ନାଲ୍‌କୋର ନୂଆ ସ୍ମେଲ୍‌ଟର ଢେଙ୍କାନାଳ ଜିଲ୍ଲାରେ ହେବ

ନିଟ୍‌ ଲାଭରେ ଦୁଇ ଗୁଣ ବୃଦ୍ଧି

ଭୁବନେଶ୍ୱର: ନବରତ୍ନ ଆଲୁମିନିୟମ୍‌ କଂପାନି ନାଲ୍‌କୋ ରାଜ୍ୟରେ ଯେଉଁ ନୂଆ ସ୍ମେଲଟର୍‌ ସ୍ଥାପନ କରିବ ତାହା ଢେଙ୍କାନାଳ କିମ୍ବା କାମାକ୍ଷାନଗର ମଧ୍ୟରୁ ଯେକୌଣସି ଗୋଟିଏ ସ୍ଥାନରେ ହେବ। କଂପାନିର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଏହା କହିଛନ୍ତି। ସେ କହିଲେ, ଏହି ପ୍ରକଳ୍ପ ପାଇଁ ପ୍ରଯୁକ୍ତି ପ୍ରଦାନକାରୀମାନେ ସର୍ଭେ କରିସାରିଲେଣି। ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ ରିପୋର୍ଟ (ଡିପିଆର୍‌) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ। ଏହି ସ୍ମେଲଟର୍‌ର ବାର୍ଷିକ ଉତ୍ପାଦନ କ୍ଷମତା ୬ ଲକ୍ଷ ଟନ୍‌୍‌ ରହିବ ବୋଲି ସେ କହିଛନ୍ତି। ନାଲ୍‌କୋର ଭବିଷ୍ୟତ ଯୋଜନା ବିଷୟରେ ଶ୍ରୀ ଚାନ୍ଦ କହିଛନ୍ତି ଯେ, ଅନୁଗୁଳଠାରେ ଆମେ ୧୩୨୦ ମେଗାଓ୍ଵାଟ୍‌ର ପାଓ୍ଵାର ପ୍ଲାଣ୍ଟ୍‌ ସ୍ଥାପନ କରିବାକୁ ଯୋଜନା ରଖିଛୁ। ସେଥିରେ ୬୬୦ ମେଗାଓ୍ଵାଟ୍‌ ଲେଖାଏଁ ଦୁଇଟି ୟୁନିଟ୍‌ ରହିବ। ବିଦେଶରେ ମୂଲ୍ୟବାନ ଖଣିଜ ପଦାର୍ଥ ଚୟନ କରି ତାହାକୁ ହାସଲ ପାଇଁ ନାଲ୍‌କୋ ପକ୍ଷରୁ ଏଚ୍‌ସିଏଲ୍‌ ଓ ଏମ୍‌ଇସିଏଲ୍‌ ସହିତ ମିଶି ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍‌ ନାମକ ଯୌଥ ଉଦ୍ୟୋଗ ସ୍ଥାପନ କରାଯାଇଛି। ମହାକାଶ, ଅଟୋମୋବାଇଲ୍‌ ଓ ପରିବହନ କ୍ଷେତ୍ରରେ ବ୍ୟବହାର ହେଉଥିବା ଉଚ୍ଚ ମାନର ଆଲୁମିନିୟମ୍‌ ମିଶ୍ର ଧାତୁ ଉତ୍ପାଦନ କରିବା ପାଇଁ ‘ମିଧାନି’ ସହିତ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି। ସିଟି ପିଚ୍‌ କାରଖାନା ସ୍ଥାପନ କରିବାକୁ ଏନ୍‌ଆଇଏନ୍‌ଏଲ୍‌ ସହ ବୁଝାମଣା କରାଯାଇଛି ବୋଲି ସେ କହିଛନ୍ତି। କଂପାନି କାମ ଜାରି ରହିଥିବା ପ୍ରକଳ୍ପଗୁଡ଼ିକ ବିଷୟରେ ସେ କହିଛନ୍ତି ଯେ, ୫୫୪୦ କୋଟି ଟଙ୍କା ବ୍ୟୟରେ ଦାମନଯୋଡ଼ିଠାରେ ନିର୍ମାଣ କରାଯାଉଥିବା ବିଶୋଧନାଗାର ପ୍ରକଳ୍ପ ୨୦୨୧ ଏପ୍ରିଲ୍‌ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ପଟାଙ୍ଗି ବକ୍ସାଇଟ୍‌ ଖଣି ୨୦୨୨ ଏପ୍ରିଲ୍‌ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ୫୩୪ କୋଟି ଟଙ୍କା ବ୍ୟୟରେ ଅନୁଗୁଳଠାରେ ବିକଶିତ କରାଯାଉଥିବା ଦୁଇଟି ବ୍ଲକ୍‌ ଉତ୍କଳ-ଡି ୨୦୧୯-୨୦ରେ ଓ ଉତ୍କଳ-ଇ ବ୍ଲକ୍‌ ୨୦୨୨-୨୩ରେ କାର୍ଯ୍ୟକ୍ଷମ ହେବ। ଅନୁଗୁଳଠାରେ କଂପାନି ନିର୍ମାଣ କରୁଥିବା ଆଲୁମିନିୟମ୍‌ ପାର୍କର ନିର୍ମାଣ କାମ ୨୦୧୯-୨୦ ସୁଦ୍ଧା ଶେଷ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଅନୁଗୁଳ ସ୍ମେଲଟର୍‌ ପରିସରରେ କଂପାନି ୧୩୧ କୋଟି ଟଙ୍କା ବ୍ୟୟରେ ଏକ ଆଲଏ ଓୟାର୍‌ ରଡ୍‌ କାରଖାନା ସ୍ଥାପନ କରୁଛି ଯାହା ୨୦୧୯ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ। ନାଲ୍‌କୋର ଆର୍ଥିକ ଫଳାଫଳ ବିଷୟରେ ସୂଚନା ଦେଇ ଡକ୍ଟର ଚାନ୍ଦ କହିଛନ୍ତି ଯେ, ୨୦୧୭-୧୮ରେ କଂପାନିର ନିଟ୍‌ ଲାଭ ଦୁଇ ଗୁଣା ବୃଦ୍ଧି ପାଇ ୧୩୪୨.୧୯ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ତାହା ୬୬୯ କୋଟି ଟଙ୍କା ଥିଲା। ଗତବର୍ଷ ତୁଳନାରେ ବିକ୍ରିରୁ ରାଜସ୍ୱ ଆୟ ୨୬% ବୃଦ୍ଧି ପାଇ ୯୩୭୬ କୋଟି ଟଙ୍କା, ବକ୍ସାଇଟ୍‌ ଓ ଆଲୁମିନା ଉତ୍ପାଦନରେ ୧୦୦% କ୍ଷମତାର ଉପଯୋଗ, ଆଲୁମିନିୟମ ଉତ୍ପାଦନରେ ୯.୮%, ବିଦ୍ୟୁତ ଉତ୍ପାଦନରେ ୭.୯% ଓ ପବନ ଶକ୍ତି ଉତ୍ପାଦନରେ ୨୨% ବୃଦ୍ଧି ହୋଇଛି। ଗତବର୍ଷ କଂପାନିର ପୁଞ୍ଜି ବ୍ୟୟ ୧୦୮୭ କୋଟି ଟଙ୍କା ଥିବା ବେଳେ ୨୦୧୮-୧୯ ପାଇଁ ୧୧୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି।

