ରାଜ୍ୟରେ ମରୁଡ଼ି, କିନ୍ତୁ ରୁପା ବାସନରେ ଖାଉଛନ୍ତି ମୁଖ୍ୟମନ୍ତ୍ରୀ

ବାଙ୍ଗାଲୁରୁ: ସରଳ ଜୀବନ ଯାପନ କରୁଥିବା, ନିଜକୁ ସାଧାରଣ ଗରିବ ଜନତାର ଦୁଃଖସୁଖର ସାଥୀ ବୋଲି କହୁଥିବା ନେତାମାନଙ୍କ ରାଜକୀୟ ଜୀବନଯାପନ ଅନେକ ସମୟରେ ଚର୍ଚ୍ଚାର ଖେରାକ ଯୋଗାଇଥାଏ । ନେତାଙ୍କ ଏଭଳି ଆଚରଣ ସେମାନଙ୍କ ଅସଲ ମୁଖା ଖୋଲିଦିଏ ବୋଲି କୁହାଯାଇପାରେ । ଏପରି ଏକ ଘଟଣା ବେଶ ବିବାଦ ସୃଷ୍ଟି କରିଛି କର୍ଣ୍ଣାଟକରେ । ମୁଖ୍ୟମନ୍ତ୍ରୀ ସଦ୍ଧରାମାୟାଙ୍କ ରାଜକୀୟ ଭୋଜିକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବାବେଳେ ବିରୋଧୀ ବିଜେପିକୁ ଏକ ପ୍ରସଙ୍ଗ ମିଳିଯାଇଛି ।

ରାଜ୍ୟର ଅନେକ ଅଞ୍ଚଳରେ ମରୁଡ଼ି ଦେଖାଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ଗୋଟିଏ ଭୋଜି ଦେବା ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ କେବଳ ଭୋଜିର ବାସନ କିଣିବା ପାଇଁ । ଏହି ବାସନଗୁଡ଼ିକ ସାଧାରଣ ଥାଳି ନୁହେଁ, ଶୁଦ୍ଧ ରୁପାରେ ତିଆରି । ମୁଖ୍ୟମନ୍ତ୍ରୀଙ୍କ କାଳବୁର୍ଗୀ ଗସ୍ତ କାଳରେ ଅନୁଷ୍ଠିତ ସାଧନେ ସମ୍ଭ୍ରମ କାର୍ଯ୍ୟକ୍ରମ ପାଇଁ ଏହି ଭୋଜି ଅନୁଷ୍ଠିତ ହେଉଥିଲା । ଏଥିରେ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ଅଫିସରମାନେ ଯୋଗଦେଇଥିଲେ । କେବଳ ରୁପା ଥାଳି ନୁହେଁ, ଖାଦ୍ୟ ପ୍ରସ୍ତୁତି ପାଇଁ ବାଙ୍ଗାଲୁରୁ ରେ ବୋଧହୁଏ ଯୋଗ୍ୟ ରୋଷେୟା ନଥିଲେ, ସୁଦୂର ହାଇଦ୍ରାବାଦରୁ ମଗାହୋଇଥିଲା ଏକ କ୍ୟାଟରିଂ ସଂସ୍ଥା । ସେ ବାବଦରେ ମଧ୍ୟ କିଛି ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଏସବୁ ଖର୍ଚ୍ଚ ଟିକସଦାତାଙ୍କ ଅର୍ଥରୁ ଯାଇଛି ।

ଆଗକୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବାବେଳେ ବିରୋଧୀ ବିଜେପିକୁ ଏକ ଭଲ ଅସ୍ତ୍ର ମିଳିଯାଇଛି । ନିଜକୁ ଗରିବର ବନ୍ଧୁ କହୁଥିବା, ଲୋହିଆଙ୍କ ଆଦର୍ଶରେ ବିଶ୍ୱାସ କରୁଥିବାର ଦାବି କରୁଥିବା ସୁଦ୍ଧରାମାୟାଙ୍କ ଅସଲ ମୁଖା ଖୋଲିଯାଇଛି ବୋଲି କହିଛନ୍ତି ସ୍ଥାନୀୟ ବିଜେପି ନେତା ରାଜକୁମାର ତେଲକୁର ।

ସମ୍ବନ୍ଧିତ ଖବର