ଭାରତରୁ ବିଦାୟ ନେବ ଚାଇନିଜ୍ ସ୍ମାର୍ଟଫୋନ କମ୍ପାନି ଅନର୍

ନୂଆଦିଲ୍ଲୀ : ଚୀନର ଟେଲିକମ କମ୍ପାନି ହୁଆଏଇର ପୂର୍ବତନ ସ୍ମାର୍ଟଫୋନ ବ୍ରାଣ୍ଡ୍ ଅନର୍ ଭାରତରୁ ବିଦାୟ ନେବ । ଏ ସଂପର୍କରେ ଚୀନ ଗଣମାଧ୍ୟମ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଛି ।

ଚୀନର ସହର ସେନଜେନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅନରର ସିଇଓ ଝାଓ ମିଙ୍ଗ୍ କହିଛନ୍ତି ଯେ ‘କେତେକ ନିର୍ଦ୍ଦଷ୍ଟ’ କାରଣ ପାଇଁ ତାଙ୍କ କମ୍ପାନି ଭାରତ ଛାଡ଼ିବ । ତେବେ ସ୍ଥାନୀୟ ପାର୍ଟନରମାନଙ୍କ ମାଧ୍ୟମରେ କମ୍ପାନିର ବ୍ୟବସାୟ ଭାରତରେ ଜାରି ରହିବ ।

କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ କମ୍ପାନି ଭାରତ ଛାଡ଼ୁଛି ସେ ସମ୍ପର୍କରେ ଝାଓ କିଛି କହି ନ ଥିଲେ ବି ନିକଟରେ ଭାରତ ସରକାରଙ୍କ ଆୟକର ବିଭାଗ ଓ ଇଡି ପକ୍ଷରୁ ବିଭିନ୍ନ ଚାଇନିଜ୍ ମୋବାଇଲ କମ୍ପାନିଙ୍କ ଉପରେ କରାଯାଉଥିବା ଚଢଉ ଏହାର କାରଣ ହୋଇଥାଇପାରେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ହୁଆଏଇ ଉପରେ ଆମେରିକାର କଟକଣା ଯୋଗୁଁ ହନର ମୋବାଇଲର ବ୍ୟବସାୟ ବୁଡ଼ିଯାଇଥିଲା । ଅନରକୁ ଗୁଗୁଲ ଆଣ୍ଡ୍ରଏଡ୍ ସର୍ଭିସ ଓ ଆଉ କେତେକ ଗୁଗୁଲ ସେବା ପ୍ରଦାନ ଉପରେ ଆମେରିକା ନିଷେଧାଜ୍ଞା ଲଗାଇବା ପରେ ଅନର ସ୍ମାର୍ଟଫୋନର ବିକ୍ରି ଆଶାତୀତ ଭାବେ ହ୍ରାସ ପାଇଥିଲା ଓ କମ୍ପାନି ଦେବାଳିଆ ହୋଇଯାଇଥିଲା । ଏହା ପରେ ହୁଆଏଇ ନିଜର ସ୍ମାର୍ଟଫୋନ ବ୍ରାଣ୍ଡ ଅନରକୁ ବିକ୍ରି କରିଦେଇଥିଲା । ସେନଜେନ ସରକାର ଓ ଡିଜିଟାଲ ଚାଇନା ଓ ଆଉ କେତେକ କମ୍ପାନିଙ୍କୁ ନେଇ ଗଠିତ ସନସୋର୍ଟିଅମ ଏହାକୁ କିଣିଥିଲା ।

ସମ୍ବନ୍ଧିତ ଖବର