ସମଗ୍ର ଦେଶରେ ୫-ଜି ସେବା ପହଞ୍ଚିବାକୁ ଆହୁରି କିଛି ବର୍ଷ ଲାଗିଯିବ

ନୂଆଦିଲ୍ଲୀ : ଭାରତରେ ଅକ୍ଟୋବର ପ୍ରଥମ ସପ୍ତାହରେ ୫ଜି ଟେଲିକମ୍ ସେବା ଆରମ୍ଭ ହୋଇଯାଇଛି । ଏହା ପରେ ଉପଭୋକ୍ତାମାନେ ଏହି ହାଇସ୍ପିଡ୍ ଟେଲିକମ୍ ସେବା ପାଇବାକୁ ଚାହିଁ ବସିଛନ୍ତି । କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି ଯେ ୫ଜି ସେବା ପାଇବାକୁ ଉପଭୋକ୍ତାମାନଙ୍କୁ ଆଉ କିଛି ବର୍ଷ ଲାଗିଯାଇପାରେ । କାରଣ ଏତେ କମ ସମୟ ମଧ୍ୟରେ ଭାରତ ପରି ବିଶାଳ ଦେଶରେ ଏହି ସେବା ଲାଗୁ କରିବା ସହଜ କଥା ନୁହେଁ ।
ଭାରତରେ ଅଗଷ୍ଟ ମାସରେ ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ସେହି ମାସ ୧୮ ତାରିଖରେ ସ୍ପେକ୍ଟ୍ରମ ଆବଣ୍ଟନ ହୋଇଥିଲା । ଏହାର ମାତ୍ର ୬ ସପ୍ତାହ ପରେ ଅକ୍ଟୋବର ପ୍ରଥମ ସପ୍ତାହରେ ଅଳ୍ପ କିଛି ସହରରେ ୫ଜି ସେବା ଆରମ୍ଭ ହୋଇଥିଲା । ଏତେ କମ ସମୟ ମଧ୍ୟରେ ବିଦେଶରୁ ଟେଲିକମ ମେସିନ ଆମଦାନୀ କରି ତାହାକୁ କାର୍ୟ୍ୟକ୍ଷମ କରିବା ସହଜ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । କାରଣ ନେଟଓ୍ବାର୍କ ଉପକରଣ ଆମଦାନୀ କରି ତାହାର ଟେଷ୍ଟିଂ କରିବାକୁ ସମୟ ଲାଗିଥାଏ ।

ଚୀନରେ ୫ଜି ସ୍ପେକ୍ଟ୍ରମ ଆବଣ୍ଟନର ୬ ମାସ ପରେ ସେବା ଆରମ୍ଭ ହୋଇପାରିଥିଲା । ଜର୍ମାନିରେ ସ୍ପେକ୍ଟ୍ରମ ଆବଣ୍ଟନର ୧୬ ମାସ ପରେ ସେବା ଆରମ୍ଭ ହୋଇପାରିଥିଲା । ଭାରତରେ ସେପ୍ଚେମ୍ବର ୨୦୧୦ରେ ୪ଜି ସ୍ପେକ୍ଟ୍ରମ ଆବଣ୍ଟନ ହୋଇଥିଲା । କିନ୍ତୁ ଏୟାରଟେଲ ଏପ୍ରିଲ ୨୦୧୨ରେ ସେବା ଆରମ୍ଭ କଲା ଓ ସବୁ ସ୍ଥାନରେ ସେବା ପହଞ୍ଚିବାକୁ ୨୦୧୬ ହୋଇଗଲା । ଏଣୁ ଭାରତରେ ଯଦି ୨୦୨୨ ଅଗଷ୍ଟରେ ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ହେଲା ସବୁ ସ୍ଥାନରେ ସେବା ଆରମ୍ଭ ହେବାକୁ ଅତି କମରେ ୩ରୁ ୪ ବର୍ଷ ଲାଗିବା ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର