ଫେରିବେ ଉର୍ଜିତ ପଟେଲ୍‌, ଏନ୍‌ଆଇପିଏଫ୍‌ପିର ଅଧ୍ୟକ୍ଷ ହେବେ

ନୂଆଦିଲ୍ଲୀ: ସରକାରଙ୍କ ସହ ମତଭେଦ କାରଣରୁ ନିଜ କାର୍ଯ୍ୟକାଳ ଶେଷ ହେବାର କିଛି ମାସ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇ ଚାଲିଯାଇଥିବା ଉର୍ଜିତ ପଟେଲ୍‌ ପୁଣି ଭାରତ ଫେରୁଛନ୍ତି। ତାଙ୍କୁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଫାଇନାନ୍ସ ଆଣ୍ଡ୍ ପଲିସିି (ଏନ୍‌ଆଇପିଏଫ୍‌ପି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଚଳିତ ମାସ ୨୨ରୁ ସେ ଏହି ପଦରେ ଯୋଗ ଦେବେ। ଚାରି ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଛି। ତାଙ୍କ ପୂର୍ବରୁ ବିଜୟ କେଲ୍‌କାର ଏହି ପଦରେ ୨୦୧୪ ନଭେମ୍ବର ପରଠାରୁ କାର୍ଯ୍ୟ କରୁଥିଲେ।

୨୦୧୬ରେ ଭାରତରେ ବିମୁଦ୍ରୀକରଣ ଘୋଷଣା ହେବା ବେଳେ ଉର୍ଜିତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ସେହି ସମୟରେ ରିଜର୍ଭ ବ୍ୟା‌ଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା କୌଣସି ସାମ୍ବାଦିକ ସମ୍ମିଳନ‌ୀରେ ତାଙ୍କୁ ଦେଖିବାକୁ ମିଳିନଥିଲା। ରିଜର୍ଭ ବ୍ୟାଙ୍କ ପାଣ୍ଠି ଉପରେ ସରକାରଙ୍କ ନଜର ଓ ଅନ୍ୟାନ୍ୟ କେତେକ ପ୍ରସଙ୍ଗକୁ ନେଇ ସରକାରଙ୍କ ସହିତ ଉର୍ଜିତଙ୍କ ମତଭେଦ ଦେଖାଦେଇଥିଲା। ୨୦୧୮ ବେଳକୁ ସରକାରଙ୍କ ସହିତ ତାଙ୍କ ସମ୍ପର୍କ ବହୁତ ଖରାପ ହୋଇଯାଇଥିଲା। ଏକ ଅଭାବନୀୟ ଘଟଣାକ୍ରମରେ ୨୦୧୮ ଡିସେମ୍ବର ୧୦ରେ ହେବାକୁ ଥିବା ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକର ଚାରି ଦିନ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ୨୦୧୯ ସେପ୍ଟେମ୍ବରରେ ତାଙ୍କ କାର୍ଯ୍ୟକାଳ ଶେ‌ଷ ହେବାର ଥିଲା। ଉର୍ଜିତ ପୁଣି ଭାରତ ଫେରୁଥିବାର ଅର୍ଥ ଏହା ହେଉଛି ଯେ ସରକାରଙ୍କ ସହିତ ଯେଉଁ ମତଭେଦ ରହିଥିଲା ତାହା ବୋଧହୁଏ ଦୂର ହୋଇଯାଇଛି। ସାଧାରଣତଃ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ଦ୍ବିତୀୟ ସୁଯୋଗ ମିଳେ। ମାତ୍ର ଉର୍ଜିତଙ୍କ ପୂର୍ବରୁ ଏହି ପଦ ସମ୍ଭାଳୁଥିବା ରଘୁରାମ ରାଜନଙ୍କୁ ଦ୍ବିତୀୟ ସୁଯୋଗ ମିଳିନଥିଲା। ଉର୍ଜିତ କିନ୍ତୁ ଦ୍ବିତୀୟ ସୁଯୋଗ ପାଇବାକୁ ହକ୍‌ଦାର ଥିଲେ ମଧ୍ୟ କାର୍ଯ୍ୟକାଳ ଶେ‌ଷ ହେବା ପୂର୍ବରୁ‌ ସେ ଇସ୍ତଫା ଦେଇ ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର