ଜିଏସ୍‌ଟି କ୍ଷତିପୂରଣ ରାଶି ବଢ଼ିବ: କ୍ଷତି ଅନୁଧ୍ୟାନ କରିବ ନୂଆ କମିଟି କମିଟିରେ ଓଡ଼ିଶାର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ୨୦୧୭ ଜୁଲାଇ ପହିଲାରୁ ନୂଆ ପରୋକ୍ଷ ଟିକସ ବ୍ୟବସ୍ଥା (ସାମଗ୍ରୀ ଓ ସେବା ଟିକସ) କାର୍ଯ୍ୟକାରୀ ହେଉଛି। ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବା ପରେ ରାଜ୍ୟଗୁଡ଼ିକର ଟିକସ ରାଜସ୍ବ କମିବାରେ ଲାଗିଛି। ରାଜ୍ୟଗୁଡ଼ିକର ଜିଏସ୍‌ଟି ହ୍ରାସକୁ ଅନୁଧ୍ୟାନ କରିବା ଲାଗି ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ୭ ଜଣିଆ କମିଟି ଗଠନ ହୋଇଛି। ରାଜ୍ୟଗୁଡ଼ିକର ରାଜସ୍ବ ନିଅଣ୍ଟ କେତେ ରହୁଛି ତାହାର ଅନୁଧ୍ୟାନ ଏହି କମିଟି କରିବ। ଏଥିସହିତ ରାଜସ୍ବ ଆଦାୟ ବୃଦ୍ଧି ପାଇଁ କି ପଦକ୍ଷେପ ନିଆଯିବ ସେ ନେଇ କମିଟି ପ୍ରସ୍ତାବ ଦେବ। ଜିଏସ୍‌ଟି ପରିଷଦ ପକ୍ଷରୁ କମିଟି ଗଠନ ସମ୍ପର୍କରେ ଜାରି ବିଜ୍ଞପ୍ତିରେ ଏହା କୁହାଯାଇଛି।

ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଗଠିତ ଜିଏସଟି ପରିଷଦ ଗତମାସ ୨୨ ତାରିଖରେ ଏ ନେଇ ଏକ ମନ୍ତ୍ରୀଗୋଷ୍ଠୀ ଗଠନ ଲାଗି ନିଷ୍ପତ୍ତି ନେଇଥିଲା। ରାଜ୍ୟ ଗୁଡ଼ିକର ରାଜସ୍ବ ଆଦାୟ କମିବା ଏବଂ ନିଅଣ୍ଟିଆ ରହିବାର କାରଣ କ’ଣ ତାହାକୁ ଏହି କମିଟି ଖୋଜିବ। ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ଓଡ଼ିଶା ସମେତ ପଞ୍ଜାବ, ହିମାଚଳ ପ୍ରଦେଶ, ଛତିଶଗଡ଼, ଉତ୍ତରାଖଣ୍ଡ, ଜମ୍ମୁ କଶ୍ମୀର, ଗୋଆ, ବିହାର, ଗୁଜରାଟ ଏବଂ ଦିଳ୍ଲୀ ଆଦି ରାଜ୍ୟର ରାଜସ୍ବ ଆଦାୟ ହ୍ରାସ ପାଇଛି। ଚଳିତ ଆର୍ଥିକବର୍ଷର ଏପ୍ରିଲ-ନଭେମ୍ବର ସମୟ ମଧ୍ୟରେ ଏହି ରାଜ୍ୟ ଗୁଡ଼ିକର ରାଜସ୍ବ ନିଅଣ୍ଟ ୧୪ରୁ ୩୭% ମଧ୍ୟରେ ରହିଛି। କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ମଧ୍ୟରେ ପୁଡ଼ୁଚେରିରେ ସର୍ବାଧିକ ୪୩ ପ୍ରତିଶତ ରାଜସ୍ବ ନିଅଣ୍ଟ ଦେଖାଦେଇଛି। ସୁଶୀଲ ମୋଦୀଙ୍କ ଅଧ୍ୟକ୍ଷତାରେ ଯେଉଁ ମନ୍ତ୍ରୀଗୋଷ୍ଠୀ କମିଟି ଗଠନ ହୋଇଛି