ସଫଳତା ଓ ଯୋଜନା


• ଅନୁଗୁଳଠାରେ ନାଲ୍‌କୋ ଏକ ସୁପର୍‌ ଆଇ କେୟାର୍‌ ହସ୍‌ପିଟାଲ୍‌ ସ୍ଥାପନ କରିବ। ୪-୫ ମାସ ଭିତରେ ଏହାର କାମ ଆରମ୍ଭ ହେବ
• ଏମ୍‌ସ ସହଯୋଗରେ ଭୁବନେଶ୍ୱରରେ ୪୫ କୋଟି ଟଙ୍କା ବିନିଯୋଗରେ ଏକ ରାତ୍ରୀ ଆଶ୍ରୟ ସ୍ଥଳ ନିର୍ମାଣ କରାଯିବ। ଏହାକୁ ରୋଗୀଙ୍କ ସମ୍ପର୍କୀୟମାନେ ବ୍ୟବହାର କରିବେ
• ପୁରୀଠାରେ ଏକ ବହୁତଳ ବିଶିଷ୍ଟ ପାର୍କିଂ ପ୍ରକଳ୍ପ ନିର୍ମାଣ କରାଯିବ
• ପୁରୀର ମାଳତିପାଟପୁରଠାରେ ୪୦ କୋଟି ଟଙ୍କା ବିନିଯୋଗରେ ଏକ ଅତିିଥି ଭବନ ନିର୍ମାଣ କରାଯିବ। ଏଥିପାଇଁ ଜମି ଆବଣ୍ଟିତ ହୋଇଯାଇଛି
• ୨୦୩୨ ସୁଦ୍ଧା ନାଲ୍‌କୋ ହେବ ମହାରତ୍ନ କଂପାନି
• ୨୦୩୨ ସୁଦ୍ଧା କଂପାନିର ରାଜସ୍ୱ ୩୧,୨୪୮ କୋଟି ଟଙ୍କା ହେବ
• ଏକ ନୂଆ ବ୍ୟବସାୟ ଯୋଜନା ଅନୁଯାୟୀ କାମ କରାଯିବ। ଫଳରେ ତିନି ବର୍ଷ ଭିତରେ କଂପାନିର ନିଟ୍‌ ଲାଭ ପରିମାଣ ୯୩୫ କୋଟି ଟଙ୍କା ବଢ଼ିଯିବ
• କଂପାନିର ବିକ୍ରିରୁ ଆୟ ୯୩୭୭ କୋଟି ଟଙ୍କା
• ରପ୍ତାନିରୁ ଆୟ ୪୦୭୬ କୋଟି ଟଙ୍କା
• ରାଜ୍ୟ ସରକାରଙ୍କୁ ୫୯୧୬ କୋଟିର ରାଜସ୍ୱ ପ୍ରଦାନ କରିଛି ନାଲ୍‌କୋ
• ରେଡ୍‌ ମଡ୍‌ରୁ ଲୁହା ଉପାଦାନକୁ ବାହାର କରାଯିବ

ସମ୍ବନ୍ଧିତ ଖବର