ବର୍ଷକରେ ୧୪,୬୫୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ମୁମ୍ବାଇ: ଷ୍ଟକ ମାର୍କେଟରେ ଆଜି ଥିଲା ୨୦୨୩-୨୪ ଆର୍ଥିକ ବର୍ଷର ଶେଷ କାରବାର ଦିବସ। ଶେଷଦିନରେ ଭାରତୀୟ ଷ୍ଟକ୍‌ ବଜାର ଭଲ ପ୍ରଦର୍ଶନ କରିଛି। ସେନ୍‌ସେକ୍ସ ୬୫୫.୦୪ ପଏଣ୍ଟ (୦.୯୦%) ବୃଦ୍ଧି ପାଇ ୭୩,୬୫୧.୩୫ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍‌ଟି ୨୦୩.୨୫ ପଏଣ୍ଟ ବା ୦.୯୨ ପ୍ରତିଶତ ବୃଦ୍ଧି ଘଟି ୨୨,୩୨୬ ପଏଣ୍ଟରେ ବନ୍ଦ ହୋଇଛି। ଚଳିତ ସପ୍ତାହରେ ସେନସେକ୍ସ ୮୧୯ ପଏଣ୍ଟ ଏବଂ ନିଫ୍‌ଟି ୨୩୦ ପଏଣ୍ଟ ବୃଦ୍ଧି ଘଟିଛି। କିନ୍ତୁ ୨୦୨୩-୨୪ ଆର୍ଥିକ ବର୍ଷର ତଥ୍ୟକୁ ଦେଖିଲେ ସେ‌ନସେକ୍ସ ଏବର୍ଷ ୧୪,୬୫୯.୮୩ ପଏଣ୍ଟ (୨୪.୮୫ ପ୍ରତିଶତ) ବୃଦ୍ଧି ଘଟିଛି। ସେହିଭଳି ନିଫ୍‌ଟି ଏବର୍ଷ ୪୯୬୭.୧୫ ପଏଣ୍ଟ (୨୮.୬୧ ପ୍ରତିଶତ) ଉପରକୁ ଉଠିଛି।

ଡଲାର ତୁଳନାରେ ଟଙ୍କା ମୂଲ୍ୟ ରେକର୍ଡ ସ୍ତରକୁ ହ୍ରାସ ପାଇବା ସତ୍ତ୍ବେ ବିଭିନ୍ନ କ୍ଷେତ୍ରର ସେୟାର ଅଧିକ ମାତ୍ରାରେ ନିବେଶକମାନେ କିଣିବା ଦ୍ବାରା ପୁଞ୍ଜି ବଜାର ଊର୍ଦ୍ଧ୍ବମୁଖୀ ହୋଇଛି। ମୁଖ୍ୟତଃ ଶକ୍ତି, ଅଟୋମୋବାଇଲ ଏବଂ ଧାତବ କ୍ଷେତ୍ରର ସେୟାର ଚାହିଦା ଅଧିକ ରହିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁଞ୍ଜି ବଜାର ଊର୍ଦ୍ଧ୍ବମୁଖୀ ରହିବା ଫଳରେ ଭାରତୀୟ ପୁଞ୍ଜି ବଜାର ଉପରକୁ ଉଠିଛି। ଛୋଟ କମ୍ପାନିଙ୍କ ବଜାରପୁଞ୍ଜି ୨୬ ଲକ୍ଷ କୋଟି ବଢ଼ିଲା। ଛୋଟ କମ୍ପାନିରେ ପୁଞ୍ଜି ଖଟାଇଥିବା ନିବେଶକମାନେ ୨୦୨୩-୨୪ ଆର୍ଥିକ ବର୍ଷରେ ମାଲାମାଲ ହୋଇଛନ୍ତି। ସ୍ମଲକ୍ୟାପ୍‌ର ବଜାରପୁଞ୍ଜି ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଷ୍ଟକ ବଜାରର ମୋଟ ବଜାରପୁଞ୍ଜି ