ପ୍ରଧାନମନ୍ତ୍ରୀ ମୋଦି ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଉଦଘାଟନ କଲେ ପୃଥିବୀର ସର୍ବବୃହତ୍‌ ମୋବାଇଲ୍‌ କାରଖାନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତି  ମୁନ୍‌-ଜେ-ଇନ୍‌ ସୋମବାର ଉତ୍ତରପ୍ରଦେଶର ନୋଏଡ଼ାଠାରେ ବିଶ୍ୱର ସର୍ବବୃହତ୍‌ ମୋବାଇଲ୍‌ ଫୋନ୍‌ କରଖାନା  ଉଦଘାଟନ କରିଛନ୍ତି। ଦକ୍ଷିଣ କୋରିଆର ଇଲେକଟ୍ରୋନିକ୍ସ ମେଜର ସାମ୍‌ସଙ୍ଗ ଏହି କାରଖାନା ନିର୍ମାଣ କରିଛି। ଏହି ବିଶାଳ ମୋବାଇଲ୍‌ ଫୋନ୍‌ ନିର୍ମାଣ କଂପ୍ଲେକ୍ସ ଭାରତ-ଦକ୍ଷିଣ କୋରିଆ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ସମ୍ବନ୍ଧକୁ ପ୍ରତିପାଦିତ କରିଛି। ପ୍ରଧାନମନ୍ତ୍ରୀ ମୋଦି ଓ  ରାଷ୍ଟ୍ରପତି  ମୁନ ମେଟ୍ରୋ ଟ୍ରେନରେ ବସି ନୋଏଡା ଯାଇଥିଲେ। ସେଠାରେ ଦୁଇରାଷ୍ଟ୍ରମୁଖ୍ୟ କାରଖାନା ଉଦଘାଟନ କରିବା ସହ ବୁଲି ଦେଖିଥିଲେ।

ଦକ୍ଷିଣ କୋରିଆର ଟେକ୍‌ ଜ୍ୟାଣ୍ଟ୍‌  ସାମସଙ୍ଗ ନୋଏଡା ସେକ୍ଟର ୮୧ରେ ୩୫ ଏକର ଅଞ୍ଚଳରେ ଏହା ନିର୍ମାଣ କରିଛି। ସାମସଙ୍ଗ  ଭାରତରେ ଏଯାବତ୍‌ ୬୭ ମିଲିୟନ୍‌ ସ୍ମାର୍ଟଫୋନ୍‌ ନିର୍ମାଣ କରିଛି। ଏହି ନୂଆ ଯୋଜନା ଅନୁସାରେ ପ୍ରାୟ ୧୨୦ ମିଲିୟନ୍‌ ମୋବାଇଲ୍‌ ଫୋନ୍‌ ନିର୍ମାଣର ଆଶା ରହିଛି।

ଏବେ ସୁଦ୍ଧା ଭାରତ ଦ୍ୱିତୀୟ ବୃହତ୍‌ ମୋବାଇଲ୍‌ ବଜାର ହୋଇଥିବାରୁ ସାମ୍‌ସଙ୍ଗ୍‌ ଏହାର ଲାଭ ଉଠାଇବା ପାଇଁ ଚିନ୍ତା କରିଛି। କେବଳ ଦ୍ୱିତୀୟ ବୃହତ୍‌ ମୋବାଇଲ୍‌ ବଜାର ନୁହେଁ ବରଂ ପୂରା ବିଶ୍ୱରେ କେବଳ ଭାରତରେ ୧୦ ପ୍ରତିଶତ ମୋବାଇଲ୍‌ ବିକ୍ରି ହୋଇଥାଏ ବୋଲି ରିପୋର୍ଟ ରହିଛି।

ସର୍ଭେରୁ ଜାଣିବାକୁ ମିଳିଛି ଯେ ୨୦୧୭ ମସିହାରେ ଭାରତରେ ମୋବାଇଲ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୨୯୯ ମିଲିୟନ୍‌ ଥିବା ବେଳେ ବର୍ଷ ଶେଷ ବେଳକୁ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ି ୩୪୦ ମିଲିୟନ୍‌ରେ ପହଞ୍ଚିଥିଲା।

୨୦୧୧ ସୁଦ୍ଧା ଭାରତରେ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୪୪୨ ମିଲିୟନ୍‌ରେ ପହଞ୍ଚିଥିବ ବୋଲି ଆକଳନ କରାଯାଇଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ କେବଳ ଭାରତରେ ନୁହେଁ, ସାମସଙ୍ଗ୍‌ ଭାରତ ସମେତ ୟୁରୋପ, ପଶ୍ଚିମ ଏସିଆ, ଆଫ୍ରିକା ଆଦିରେ ମଧ୍ୟ ନିଜର ମୋବାଇଲ୍‌ କାରବାର ବୃଦ୍ଧି କରାଇବାର ଯୋଜନା ରଖିଛି।

ସମ୍ବନ୍ଧିତ ଖବର