ଟିଟିପିଏସ୍‌ ସମ୍ପ୍ରସାରଣକୁ ଅନୁମୋଦନ, ୯୭୮୫ କୋଟି ନିବେଶ କରିବ ଏନ୍‌ଟିପିସି

ନୂଆଦିଲ୍ଲୀ: ଦେଶର ଅନ୍ୟତମ ପୁରୁଣା ତାପଜ ବିଦ୍ୟୁତ କେନ୍ଦ୍ର ‘ତାଳଚେର ଥର୍ମାଲ୍‌ ପାଓ୍ଵାର ଷ୍ଟେସନ୍‌ (ଟିଟିପିଏସ୍‌)ର ସମ୍ପ୍ରସାରଣ ପାଇଁ ଏନ୍‌ଟିପିସି ୯୭୮୫ କୋଟି ଟଙ୍କା ବିନିଯୋଗ କରିବ। ଏହି କାରଖାନାରେ ୧୩୨୦ ମେଗାଓ୍ଵାଟ୍‌ର ସମ୍ପ୍ରସାରଣ ହେବ। ଏହି କାରଖାନାର ଏହା ହେଉଛି ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ। ଏହି ପୁଞ୍ଜିନିବେଶକୁ କଂପାନି ବୋର୍ଡ ମଞ୍ଜୁରି ପ୍ରଦାନ କରିଛି। ଯେହେତୁ ଏହି କାରଖାନାଟି ବହୁତ ପୁରୁଣା, ତେଣୁ ତାହା ଭାଙ୍ଗ ସେହି ସ୍ଥାନରେ ନୂତନ କାରଖାନା ପ୍ରତିଷ୍ଠା କରିବା ଯୋଜନା ରହିଛି ବୋଲି ଏନ୍‌ଟିପିସି ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏହି କାରଖାନା ପାଇଁ ଜମିର ଆବଶ୍ୟକତା ପଡ଼ିବ ନାହିଁ। କାରଣ, କାରଖାନା ପରିସରରେ ଯେଉଁ କ୍ୱାର୍ଟର୍ସଗୁଡ଼ିକ ରହିଛି ତାହାକୁ ଭାଙ୍ଗି ଜମି ବାହାର କରାଯିବ। କର୍ମଚାରୀଙ୍କ ରହଣୀ ପାଇଁ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରାଯିବ। ବର୍ତ୍ତମାନ ଟିଟିପିଏସ୍‌ରେ ୬୦ ମେଗାଓ୍ଵାଟ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ଚାରିଟି ୟୁନିଟ୍‌ ଓ ୧୧୦ ମେଗାଓ୍ଵାଟ୍‌ର ଦୁଇଟି ୟୁନିଟ୍‌ ରହିଛି। ଏହି ୟୁନିଟ୍‌ଗୁଡ଼ିକୁ ଠିକ୍‌ ଭାବେ କାମ କରୁଛି। ଏହା ହେଉଛି ଦେଶର ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କାରଖାନା। ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ୬୬୦ ମେଗାଓ୍ଵାଟ୍‌ ବିଶିଷ୍ଟ ୨ଟି ନୂଆ ୟୁନିଟ୍‌ ସ୍ଥାପନ କରାଯିବ। ତାହାର ନିର୍ମାଣ ବାବଦରେ ୯୭୮୫ କୋଟି ଟଙ୍କା ଖର୍ଚ କରାଯିବ। ଉଲ୍ଲେଖଯୋଗ୍ୟ, ଏନ୍‌ଟିପିସି ପାଖରେ ଏବେ ସାରା ଦେଶରେ ୨୧ଟି କୋଇଲା ଭିତ୍ତିକ ଓ ୭ଟି ଗ୍ୟାସ୍‌ ଭିତ୍ତିକ କାରଖାନା ଥିବା ବେଳେ ୧୧ଟି ସୋଲାର ପିଭି, ଗୋଟିଏ ତଳ ବିଦ୍ୟୁତ, ଗୋଟିଏ କ୍ଷୁଦ୍ର ଜଳ ବିଦ୍ୟୁତ ଓ ଗୋଟିଏ ପବନ ଶକ୍ତି ପ୍ରକଳ୍ପ ରହିଛି। ସମସ୍ତ ପ୍ରକଳ୍ପକୁ ମିଶାଇ ଏନ୍‌ଟିପିସି ୫୩,୬୫୧ ମେଗାଓ୍ଵାଟ୍‌ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଛି। ଦେଶର ମୋଟ୍‌ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରତି ଏନ୍‌ଟିପିସିର ୨୩% ଅବଦାନ ରହିଛି। ୨୦୧୭-୧୮ରେ ଏନ୍‌ଟିପିସି ଏହାର ମୋଟ କ୍ଷମତାରେ ଆଉ ୩୪୭୮ ମେଗାଓ୍ଵାଟ୍‌ ଅତିରିକ୍ତ କ୍ଷମତା ଯୋଗ କରିିଥିଲା। ୨୦୩୨ ସୁଦ୍ଧା ଏକ ୧୩୦ ମେଗାଓ୍ଵାଟ୍‌ କଂପାନି ହେବାକୁ ଏନ୍‌ଟିପିସି ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର