‘ମୋତେ ବିଦା କରାଯାଉଛି’

ନୂଆଦିଲ୍ଲୀ: ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ସାଇରସ୍‌ ମିସ୍ତ୍ରୀଙ୍କୁ ଯେଉଁଭଳି ଭାବେ ବିଦା କରାଯାଇଥିଲା ତାହା ଗତବର୍ଷର ଏକ ଚର୍ଚିତ ଖବର ଥିଲା। ଏ ସମ୍ପର୍କରେ ସାଇରସ୍‌ଙ୍କ ଦ୍ୱାରା ସେହି ସମୟରେ ଗଠନ କରାଯାଇଥିବା ଗ୍ରୁପ୍‌ ଏକ୍‌ଜିକ୍ୟୁଟିଭ୍‌ କାଉନ୍‌ସିଲ୍‌ (ଜିଇସି)ର ଜଣେ ସଦସ୍ୟ ଏ ନେଇ ଏବେ ନୂତନ ଖୁଲାସା କରିଛନ୍ତି। ଏକ ଲମ୍ବା ବ୍ଲଗ୍‌ ଲେଖି ନିର୍ମାଲ୍ୟ କୁମାର ନାମକ ଏହି ସଦସ୍ୟ ଜଣକ ଜଣାଇଛନ୍ତିି ଯେ ବମ୍ବେ ହାଉସ୍‌ରେ ଟାଟାର ବୋର୍ଡ ବୈଠକ ଆରମ୍ଭ ହେବାର କିଛି ମିନିଟ୍‌ ପୂର୍ବରୁ ସାଇରସ୍‌ ନିଜ ପତ୍ନୀ ରୋହିକାଙ୍କୁ ଏକ ଟେକ୍ସଟ୍‌ ମେସେଜ୍‌ କରିିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ ତାଙ୍କୁ ଆଜି ବିଦା କରାଯିବ। ବୈଠକ ଆରମ୍ଭ ହେବାର କିଛି କ୍ଷଣ ପୂର୍ବରୁ ସାଇରସ୍‌ଙ୍କୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା। ଗୋଟିଏ ହେଉଛି ନିଜ ଆଡୁ ଇସ୍ତଫା ପ୍ରଦାନ କର ଅନ୍ୟଥା ତୁମକୁ ବିଦା କରାଯିବ। ୨୦୧୬ ଅକ୍ଟୋବର ୨୪ର ବୋର୍ଡ ବୈଠକ ପୂର୍ବରୁ ଏହି ଘଟଣା ଘଟିଥିଲା।

ବୋର୍ଡର ଅନ୍ୟ ଜଣେ ସଦସ୍ୟ ନୀତିନ ନୋହରିଆ ପ୍ରଥମେ ସାଇରସଙ୍କୁ କହିଥିଲେ ଯେ, ‘ଆପଣ ଜାଣିଛନ୍ତି ରତନ ଟାଟା ଏବଂ ଆପଣଙ୍କ ଭିତରେ ସମ୍ପର୍କ ଆଉ ଭଲ ନାହିଁ। ତେଣୁ ଆପଣଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ନିଷ୍ପତ୍ତି ହୋଇଛି। ଏ ସବୁ ଶୁଣିବା ପରେ ସାଇରସ୍‌ ଅତି ବିନମ୍ରତାର ସହିତ କହିଥିଲେ ଯେ ବନ୍ଧୁଗଣ ଆପଣ ଯାହା କିଛି ବୋର୍ଡରେ ନିଷ୍ପତ୍ତି ନେଇପାରିବେ ଏବଂ ମୁଁ ଯାହା କରିବାର କଥା କରିବି। ଏହା ପରେ ସେ ନିଜ ଜ୍ୟାକେଟ୍‌ ପିନ୍ଧି ବୋର୍ଡ ବୈଠକରେ ଯୋଗ ଦେବାକୁ ବାହାରିଥିଲେ। ବର୍ତ୍ତମାନ ସିଙ୍ଗାପୁର ମ୍ୟାନେଜମେଣ୍ଟ୍‌ ବିଶ୍ୱବିଦ୍ୟାଳୟର ଲି କଙ୍ଗ ଚିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସ୍‌ର ପ୍ରଫେସର ଭାବେ କାମ କରୁଥିବା ନିର୍ମାଲ୍ୟ ‘କିଭଳି ସାଇରସ୍‌ ମିସ୍ତ୍ରୀ ବିଦା ହେଲେ’ ନାମକ ବ୍ଲଗ୍‌ରେ ଏସବୁ କଥା ଲେଖିଛନ୍ତି।
ଟାଟାର ବୋର୍ଡ ବୈଠକରେ ସେଦିନ ୮ ଜଣ ବୋର୍ଡ ସଦସ୍ୟ ଥିଲେ। ଟାଟା ଟ୍ରଷ୍ଟ୍‍ ଦ୍ୱାର ମନୋନୀତ ହୋଇଥିବା ସମସ୍ତ ସଦସ୍ୟ ସାଇରସ୍‌ଙ୍କୁ ହଟାଇବା ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ। ମାତ୍ର ସ୍ୱାଧୀନତ ନିର୍ଦେଶକ ଫରିଦା ଖମ୍ବାଟା ଏବଂ ଟାଟା ସନ୍ସର ନିର୍ଦେଶକ (ବିତ୍ତ) ଇସତ୍‌ ହୁସେନ୍‌ ଭୋଟିଂ ପ୍ରକ୍ରିୟାଠାରୁ ନିଜକୁ ଦୂରେଇ ରଖିଥିଲେ।

କିଛି ମିନିଟ୍‌ ଭିତରେ ସବୁ କିଛି ଶେଷ ହୋଇଯାଇଥିଲା। ସାଇରସ୍‌ଙ୍କୁ ନିଜ ପକ୍ଷ ରଖିବାର କୌଣସି ସୁଯୋଗ ପ୍ରଦାନ କରାଯାଇଥିଲା। ଦିନ ୩ଟା ବେଳେ ସାଇରସ୍‌ ନିଜ କୋଠରିକୁ ଫେରି ବ୍ୟକ୍ତିଗତ ଜିନିଷ ସବୁ ପ୍ୟାକିଂ କରୁଥିଲେ। ସେହି ସମୟରେ ଟାଟା ସନ୍ସର ମୁଖ୍ୟ ଅପରେଟିଂ ଅଧିକାରୀ ଏଫ୍‌ ଏନ୍‌ ସୁବେଦାର ତାଙ୍କ କୋଠରିରେ ପହଞ୍ଚିଥିଲେ। ଆସନ୍ତାକାଲିଠାରୁ ଆସିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ସାଇରସ୍‌ଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର