କାମାକ୍ଷାନଗରରେ ଆଲୁମିନିୟମ ପାର୍କ ପାଇଁ ନାଲ୍‌କୋକୁ ପ୍ରସ୍ତାବ

ଖଣି ମନ୍ତ୍ରୀ-ନାଲ୍‌କୋ ସିଏମ୍‌ଡି ଆଲୋଚନା

ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ଏକ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରିବା ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏହି ଆନୁଷଙ୍ଗିକ ୟୁନିଟ୍‌କୁ ନିଜେ ନାଲ୍‌କୋ ବିକଶିତ କରୁ ବୋଲି ସରକାର ଚାହୁଛନ୍ତି। ଆଜି ଏ ନେଇ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୪୫ ମିନିଟ୍‌ର ଆଲୋଚନା ହୋଇଥିଲା। ଏ ବିଷୟରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ କାମାକ୍ଷାନଗରରେ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରିବା ପାଇଁ ନାଲ୍‌କୋକୁ ଆମେ ପ୍ରସ୍ତାବ ଦେଇଛୁ। ଏଥିପାଇଁ ୩୦୦ ଏକର ଜମି ଦରକାର। ଜିରିଡ଼ାମାଳି-ମାଳପୁରା ଅଞ୍ଚଳ ପାଖାପାଖି ଏହି ୟୁନିଟ୍‌ ପ୍ରତିଷ୍ଠା କରିବା ନିମନ୍ତେ ସୁଯୋଗର ଅନୁସନ୍ଧାନ କରିବା ପାଇଁ ନାଲ୍‌କୋକୁ କୁହାଯାଇଛି। ଯଦି ଏହି ପ୍ରକଳ୍ପ ଆଗକୁ ବଢ଼ିବ ତେବେ ଏଥିରେ ୪୦୦୦ କୋଟି ଟଙ୍କା ପାଖାପାଖି ନିବେଶ ହେବ। ଏହି ପ୍ରକଳ୍ପ ପାଇଁ ନାଲ୍‌କୋ ସିଙ୍ଗଲ ଓ୍ଵିଣ୍ଡୋ ବ୍ୟବସ୍ଥା ଜରିଆରେ ଆବେଦନ କରିବ। ଜମି ମିଳିଲେ କଂପାନି ପ୍ରକଳ୍ପର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଚିନ୍ତା କରିବ। ଏହି ଅବସରରେ କାମାକ୍ଷାନଗରଠାରେ କଂପାନି ପ୍ରତିଷ୍ଠା କରିବାକୁ ଥିବା ପ୍ରସ୍ତାବିତ ସ୍ମେଲଟର ପ୍ରକଳ୍ପ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପ ବିଷୟରେ କଂପାନି ଏବେ ଗୁରୁତ୍ୱର ସହ ବିଚାର କରୁନାହିଁ। ସ୍ମେଲଟର ପାଇଁ ବିଦ୍ୟୁତ ଶକ୍ତି ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗର ଅଭାବ ରହିଥିବାରୁ କାମାକ୍ଷାନଗରରେ ସ୍ମେଲଟର ସ୍ଥାପନ କରିବା ବିଷୟରେ କଂପାନି ଏବେ କିଛି ନିଷ୍ପତ୍ତି ନେଇନାହିଁ। ତେବେ ଆଗାମୀ ଦିନରେ ଏହି ପ୍ରକଳ୍ପକୁ ନାଲ୍‌କୋ ଗୁରୁତ୍ୱ ଦେବ ବୋଲି ଜଣାପଡ଼ିଛି। ଏହି ଅବସରରେ ଶକ୍ତି ସଚିବ ହେମନ୍ତ ଶର୍ମା ଏବଂ ଇଡ୍‌କୋ ଏମ୍‌ଡି ସଞ୍ଜୟ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର