ସେନସେକ୍ସ ୨୫ ଶହ ପଏଣ୍ଟ ଖସିଲା, ନିବେଶକଙ୍କ ୧୦ ଲକ୍ଷ କୋଟି କ୍ଷତି

ମୁମ୍ବାଇ : କରୋନା ଭାଇରସ ମହାମାରୀ ଘୋଷଣା ହେବା ପରେ ଷ୍ଟକ ବଜାରରେ ପ୍ରବଳ ହ୍ରାସ ଜାରି ରହିଛି । ପ୍ରାୟ ସମସ୍ତ ଅନ୍ତର୍ଜାତୀୟ ଷ୍ଟକ ବଜାର ସହ ଭାରତୀୟ ଷ୍ଟକ ବଜାରରେ ରେକର୍ଡ ହ୍ରାସ ଦେଖାଦେଇଛି । ନିବେଶକ ମାନେ ଆତଙ୍କିତ ହୋଇ ଷ୍ଟକ ବଜାରରୁ ନିଜର ପୁଞ୍ଜି ପ୍ରତ୍ୟାହାର କରିନେଉଥିବାରୁ ଏପରି ହେଉଥିବା କୁହାଯାଉଛି ।
ଗୁରୁବାର ଦିନ ସାଢେ ୧୧ଟା ସୁଦ୍ଧା ସେନସେକ୍ସ ପ୍ରାୟ ୨୫ଶହ ପଏଣ୍ଟ ହ୍ରାସ ପାଇଥିବାବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୭୭୧ ପଏଣ୍ଟ ହ୍ରାସ ପାଇଥିବା ଦେଖାଯାଇଥିଲା । ଏହି ଦ୍ରୁତ ହ୍ରାସ ଫଳରେ ନିବେଶକମାନଙ୍କର ପ୍ରାୟ ୧୦ ଲକ୍ଷ କୋଟିର କ୍ଷତି ହୋଇଥିବା ଅଟକଳ କରାଯାଉଛି । ଏହି ହ୍ରାସ ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପଂଜୀକୃତ ତାଲିକାଭୁକ୍ତ କମ୍ପାନିମାନଙ୍କ ମୋଟ ବଜାର ପୁଞ୍ଜି ୧,୨୬ ଲକ୍ଷ କୋଟିକୁ ହ୍ରାସ ପାଇଛି ।
କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର କେତେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ସବୁ ପର୍ଯ୍ୟଟନ ଭିସାକୁ ରଦ୍ଦ କରାଯାଇଛି । ଲୋକମାନେ ଏକତ୍ରିତ ହେଉଥିବା ବିଭିନ୍ନ ସମାରୋହ ଉପରେ କଟକଣା ଲଗାଯାଇଛି । ଏହି ଭିସା ରଦ୍ଦ ପରେ ବିମାନ କମ୍ପାନିଗୁଡ଼ିକ ବଡ଼ ଧରଣର କ୍ଷତି ସହିବା ଆଶଙ୍କା ରହିଛି । ଏହା ଫଳରେ ଆଜି ଷ୍ଟକ ବଜାରରେ ଇଣ୍ଡିଗୋ, ସ୍ପାଇସଜେଟ ପରି କମ୍ପାନିଙ୍କ ଷ୍ଟକ ମୂଲ୍ୟ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର