ପିଲାଦିନେ ବାପା ପଠାଉ ଥିଲେ, ଏବେ ଷ୍ଟେଟ୍‌ ବ୍ୟାଙ୍କ ପାଇଁ କରଜ ଟଙ୍କା ଅସୁଲ କରୁଛନ୍ତି ସେଟ୍ଟି

ନୂଆଦିଲ୍ଲୀ: ଯେତେବେଳେ ତାଙ୍କୁ ୧୨ ବର୍ଷ ବୟସ ହୋଇଥିଲା ସେ ବାପା ଦେଇଥିବା କରଜ ଟଙ୍କା ଲୋକମାନଙ୍କ ଠାରୁ ଆଦାୟ କରୁଥିଲେ। ନିଜ ଭାଇଙ୍କ ସହ ମିଶି ସେ ଏହି କାମ କରୁଥିଲେ। ଏବେ ସେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ନାମ ହେଉଛି ଛାଲା ଶ୍ରୀନିଭାସୁଲୁ ସେଟ୍ଟି। ଷ୍ଟେଟ୍‌ ବ୍ୟାଙ୍କର ତିନି ଏମ୍‌ଡିଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ। ପିଲାଦିନେ ବାପାଙ୍କ ପାଇଁ ଟଙ୍କା ଅସୁଲ କରୁଥିବା ସେଟ୍ଟି ଦୀର୍ଗ ୪୦ ବର୍ଷ ପରେ ଏବେ ଦେଶର ସବୁଠୁ ବଡ଼ ବ୍ୟାଙ୍କ ପାଇଁ ଟଙ୍କା ଅସୁଲ କରିବା କାର୍ଯ୍ୟର ତଦାରଖ କରୁଛନ୍ତି।

ଦକ୍ଷିଣ ଭାରତର ଏକ ଗ୍ରାମ ପୋଟ୍‌ଲାପାଡ଼ୁରେ ଶ୍ରୀ ସେଟ୍ଟିଙ୍କ ବାପା ଏକ ଛୋଟ ରାସନ ଦୋକାନ ଖୋଲିଥିଲେ। ସେ ଚାଷୀମାନଙ୍କୁ ଟଙ୍କା କରଜ ସୂତ୍ରରେ ଦେଇଥିଲେ। ଅମଳ ଋତୁ ଆସିବା ପରେ ସେ ନିଜର ଦୁଇ ପୁଅଙ୍କୁ ଲୋକଙ୍କ ଠାରୁ ଟଙ୍କା ଅସୁଲ କରିବା କାର୍ଯ୍ୟରେ ଲଗାଉଥିଲେ। ଶ୍ରୀ ସେଟ୍ଟି ଓ ତାଙ୍କ ଭାଇ ଗାଁର ପ୍ରାୟ ୧୫୦ ପରିବାର ଠାରୁ ଟଙ୍କା ଅସୁଲ କରିବାକୁ ଯାଉଥିଲେ। ଦୀର୍ଘ ଚାରି ଦଶନ୍ଧୀ ପରେ ସେଟ୍ଟି ସେହି କରଜ ଟଙ୍କା ଅସୁଲ କରିବା କାର୍ଯ୍ୟ କରୁଛନ୍ତି। ପରିମାଣରେ କିନ୍ତୁ ଆକାଶ ପାତାଳ ଫରକ ଅଛି। ପୂର୍ବରୁ ସେ କିଛି ଶହ ଟଙ୍କା ଅସୁଲ କରୁଥିଲେ। ଏବେ ଷ୍ଟେଟ୍‌ ବ୍ୟାଙ୍କର ଏମ୍‌ଡି ଭା‌ବେ ସେ ୧.୫ ଲକ୍ଷ କୋଟି ଟଙ୍କା ଆଦାୟ କରିବା କାର୍ଯ୍ୟର ତଦାରଖ କରୁଛନ୍ତି। ଶ୍ରୀ ସେଟ୍ଟିଙ୍କ ମତରେ କେତେ ଶୀଘ୍ର ଟଙ୍କା ଆଦାୟ ହେଉଛି ତାହା ହେଉଛି ଗୁରୁତ୍ବପୂର୍ଣ୍ଣ। ଷ୍ଟେଟ୍‌ ବ୍ୟାଙ୍କରେ ଲମ୍ବା ସମୟର ଲଢ଼େଇ ବଦଳରେ ୱାନ୍ ଟାଇମ୍ ସେଟଲମେଣ୍ଟ୍‌ ଜରିଆରେ ଅନାଦେୟ ଋଣ ମାମଲାର ସମାଧାନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଛୋଟ ଓ ମଧ୍ୟମ ଧରଣର ଋଣ ଅସୁଲ କରିବା ବେଳେ ଋଣ ନେଇଥିବା ଗ୍ରାହକଙ୍କୁ ବାରମ୍ବାର ମନେ ପକାଇବା କାର୍ଯ୍ୟ କରାଯାଉଛି।

ସମ୍ବନ୍ଧିତ ଖବର