ସ୍ୱାସ୍ଥ୍ୟ, ଶିକ୍ଷା ଖର୍ଚରେ ଭାରତ ପଛୁଆ

ରିଜର୍ଭ ବ୍ୟାଙ୍କର ରିପୋର୍ଟ

ନୂଆଦିଲ୍ଲୀ: ସାମାଜିକ କ୍ଷେତ୍ର ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ବାବଦରେ ଭାରତ ଆବଶ୍ୟକ ପରିମାଣର ପାଣ୍ଠି ଖର୍ଚ କରୁନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌୍‌ବିଆଇ) ଜାରି କରିଥିବା ଏହାର ସଦ୍ୟତମ ରିପୋର୍ଟରେ ଏକଥା କହିଛି। ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରଗୁଡ଼ିକ ଭାରତଠାରୁ ଯଥେଷ୍ଟ ଅଧିକ ପାଣ୍ଠି ସାମାଜିକ କ୍ଷେତ୍ର ପାଇଁ ଖର୍ଚ କରୁଛନ୍ତି। ଆନ୍ତର୍ଜାତିକ ବଜାରରେ ତେଲ ଦରରେ ବୃଦ୍ଧି ହେବା ଓ ବିଭିନ୍ନ ପ୍ରକାର ନିଅଣ୍ଟ ଯୋଗୁଁ ସାମାଜିକ କ୍ଷେତ୍ରର ଖର୍ଚ ପରିମାଣ ବଢ଼ାଇବା ପାଇଁ ସରକାରଙ୍କ ପାଖରେ ବିଶେଷ ସୁଯୋଗ ମଧ୍ୟ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଏପ୍ରିଲ୍‌ ମାସ ପାଇଁ ଜାରି କରାଯାଇଥିବା ବୁଲେଟିନ୍‌ରେ ରିଜର୍ଭ ବ୍ୟାଙ୍କ ଜଣାଇଛି ଯେ ଭାରତର ସାମାଜିକ କ୍ଷେତ୍ର ଖର୍ଚ ଜିଡିପିର ୭.୫% ସ୍ତରରେ ରହିଛି। ୨୦୧୬ର ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

କୋରିଆ, ଲାଟ୍‌ଭିଆ, ଇସ୍ରାଏଲ୍‌, ଆୟର୍ଲ୍ୟାଣ୍ଡ୍‌, ଇଷ୍ଟୋନିଆ, ପୋଲାଣ୍ଡ୍‌, ହଙ୍ଗେରି, ସ୍ଲୋଭାନିଆ, ପର୍ତୁଗାଲ, ସ୍ପେନ୍‌, ଗ୍ରିସ୍‌, ଇଟାଲି ଓ ବେଲ୍‌ଜିୟମ ଭଳି ଦେଶ ସାମାଜିକ କ୍ଷେତ୍ରରେ ବିପୁଳ ପରିମାଣର ପାଣ୍ଠି ନିବେଶ କରୁଛନ୍ତି। ଏହି ସବୁ ଦେଶଗୁଡ଼ିକଠାରୁ ଭାରତ ଅନେକ ପଛରେ ରହିଛି। ବେଲ୍‌ଜିୟମ୍‌ ସାମାଜିକ କ୍ଷେତ୍ର ପାଇଁ କରୁଥିବା ଖର୍ଚର ପରିମାଣ ଜିଡିପିର ୨୯% ସହ ସମାନ। ଏଭଳି ଖର୍ଚ କରିବାରେ ବେଲ୍‌ଜିୟମ୍‌ ଶୀର୍ଷ ସ୍ଥାନରେ ରହିଛି। ଇଟାଲି ଜିଡିପିର ୨୮.୯% ଓ ଗ୍ରିସ୍‌ ୨୭% ଅର୍ଥ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଖର୍ଚ କରୁଛି। ଚଳିତ ବର୍ଷର ବଜେଟ୍‌ ଘୋଷଣା କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଗ୍ରାମାଞ୍ଚଳ ଓ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଭୋଟର୍‌ଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଏଭଳି ଘୋଷଣା କରାଯାଇଥାଇପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ଏବେ ଦେଶର ବିତ୍ତୀୟ ଶୃଙ୍ଖଳା ବିଗିଡ଼ିଯାଇଛି। ସରକାର ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୩% ମଧ୍ୟରେ ରଖିବାକୁ ଚାହୁଁଥିଲେ। ମାତ୍ର ଖର୍ଚ ପରିମାଣ ବଢ଼ିଯିବାରୁ ଏହା ୩.୫% ସ୍ତରରେ ପହଞ୍ଚିଯାଇଛି। ବିତ୍ତୀୟ ନିଅଣ୍ଟ ଉପରେ ଲଗାମ କଷିବାକୁ ହେଲେ ଖର୍ଚ ଉପରେ ନିୟନ୍ତ୍ରଣ ହାସଲ କରିବାକୁ ପଡ଼ିବ। ଏଭଳି ପରିସ୍ଥିତି ସରକାରଙ୍କୁ ସାମାଜିକ କ୍ଷେତ୍ରରେ ଖର୍ଚ ବଢ଼ାଇବା ବେଶ କଷ୍ଟକର ହେବ।

ସମ୍ବନ୍ଧିତ ଖବର