ତାହାକୁ କେତୋଟି ନିର୍ଦ୍ଦେଶନାମା ଜିଏସ୍‌ଟି ପରିଷଦ ପକ୍ଷରୁ ଦିଆଯାଇଛି। ଏହି କମିଟି ଇକୋନୋ‌ମେଟ୍ରିକ ସମେତ ପରିସଂଖ୍ୟାନର ସାଧନକୁ ଉପଯୋଗ କରି ତଥ୍ୟ ବିଶ୍ଳେଷଣ କରିବ। ଏଥିସହିତ ଏଥିପାଇଁ ଆବଶ୍ୟକ ଉପଯୁକ୍ତ ପଦକ୍ଷେପ କ’ଣ ନିଆଯିବ ସେ ନେଇ ପରାମର୍ଶ ଦେବ। ଏଥିସହିତ ଜିଏସଟି ଲାଗୁ ହେବା ପୂର୍ବରୁ ଏବଂ ଲାଗୁ ହେବା ପରେ ରାଜ୍ୟ ଗୁଡ଼ିକର ଟିକସ ରାଜସ୍ବ ଆଦାୟ ଧାରା କ’ଣ ରହିଛି ତାହାର ମଧ୍ୟ ବିଶ୍ଳେଷଣ କମିଟି କରିବ। ସେହିଭଳି ରାଜସ୍ବ ଆଦାୟକୁ ପ୍ରଭାବିତ କରୁଥିବା ପ୍ରମୁଖ କ୍ଷେତ୍ର ଗୁଡ଼ିକର ଢାଞ୍ଚା କ’ଣ ରହିଛି ତାହାକୁ ମଧ୍ୟ କମିଟି ଅନୁଧ୍ୟାନ କରିବ। ଏହି କମିଟିରେ ଓଡ଼ିଶା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସଦସ୍ୟ ରହିଛନ୍ତି। ଅନ୍ୟ ସଦସ୍ୟମାନେ ହେଲେ ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ, କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍, କର୍ଣ୍ଣାଟକ ଗ୍ରାମୀଣ ବିକାଶ ମନ୍ତ୍ରୀ କ୍ରିଷ୍ଣା ବାଇରି ଗୌଡ଼, ହରିଆଣାର ଟିକସ ମନ୍ତ୍ରୀ କ୍ୟାପଟେନ୍ ଅଭିମନ୍ୟୁ ଏବଂ ଗୋଆର ପଞ୍ଚାୟତିରାଜ ମନ୍ତ୍ରୀ ମୌଭିନ ଗୋଡ଼ିନୋ। ଜିଏସଟି ଲାଗୁ ହେବା ପରେ ଦେଶର ରାଜ୍ୟ ଗୁଡ଼ିକ ମଧ୍ୟରୁ କେବଳ ଆନ୍ଧ୍ର ପ୍ରଦେଶ ସମେତ ଉତ୍ତର ପୂର୍ବାଞ୍ଚଳର ୫ଟି ରାଜ୍ୟର ଟିକସ ରାଜସ୍ବରେ ବୃଦ୍ଧି ଘଟିଛି। ‌ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ନଭେମ୍ବର ଅବଧିରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୪୮,୨୦୨ କୋଟି ଟଙ୍କା ପ୍ରଦାନ କରିଛି, ଯାହାକି ଗତ ଆର୍ଥିକ ବର୍ଷରେ କେନ୍ଦ୍ର ପ୍ରଦାନ କରିଥିବା ୪୮,୧୭୮ କୋଟି ଟଙ୍କାଠାରୁ ଅଧିକ। ଜିଏସ୍‌ଟି ଆଇନ ଅନୁଯାୟୀ, ରାଜ୍ୟଗୁଡ଼ିକର ଟିକସ ରାଜସ୍ବ ଆଦାୟକୁ ୧୪ ପ୍ରତିଶତ ବୃଦ୍ଧି ହାରରେ କେନ୍ଦ୍ର ସୁରକ୍ଷା ଯୋଗାଇବ। ଏଥିପାଇଁ ୨୦୧୫-୧୬କୁ ଟିକସ ଆଦାୟର ମୂଳବର୍ଷ ଭାବେ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର