ଆସିପାରେ ସର୍ବନିମ୍ନ ଆୟ ଯୋଜନା:ରାହୁଲ୍‌ଙ୍କ ଘୋଷଣା ପରେ ଚାଲିଛି ବିଚାରବିମର୍ଶ

ବଜେଟ୍ ଗଣିତ ସହଜ ରହିବ ନାହିଁ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିକଟରେ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ଗରିବ ଲୋକଙ୍କ ପାଇଁ ସର୍ବନିମ୍ନ ଆୟ ଗ୍ୟାରେଣ୍ଟି ଯୋଜନା ଆଣିବେ। ଯଦିଓ ଏହି ଯୋଜନାର ରୂପରେଖ କିଭଳି ରହିବ ସେ ସମ୍ପର୍କରେ ରାହୁଲ କିଛି କହିନାହାନ୍ତି ତଥାପି ସରକାରଙ୍କୁ ଏହି ଘୋଷଣା ଏବେ ଅଡ଼ୁଆରେ ପକାଇଛି। ଫଳରେ ଆସନ୍ତା ବଜେଟରେ ମୋଦୀ ସରକାର ଲୋକଙ୍କ ପାଇଁ ସର୍ବନିମ୍ନ ଆୟ ଯୋଜନା ବା ୟୁନିଭର୍ସାଲ ବେସିକ୍ ଇନକମ୍ ସ୍କିମ୍ ଘୋଷଣା କରିପାରନ୍ତି।
ବଜେଟରେ ସରକାର ଏଥିପାଇଁ ପାଇଲଟ ଯୋଜନା ଘୋଷଣା କରିପାରନ୍ତି। ତେବେ ଏହି ଯୋଜନାର ହିତାଧିକାରୀ କେଉଁମାନେ ରହିବେ ଏବଂ ଆୟସୀମା କେତେ ରହିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ନିର୍ବାଚନ ଥିବାରୁ ସରକାର ନିଅଣ୍ଟିଆ ସ୍ଥିତି ସହିତ ସାଲିସ କରି ଏଭଳି ଯୋଜନା କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି। ୨୦୧୬-୧୭ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେରେ ୭୫% ଗରିବ ଲୋକଙ୍କୁ ପ୍ରସ୍ତାବିତ ଆୟ ସହାୟତା ପ୍ରଦାନ ନେଇ ଉଲ୍ଲେଖ କରାଯାଇଥିଲା। ତେବ‌େ ସରକାର ଖାଦ୍ୟ ସବସିଡି ବାବଦରେ ବର୍ଷକୁ ୧,୭୦,୦୦୦ କୋଟି ଏବଂ ମନରେଗା ବାବଦରେ ୫୫,୦୦୦ କୋଟି ଟଙ୍କା ଖର୍ଚ କରୁଛନ୍ତି। ଯଦି ସରକାର ଏହି ସବସିଡି ସହିତ ସର୍ବନିମ୍ନ ଆୟ ଯୋଜନା କାର୍ଯ୍ୟକାରୀ କରନ୍ତି ତାହେଲେ ବଜେଟ ଗଣିତ ବିଗିଡ଼ିଯିବ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସରକାର ଯଦି ସାର୍ବଜନୀନ ସର୍ବନିମ୍ନ ଆୟ ଯୋଜନାକୁ ପାଇଲଟ ଭିତ୍ତିରେ କାର୍ଯ୍ୟକାରୀ କରନ୍ତି ତାହେଲେ ଏ ବାବଦରେ ୬୫୪୦ କୋଟିରୁ ୭୬୨୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟବରାଦ କରିପାରନ୍ତି। ତେବେ ସରକାର ଯଦି ଏହି ଯୋଜନାକୁ ବଜେଟରେ ଘୋଷଣା କରନ୍ତି ତାହେଲେ କେତୋଟି ଜିଲ୍ଲାରେ ଏହି ପାଇଲଟ ପ୍ରକଳ୍ପ ଆରମ୍ଭ କରିବେ ସେ ନେଇ ଅନିଶ୍ଚିତତା ଏବେ ମଧ୍ୟ ରହିଛି।

ନୂଆଦିଲ୍ଲୀ: ଆସନ୍ତା ମାସ ୧ ତାରିଖରେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ବଜେଟ ଆଗତ କରିବେ। ଏହା ହେବ ଏନଡିଏ ସରକାରଙ୍କର ଶେଷ ବଜେଟ। ନିର୍ବାଚନ ବର୍ଷ ଥିବାରୁ ଏହା ଯଦିଓ ପୂର୍ଣ୍ଣାଙ୍ଗ ବଜେଟ୍ ହେବନାହିଁ ତଥାପି ସଂସଦରେ ଏହାକୁ କେବଳ ଆୟବ୍ୟୟ ହିସାବ ଫର୍ଦ ଭାବେ ଦାଖଲ କରାଯିବନାହିଁ। ନିର୍ବାଚନ ପୂର୍ବରୁ ଲୋଭନୀୟ ଅଫର ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଏହା ଶେଷ ସୁଯୋଗ ହୋଇଥିବାରୁ ସରକାର ଏହି ସୁଯୋଗକୁ ହାତଛଡ଼ା କରି ନପାରନ୍ତି। ବର୍ତମାନ ସୁଦ୍ଧା ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଛି ସେଥିରେ କୃଷକଙ୍କ ପାଇଁ ବଡ଼ ଧରଣର ପ୍ୟାକେଜ ଘୋଷଣା ହେବାର ସମ୍ଭାବନା ରହିଛି। ସେହିଭଳି ନିମ୍ନ ଆୟବର୍ଗରେ ଥିବା ଆୟକରଦାତାଙ୍କୁ ମଧ୍ୟ କିଛିଟା ରିହାତି ମିଳିପାରେ। ଏତଦବ୍ୟତୀତ ଛୋଟ ‌ବ୍ୟବସାୟୀଙ୍କ ପାଇଁ ମଧ୍ୟ କିଛିଟା ଘୋଷଣା ହୋଇପାରେ। ତେବେ ଏହି ‌ସବୁ ଘୋଷଣା ସରକାରଙ୍କ ପାଇଁ ଆଗାମୀ ଦିନରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ।

ସମ୍ବନ୍ଧିତ ଖବର