ଚିନ୍ତା ପ୍ରକଟ କଲା ଆଇଏମ୍ଏଫ୍‌, ସାମର୍ଥ୍ୟ ଅନୁଯାୟୀ ଆଗକୁ ବଢ଼ୁନି ଭାରତ

ୱାସିଂଟନ: ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଚିନ୍ତାବ୍ୟକ୍ତ କରିଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆଶାନୁରୂପ ଭାବେ ଆଗକୁ ବଢ଼ୁନାହିଁ। ଅର୍ଥନୈତିକ ଅଭିବୃଦ୍ଧି ଆଗକୁ ନବଢ଼ିବାରେ ମଧ୍ୟ କେତୋଟି କାରଣ ରହିଛି। ତାହା ହେଲା କର୍ପୋରେଟ୍ ଏବଂ ପରିବେଶ ନିୟାମକ ବ୍ୟବସ୍ଥାରେ ରହିଥିବା ଅନିଶ୍ଚିତତା ଏବଂ କେତେକ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନର ଆର୍ଥିକ ସ୍ଥିତିରେ ଦୀର୍ଘଦିନ ଧରି ସୁଧାର ନଆସିବା ବୋଲି ଆଇଏମ୍‌ଏଫ୍ କହିଛି।

ଭାରତର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୫ ପ୍ରତିଶତକୁ ହ୍ରାସ ପାଇଛି। ଗତ ୬ ବର୍ଷରୁ ଊର୍ଧ୍ବ ସମୟ ମଧ୍ୟରେ ଏହି ଅଭିବୃଦ୍ଧି ସର୍ବନିମ୍ନ ବୋଲି ନିକଟରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରେ କୁହାଯାଇଥିଲା। ସେହିଭଳି ଗତ ଜୁଲାଇରେ ଆଇଏମ୍‌ଏଫ୍‌ ଭାରତର ଅଭିବୃଦ୍ଧି ନେଇ ନୂଆ ଆକଳନ ପ୍ରକାଶ କରିଥିଲା। ଏପ୍ରିଲରେ କରିଥିବା ଆକଳନ ତୁଳନାରେ ଜୁଲାଇ ଆକଳନରେ ଭାରତର ଅଭିବୃଦ୍ଧି ୨୦୧୯ ଏବଂ ୨୦୨୦ ବର୍ଷ ପାଇଁ ୦.୩ ପ୍ରତିଶତ କମ୍ ରହିବ ବୋଲି କହିଥିଲା। ଜୁଲାଇ ଆକଳନ ଅନୁଯାୟୀ, ୨୦୧୯ରେ ଭାରତର ଅଭିବୃଦ୍ଧି ୭ ପ୍ରତିଶଥ ଏବଂ ୨୦୨୦ର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ। ଫଳରେ ଆଶାଠାରୁ ଅଭିବୃଦ୍ଧି କମ୍ ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନରେ ପ୍ରତିଫଳିତ ହୋଇଥିଲା। ତେବେ ଭାରତ ପାଇଁ ଆଶ୍ବାସନାର ବିଷୟ ହେଲା ପ୍ରମୁଖ ଅର୍ଥନୀତି ଗୁଡ଼ିକ ମଧ୍ୟରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ସବୁଠୁ ଅଧିକ ରହିବ। ଚୀନ୍‌ଠାରୁ ଭାରତର ଅଭିବୃଦ୍ଧି ଯଥେଷ୍ଟ ଅଧିକ ରହିବ ବୋଲି ଆଇଏମ୍‌ଏଫ୍‌ କହିଛି। କିନ୍ତୁ ପୂର୍ବରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୯ର ପ୍ରଥମ ଦୁଇଟି ତ୍ରୟମାସରେ ଭାରତକୁ ଚୀନ୍ ପଛରେ ପକାଇ ଦେଇଛି। ୨୦୧୯ର ପ୍ରଥମ ତ୍ରୟମାସରେ ଚୀନର ଅଭିବୃଦ୍ଧି ୬.୪ ପ୍ରତିଶତ ଏବଂ ଦ୍ବିତୀୟ ତ୍ରୟମାସରେ ୬.୨ ପ୍ରତିଶତ ରହିଛି।

ଭାରତର ସାମ୍ପ୍ରତିକ ଜିଡିପି ସଂଖ୍ୟା ଉପରେ ପ୍ରଶ୍ନ ହେବାରୁ ଆଇଏମ୍‌ଏଫ୍ ପ୍ରବକ୍ତା ଗେରି ରାଇସ୍ କହିଛନ୍ତି, ଆଇଏମ୍‌ଏଫ୍ ଭାରତର ଅର୍ଥନୈତିକ ପରିସ୍ଥିତି ଉପରେ ନଜର ରଖିବ। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୫ ପ୍ରତିଶତକୁ କମିବାର ଦୁଇଟି ମୁଖ୍ୟ କାରଣ ରହିଛି। ତାହା ହେଲା କୃଷି ଏବଂ ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ନୈରାଶ୍ୟକନକ ରିହଛି। କୃଷି ଅଭିବୃଦ୍ଧି ମାତ୍ର ୨ ପ୍ରତିଶତ ରହିଥିବାବେଳେ ମାନୁଫାକ୍‌ଚରିଂ କ୍ଷେତ୍ରର ଅଭିବୃଦ୍ଧି ୦.୬ ପ୍ରତିଶତ ରହିଛି। ୨୦୧୮-୧୯ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଭାରତର ଜିଡିପି ଅଭିବୃଦ୍ଧି ୮ ପ୍ରତିଶତ ରହିଥିଲା। ୨୦୧୧-୧୨ର ସ୍ଥିର ମୂଲ୍ୟରେ ଭାରତର ଜିଡିପି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୩୫.୮୫ ଲକ୍ଷ କୋଟି ଟଙ୍କା ରହିଛି, ଯାହାକି ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୩୪.୧୪ ଲକ୍ଷ କୋଟି ଟଙ୍କା ରହିଥିଲା।

ସମ୍ବନ୍ଧିତ ଖବର