ଆହୁରି କନ୍ଦାଇବ ପେଟ୍ରୋଲ୍: ବଢ଼ିଲା ଅଶୋଧିତ ତୈଳ ଦର, ଓପେକ୍‌ ବୈଠକ ବିଫଳ

ସାଉଦି-ୟୁଏଇ ମଧ୍ୟରେ ମତଭେଦ, ଭୋଗିବେ ଭାରତ ଭଳି ତେଲ କିଣୁଥିବା ଦେଶ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ବେଳେ ସାଉଦି ଆରବରୁ ଖରାପ ଖବର ଆସିଛି। ତେଲ ଉତ୍ପାଦନ ବଢ଼ାଇବା ଲାଗି ଓପେକ୍ ରାଷ୍ଟ୍ର ସମୂହର ଯେଉଁ ବୈଠକ ବସିଥିଲା ସେଥିରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ସାଉଦି ଆରବ ଓ ୟୁଏଇ ମଧ୍ୟରେ ମତଭେଦ ରହିବାରୁ ବୈଠକ ବିଫଳ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୭୮ ଡଲାରକୁ ବୃଦ୍ଧି ପାଇଛି। ଭାରତ ଭଳି ତେଲ କିଣୁଥିବା ଦେଶଗୁଡ଼ିକ ଲାଗି ଏହା ହେଉଛି ଖରାପ ଖବର। ଦେଶବାସୀ ପେଟ୍ରୋଲ୍ କିଣିବା ଲାଗି ୧୦୦ ଟଙ୍କାରୁ ଅଧିକ ଦାମ୍ ଗଣୁଥିବା ବେଳେ ଆଗାମୀ ଦିନରେ ସେମାନଙ୍କୁ ପକେଟ୍‌ ଆହୁରି ଫାଙ୍କା କରିବାକୁ ପଡ଼ିବାକୁ ପଡ଼ିବ।

‌ଯେହେତୁ ଭାରତ ଏହାର ତୈଳର ଆବଶ୍ୟକତାର ୮୦% ଆମଦାନି ଜରିଆରେ ପୂରଣ କରୁଛି ତେଣୁ ଅଶୋଧିତ ତୈଳ ଦରରେ ବୃଦ୍ଧି ଦେଶ ଭିତରେ ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଦାମ୍‌ ବୃଦ୍ଧିର କାରଣ ହୋଇଥାଏ। ମହଙ୍ଗା ଅଶୋଧିତ ତେଲ ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲଗାଇଥିବା ଟିକସ ପ୍ରଭାବରେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କାରୁ ଅଧିକ ଓ ଡିଜେଲ୍ ଦାମ୍ ୧୦୦ ଟଙ୍କା ପାଖାପାଖି ମୂଲ୍ୟରେ ବିକ୍ରି ହେଉଛି। କିଛି ଦିନ ତଳେ ଏଲ୍‌ପିଜି ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ହେବାରୁ ଏହାର ଦାମ୍ ୮୬୧ ଟଙ୍କାକୁ ବୃଦ୍ଧି ପାଇଛି। ଅଶୋଧିତ ତୈଳ ଦର ୭୮ ଡଲାରକୁ ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ପେଟ୍ରୋଲ୍, ଡିଜେଲ୍‌ ଓ ଏଲ୍‌ପିଜି ଦାମ୍‌ ଆହୁରି ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି।ଭାରତରେ ଏବେ ବିକ୍ରି ହେଉଥିବା ୧୦୦ ଟଙ୍କାର ପେଟ୍ରୋଲ୍‌ରେ ମୂଳ ଦାମ୍ ୪୦ ଟଙ୍କା ରହିଥିବା ବେଳେ ୬୦ ଟଙ୍କାର ଟିକସ ଲଗାଯାଇଛି। ସେଥିରୁ କେନ୍ଦ୍ର ସରକାର ୩୨-୩୩ ଟଙ୍କାର ଟିକସ ଅସୁଲ କରୁଥିବା ବେଳେ ବଳକା ଟିକସ ରାଜ୍ୟ ସରକାର ଲଗାଇଛନ୍ତି। କରୋନା ମହାମାରୀ ପ୍ରଭାବରେ ରାଜସ୍ବ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ତେଲ ଟିକସରୁ ସରକାର ଯାହା କିଛି ଆୟ କରୁଛନ୍ତି। ତେଣୁ ଏହି ଟିକସ କମ୍ କରିବା ଲାଗି ସରକାର ଆଦୌଁ ଚିନ୍ତା କରୁନାହାନ୍ତି। ଦେଶବାସୀଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଆଜି ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ମୂଲ୍ୟ ୭୭.୭୮ ଡଲାର ହୋଇଛି। ୨୦୧୮ ଅକ୍ଟୋବର ପରେ ପ୍ରଥମ ଥର ଲାଗି ବ୍ରେଣ୍ଟ୍ କ୍ରୁଡ୍‌ ଦାମ୍ ଏଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ୟୁଏସ୍‌ ଟେକ୍ସାସ୍‌ ଇଣ୍ଟରମେଡିଏଡ୍‌ କ୍ରୁଡ୍‌ର ବ୍ୟାରେଲ୍ ପିଛା ଦାମ୍ ୭୬.୯୧ ଡଲାର ହୋଇଛି ଯାହା ୨୦୧୪ ନଭେମ୍ବର ପରେ ସର୍ବାଧିକ। କିଛି ବର୍ଷ ହେଲାଣି ତେଲ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ଜାଣିଶୁଣି ଉତ୍ପାଦନ କମ୍ ରଖିବାକୁ ଉଦ୍ୟମ କରୁଛନ୍ତି। କାରଣ ଏହି ଦେଶଗୁଡ଼ିକର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ତେଲରୁ ହେଉଥିବା ଆୟ ଉପରେ ନିର୍ଭରଶୀଳ ରହିଛି। ଆମେରିକା ନିଜେ ସେଲ୍‌ ଗ୍ୟାସ୍‌ ଉତ୍ପାଦନ କରି ବିକ୍ରି କରୁଥିବାରୁ ଏହା ସାଉଦି ଆରବ, ୟୁଏଇ, ରୁଷିଆ ଭଳି ଦେଶ ଉତ୍ପାଦନ କରୁଥିବା ତେଲ ଉପରେ ଏତେଟା ନିର୍ଭରଶୀଳ ନାହିଁ। ଏଭଳି ପରିସ୍ଥିତିରେ ଚୀନ୍ ଓ ଭାରତ ଏହି ଦେଶଗୁଡ଼ିକ ପାଇଁ ସବୁଠୁ ବଡ଼ ବଜାର ଭାବେ ବିବେଚନା କରାଯାଉଛି। ତେଲ ଉତ୍ପାଦନ କରୁଥିବା ଦେଶଗୁଡ଼ିକର ସମୂହ ଓପେକ୍‌ ସହିତ ରୁଷିଆ ମଧ୍ୟ ହାତ ମିଳାଇଛି। ଫଳରେ ଓପେକ୍ ସମୂହ ସମ୍ପ୍ରସାରିତ ହୋଇ ଓପେକ୍‌+ରେ ପରିଣତ ହୋଇଛି। ଓପେକ୍‌+ର ଯେଉଁ ବୈଠକ ସୋମବାର ବସିଥିଲା ତାହା ବିନା କୌଣସି ନିଷ୍ପତ୍ତିରେ ଶେଷ ହେବା ତେଲ ବଜାରକୁ ବଡ଼ ଝଟ୍‌କା ଦେଇଛି। ପୁଣି ଥରେ କେବେ ଆଲୋଚନା ଆରମ୍ଭ ହେବ ତାହାର ତାରିଖ ମଧ୍ୟ ଘୋଷଣା କରାଯାଇନାହିଁ। ୨୦୨୨ ଶେଷ ପର୍ଯ୍ୟନ୍ତ ଉତ୍ପାଦନ କମ୍ ରଖିବା ଲାଗି ବୈଠକରେ ପ୍ରସ୍ତାବ ଦିଆଯାଇଥିଲା। ଏତେ ଲମ୍ବା ସମୟ ଉତ୍ପାଦନ କମ୍ ରଖି କ୍ଷତିଗ୍ରସ୍ତ ହେବାକୁ ୟୁଏଇ ଚାହୁନାହିଁ। ଏହି ପ୍ରସ୍ତାବ ଉପରେ ସାଉଦି ଆରବ ଓ ୟୁଏଇ ମଧ୍ୟରେ ମତଭେଦ ଦେଖିବାକୁ ମିଳିଥିଲା। ତେଲକୁ ନେଇ ହେଉଥିବା ଆଲୋଚନାକୁ ଆଗକୁ ବଢ଼ାଇବା ଲାଗି ଆମେରିକାର ବାଇଡେନ୍ ସରକାର ଆଗ୍ରହ ‌ପ୍ରକାଶ କରିଛନ୍ତି।

ତେଲ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ମଧ୍ୟରେ ବିଭିନ୍ନ କାରଣକୁ ନେଇ ମତଭେଦ ରହିଛି। କିଛି ଦେଶ ଭଲ ଭାବେ ଜାଣିଛନ୍ତି ଯେ ଏକ ନିର୍ଦିଷ୍ଟ ସ୍ତର ଠାରୁ ତେଲ ଦାମ୍ ଅଧିକ ବଢ଼ିଲେ ଚାହିଦା ପ୍ରଭାବିତ ହେବ। ଏହା ସତ୍ତ୍ବେ ସେମାନେ ଉତ୍ପାଦନ କମାଇବାକୁ ଚାହୁନାହାନ୍ତି। କାରଣ ତେଲ ବିକ୍ରି ନହେଲେ ସେମାନଙ୍କ ଅର୍ଥନୀତିର ଗତି ଅଟକିଯିବ। ଆଉ କିଛି ଦେଶ ଉତ୍ପାଦନ କମ୍ କରି ବଜାରରେ ଥିବା ନିଜର ଆଧିପତ୍ୟକୁ ବଜାୟ ରଖିବାକୁ ଉଦ୍ୟମ କରୁଛନ୍ତି। ସବୁ ଦେଶ ନିଜ କଥା ବିଚାରକୁ ନେଉଥିବାରୁ ଉତ୍ପାଦନ ହ୍ରାସ କରିବା ନିଷ୍ପତ୍ତି ହୋଇପାରୁନାହିଁ। ଇରାକ୍ ଚାହୁନାହିଁ ତେଲ ଦାମ୍‌ ଏକ ନିର୍ଦିଷ୍ଟ ସ୍ତର ଠାରୁ ଅଧିକ ରହୁ।

ସମ୍ବନ୍ଧିତ ଖବର