ନବେ ଦଶକରେ ବିଶ୍ବ କ୍ରିକେଟ୍ରେ ବାଦଶାହ ଥିଲେ। ବିସ୍ଫୋରକ ବ୍ୟାଟିଂ ବି କରୁଥିଲେ। ହେଲେ ଟ୍ବେଣ୍ଟି-୨୦ କ୍ରିକେଟ୍ ଖେଳିବାର ସୌଭାଗ୍ୟ ପାଇନଥିଲେ। ସେହି ସମୟରେ ଯଦି ଟ୍ବେଣ୍ଟି-୨୦ ଖେଳା ଯାଇଥାନ୍ତା, ଫଟାଫଟ୍ କ୍ରିକେଟ୍ ଏକାଦଶରେ ସେମାନଙ୍କ ନାମ ନିଶ୍ଚିତ ରହିଥା’ନ୍ତା। ସେହି ଯୁଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ୧୧ ଜଣ ଖେଳାଳିଙ୍କ ଉପରେ ନଜର ପକାଇବା।
Sambad is now on WhatsApp
Join and get latest news updates delivered to you via WhatsApp
ସଇଦ ଅନୱାର (ପାକିସ୍ତାନ)
ଏହି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ବିଭିନ୍ନ ସମୟରେ ପୂର୍ବତନ କ୍ରିକେଟର୍ଙ୍କ ସର୍ବକାଳୀନ ଦିନିକିଆ ଏକାଦଶରେ ସ୍ଥାନ ନିଶ୍ଚିତ କରି ସାରିଛନ୍ତି। ସେ ୧୯୯୦ରେ ପାକିସ୍ତାନର ସବୁଠୁ ସଫଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଥିଲେ। ୮୨.୯୧ ଷ୍ଟ୍ରାଇକ୍ରେଟ୍ ଓ ୪୨ ହାରରେ ୬୪୨୭ ରନ୍ କରିଥିଲେ। ସେ ପ୍ରଥମ ୧୦ ଓଭରରେ ଭଲ ସ୍କୋର୍ କରିବାକୁ ସକ୍ଷମ ଥିଲେ। ସେ ତାଙ୍କ ଜୀବନରେ ୧୭ ଶତକ ହାସଲ କରିଥିଲା ବେଳେ ତାଙ୍କ ସର୍ବୋଚ୍ଚ ରନ୍ ଥିଲା ୧୯୪। ତାଙ୍କର ଏହି ସର୍ବୋଚ୍ଚ ରନ୍ର କୀର୍ତ୍ତିମାନ ୧୩ ବର୍ଷ ଧରି ଅତୁଟ ରହିଥିଲା। ଅନୱାରଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବୋଲରଙ୍କ ବିଶ୍ବାସକୁ ଭାଙ୍ଗି ଦେଉଥିଲା। ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ଆଜିକା ଦିନରେ ସେ ଖେଳୁଥିଲେ ନିଶ୍ଚିତ ଟ୍ବେଣ୍ଟି-୨୦ରେ ସ୍ଥାନ ପାଇଥା’ନ୍ତେ।
ମାର୍କ ଗ୍ରେଟ୍ବ୍ୟାଚ୍ (ନ୍ୟୁଜିଲାଣ୍ଡ)
ନ୍ୟୁଜିଲାଣ୍ଡର ଏହି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ନବେ ଦଶକର ପିଞ୍ଚ୍ ହିଟର ଭାବେ ପରିଚିତ ଥିଲେ। ଟେଷ୍ଟ୍ର ଏହି ନଛୋଡ଼ାବନ୍ଧା ବ୍ୟାଟ୍ସମ୍ୟାନ୍ ଦିନିକିଆରେ ଓପନିଂ କଲା ବେଳେ ଦ୍ରୁତ ରନ୍ ସଂଗ୍ରହ କରୁଥିଲେ। ପ୍ରଥମ ୧୫ ଓଭର ମଧ୍ୟରେ ତାଙ୍କ ବ୍ୟାଟ୍ରୁ ବଡ଼ ସଟ୍ ଦେଖିବାକୁ ମିଳୁଥିଲା। ୧୯୯୨ ବିଶ୍ବକପ୍ରେ ସେ ମୋଟ ୩୧୩ ରନ୍ କରିଥିଲେ। ୱେଷ୍ଟ୍ଇଣ୍ଡିଜ୍ର ଦ୍ରୁତ ବୋଲରଙ୍କ ବିପକ୍ଷରେ ସେ ୬୩ ବଲ୍ରେ ୭୭ ରନ୍ ସଂଗ୍ରହ କରିଥିଲେ। ଦିନିକିଆରେ ଗ୍ରେଟ୍ବ୍ୟାଚ୍ ୧୩ ଅର୍ଧଶତକ ଓ ୨ ଶତକ ହାସଲ କରିଥିଲେ। ଟ୍ବେଣ୍ଟି-୨୦ ପାଇଁ ସେ ଯୋଗ୍ୟ ତାରକା।
ଇଜାଜ ଅହମ୍ମଦ (ପାକିସ୍ତାନ)
ଅଣପାରମ୍ପରିକ ବ୍ୟାଟିଂ ଶୈଳୀରେ ଖେଳୁଥିବା ପାକିସ୍ତାନର ଇଜାଜ ଅହମ୍ମଦଙ୍କ ଷ୍ଟ୍ରାଇକ୍ରେଟ୍ ୮୦.୨୬ ଥିଲା। ଭାରତ ବିପକ୍ଷ ଏକ ମ୍ୟାଚ୍ରେ ତାଙ୍କ ୮୪ ବଲ୍ ୧୩୯ ରନ୍ର ବିସ୍ଫୋରକ ବ୍ୟାଟିଂ ପାଇଁ ପାକିସ୍ତାନ ୧୪୨ ବଲ୍ରେ ୨୧୭ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା। ସେ ଦିନିକିଆରେ ୧୦ ଶତକ ଅର୍ଜନ କରିବାରେ ସଫଳ ହୋଇଥିଲେ।
ଅରବିନ୍ଦ ଡି’ସିଲ୍ଭା (ଶ୍ରୀଲଙ୍କା) ଅଧିନାୟକ
ଯଦି ଆଇପିଏଲ୍ରେ ୯୦ ଦଶକରେ ଖେଳାଯାଇଥା’ନ୍ତା ତେବେ ଅରବିନ୍ଦ ଡି’ସିଲ୍ଭା ନିଶ୍ଚିତ ଆଗରେ ରହିଥା’ନ୍ତେ। ସେ ଦିନିକିଆରେ ୮୨.୪୪ ଷ୍ଟ୍ରାଇକ୍ରେଟ୍ରେ ୬୪୪୧ ରନ୍ ସଂଗ୍ରହ କରିଥିଲେ। ଯାହା ୧୯୯୦-୧୯୯୯ ମଧ୍ୟରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ଶ୍ରେଷ୍ଠ ଷ୍ଟ୍ରାଇକ୍ରେଟ୍। ସଟ୍ବଲ୍କୁ ଡି’ସିଲ୍ଭା ପୁଲ୍ ମାରିବାରେ ମାହିର ଥିଲେ। ସେ ମଧ୍ୟ ୧୦୬ ଦିନିକିଆ ୱିକେଟ୍ ଅକ୍ତିଆର କରିଥିଲେ। ଅଲ୍ରାଉଣ୍ଡର ପ୍ରଦର୍ଶନ ପାଇଁ ତାଙ୍କୁ ପ୍ରାଞ୍ଚାଇଜ୍ଗୁଡ଼ିକ କିଣିବାକୁ ଆଗ୍ରହ ଦେଖାଇଥା’ନ୍ତେ ଏବଂ ନେତୃତ୍ବ ଭାର ଦେଇଥା’ନ୍ତେ।
ଅଜୟ ଜାଦେଜା (ଭାରତ)
ଭାରତୀୟ କ୍ରିକେଟ୍ର ପ୍ରଥମ ରକ୍ଷ୍ଟାର ହେଉଛନ୍ତି ଅଜୟ ଜାଦେଜା। ତାଙ୍କ ବ୍ୟାଟିଂ ଆଖିକୁ ଖୁସି ଦେଇନଥାଏ। କିନ୍ତୁ ତାଙ୍କର ପ୍ରେରଣା ଆଜିର ଟ୍ବେଣ୍ଟି-୨୦ କ୍ରିକେଟର୍ଙ୍କୁ ସଫଳତା ଯୋଗାଇଛି। ଚାପରେ ଥିଲା ବେଳେ କିପରି ଖେଳାଯାଏ ତାଙ୍କୁ ଜଣା। ୱିକେଟ୍ ମଧ୍ୟରେ ଦୌଡ଼ି ୧-୨ ରନ୍ ସଂଗ୍ରହ କରିବାରେ ସେ ଧୁରନ୍ଧର ଥିଲା ବେଳେ ଭଲ କ୍ଷେତ୍ରରକ୍ଷକ ମଧ୍ୟ ଥିଲେ। ତାଙ୍କ ପାଖରେ ବଡ଼ ସଟ୍ ମାରିବାର ଦକ୍ଷତା ଥିଲା। ପାକିସ୍ତାନ ବିପକ୍ଷ ୧୯୯୬ ବିଶ୍ବକପ୍ କ୍ବାର୍ଟର ଫାଇନାଲ୍ରେ ୱାକର ୟୁନିସଙ୍କ ଗୋଟିଏ ଓଭରରେ ୨୨ ରନ୍ ସଂଗ୍ରହ କରିଥିଲେ। ଯାହା ଏବେ ବି ଭାରତ-ପାକିସ୍ତାନ କ୍ରିକେଟ୍ ଇତିହାସର ଏକ ଅବିସ୍ମରଣୀୟ ମୂହୁର୍ତ୍ତ ମଧ୍ୟରେ ସ୍ଥାନ ପାଇଛି।
ଆଣ୍ଡି ଫ୍ଲାୱାର (ଜିମ୍ବାୱେ)
ନବେ ଦଶକ ଲାଗି ଟ୍ବେଣ୍ଟି-୨୦ କ୍ରିକେଟ୍ ବିଶ୍ବ ଏକାଦଶର ୱିକେଟ୍ରକ୍ଷକ କଥା ଚିନ୍ତା କରିବାକୁ ବସିଲେ ନିଶ୍ଚିତ ଭାବେ ଆଣ୍ଡି ଫ୍ଲାୱରଙ୍କ ନାମ ଆସିବ। ତାଙ୍କର ଦିନିକିଆ ଷ୍ଟ୍ରାଇକ୍ରେଟ୍ ୭୪.୬୦ ରହିଛି। ସ୍ପିନରଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରୁଥିବା ଫ୍ଲାୱରଙ୍କ ଦିନିକିଆ ବ୍ୟାଟିଂ ହାରାହାରି ୩୫ ରହିଛି। ଜିମ୍ବାୱେର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍ ବିଫଳ ହେଲେ ସେ ମଧ୍ୟକ୍ରମରେ ପାଳି ସମ୍ଭାଳି ନେଉଥିଲେ। ସେ ଯଦି ଟ୍ବେଣ୍ଟି-୨୦ ଖେଳିଥା’ନ୍ତେ ତେବେ ସ୍ପିନରଙ୍କ ବିପକ୍ଷରେ ଅଧିକ ରନ୍ କରିବା ସହ ମୂଲ୍ୟବାନ ମଧ୍ୟକ୍ରମ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଥା’ନ୍ତେ।
ମାଇକେଲ୍ ବେଭାନ (ଅଷ୍ଟ୍ରେଲିଆ)
ଦିନିକିଆରେ ସବୁଠୁ ଭରସା ଯୋଗ୍ୟ ଫିନିସର୍ ଭାବେ ମାଇକେଲ୍ ବେଭାନ ପରିଚିତ। ଅଷ୍ଟ୍ରେଲିଆ ଦଳର ସେ ଟ୍ରମ୍ପ୍ କାର୍ଡ ଥିଲେ। ୯୦ ଦଶକରେ ଅଷ୍ଟ୍ରେଲିଆର ୫୦ ପ୍ରତିଶତ ବିଜୟର ମୁଣ୍ଡି ସେ ମାରିବାକୁ ସକ୍ଷମ ହୋଇଥିଲେ। ୨୦୦୦ ମସିହାରେ ବିଶ୍ବ ଏକାଦଶ ପକ୍ଷରୁ ଖେଳୁଥିବା ବେଭାନ ଏସିଆ ଏକାଦଶ ବିପକ୍ଷରେ ଏକ ଅବିସ୍ମରଣୀୟ ପାଳି ଖେଳିଥିଲେ। ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ଆଣ୍ଡ୍ର୍ୟୁ କାଡିକଙ୍କ ସହ ମିଶି ଅଷ୍ଟମ ୱିକେଟ୍ରେ ୧୧୯ ରନ୍ର ଭାଗୀଦାରି କରିବା ସହ ବେଭାନ ବ୍ୟକ୍ତିଗତ ଭାବେ ଅପରାଜିତ ୧୮୫ ରନ୍ କରିଥିଲେ। ଏହି ବିସ୍ଫୋରକ ବ୍ୟାଟିଂ ପାଇଁ ଟ୍ବେଣ୍ଟି-୨୦ କ୍ରିକେଟ୍ ଲାଗି ସେ ମୂଲ୍ୟବାନ ଧାତୁ ସୁନାର ସମତୁଲ ହୋଇଥା’ନ୍ତେ।
ବ୍ରାଏନ ମ୍ୟାକ୍ମିଲନ (ଦକ୍ଷିଣ ଆଫ୍ରିକା)
ବ୍ରାଏନ ମ୍ୟାକ୍ମିଲନ ଟ୍ବେଣ୍ଟି-୨୦ କ୍ରିକେଟ୍ ଲାଗି ଜଣେ ଯୋଗ୍ୟ ଅଲ୍ରାଉଣ୍ଡର। ସେ ଦ୍ରୁତ ବୋଲିଂ କରିବା ସହ ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବାର ଦକ୍ଷତା ରଖିଛନ୍ତି। ଦକ୍ଷିଣ ଆଫ୍ରିକା ଦଳ ପାଇଁ ସେ ସଙ୍କଟ ମୋଚନ ଥିଲେ। ଯେତେବେଳେ ଅଧିନାୟକ ତାଙ୍କଠୁ ୱିକେଟ୍ ଚାହିଁଥା’ନ୍ତି ସେ ଏହା ପ୍ରାୟତଃ କରିଥା’ନ୍ତି। ରନ୍ ଦରକାର ସମୟରେ ମଧ୍ୟ ସେ ଦଳକୁ ନିରାଶ କରିନଥା’ନ୍ତି। ଏହି ଯୋଗ୍ୟତା ଲାଗି ଟ୍ବେଣ୍ଟି-୨୦ ଦଳରୁ ତାଙ୍କୁ କେହି ବାଦ୍ ଦେଇ ପାରିବେ ନାହିଁ।
କର୍ଟଲି ଆମ୍ବ୍ରୋସ (ୱେଷ୍ଟ୍ଇଣ୍ଡିଜ୍)
ୱେଷ୍ଟ୍ଇଣ୍ଡିଜ୍ର ଏହି ଦ୍ରୁତ ବୋଲରଙ୍କ ଦିନିକିଆ ମିତବ୍ୟୟୀ ହେଉଛି ୩.୩୮। ଗୋଟିଏ ଦିନିକିଆରେ ତାଙ୍କ ବୋଲିଂ ପ୍ରଦର୍ଶନ ୧୦-୫-୫-୧ ଥିଲା। ଏହା ଦେଖିଲେ ୯୦ ଦଶକ ସମୟରେ ୪ ଓଭରରେ ବିଜୟ ଲାଗି ୫୦ ରନ୍ ଆବଶ୍ୟକ ଥିଲେ ଆମ୍ବ୍ରୋସ ବୋଲିଂ କଲେ ଏହା କରିବା ଅସମ୍ଭବ ହୋଇପଡ଼ି ଥାଆନ୍ତା। ସେ ବୋଲିଂ କରୁଥିବା ବେଳେ ନିର୍ଭୁଲ ଭାବେ କ୍ଷୀପ୍ର ଗତିରେ ବଲ୍ ପକାଉଥିଲେ।
ପ୍ୟାଟ୍ ସିମ୍କକ୍ସ (ଦକ୍ଷିଣ ଆଫ୍ରିକା)
ଭାରତୀୟ ଅଫ୍ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ଅଜିର ଟ୍ବେଣ୍ଟି-୨୦ କ୍ରିକେଟ୍ରେ ଯେପରି ପ୍ରଭାବ ରଖିଛନ୍ତି। ପ୍ୟାଟ୍ ସିମକକ୍ସ ଖେଳୁଥିଲେ ସେହିଭଳି ପ୍ରଭାବ ନିଶ୍ଚିତ ରଖିଥା’ନ୍ତା। ତାଙ୍କ ପାଖରେ ବଡ଼ ସଟ୍ ମାରିବାର କ୍ଷମତା ରହିଥିଲା ବେଳେ ନିଜ ଅଫ୍ସ୍ପିନ୍ ଯାଦୁରେ ବ୍ୟାଟ୍ସମ୍ୟାନ୍ଙ୍କୁ ହଇରାଣ କରିଥା’ନ୍ତି ସେ । ଟ୍ବେଣ୍ଟି-୨୦ କ୍ରିକେଟ୍ରେ ବଡ଼ ଚାହିଦା ହେଉଛି ଅଫ୍ସ୍ପିନ୍ ଓ ନିମ୍ନ କ୍ରମ ବ୍ୟାଟିଂ ଦକ୍ଷତା। ଯାହା ତାଙ୍କ ନିକଟରେ ରହିଥିଲା। ସେ ଜଣେ ମତବ୍ୟୟୀ (୪.୧୫) ଦିନିକିଆ ବୋଲର ଥିଲେ। ୧୯୯୦ ଦଶକରେ ଅତିକମ୍ରେ ୩୦୦୦ ବଲ୍ ପକାଇଥିବା ସ୍ପିନର୍ଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ (ରନ୍ ବ୍ୟୟରେ) ତାଙ୍କ ନାଁରେ ରହିଛି।
ଜଭାଗଲ ଶ୍ରୀନାଥ (ଭାରତ)
ମହିଶୁର ଏକ୍ସପ୍ରେସ ଜଭାଗଲ ଶ୍ରୀନାଥ ୯୦ ଦଶକରେ ଭାରତୀୟ ଦ୍ରୁତ ବୋଲିଂ ବାହିନୀର ନେତୃତ୍ବ ନେଇଥିଲେ। ଭାରତରେ ସେ ଦ୍ରୁତ ବୋଲିଂକୁ ପରିଭାଷିତ କରିଥିଲେ। ଟ୍ବେଣ୍ଟି-୨୦ କ୍ରିକେଟ୍ ଲାଗି ସେ ନିଶ୍ଚିତ ଜଣେ ଯୋଗ୍ୟ ଦ୍ରୁତ ବୋଲର। ତାଙ୍କର ମିତବ୍ୟୟୀ ୪.୪୪ ରହିଥିଲା ବେଳେ ବହୁତ କମ୍ ସମୟ ସେ ଖରାପ ବଲ୍ ପକାଇଥା’ନ୍ତି। ତାଙ୍କର ଶେଷ ପ୍ରତିଯୋଗିତାରେ ସେ ୧୬ ୱିକେଟ୍ ନେଇଥିଲେ। ଏବେ ବି ଯୁବ ବ୍ୟାଟ୍ସମ୍ୟାନ୍ଙ୍କୁ ଅଡ଼ୁଆରେ ପକାଇବାର ଦକ୍ଷତା ରଖିଛନ୍ତି ଶ୍ରୀନାଥ। ଏହି ଫଟାଫଟ୍ ଫର୍ମାଟ୍ରେ ବିସ୍ଫୋରକ ବ୍ୟାଟିଂ କରିବାର କ୍ଷମତା ମଧ୍ୟ ତାଙ୍କର ନିକଟରେ ରହିଛି।