩୦.୬୫୯ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର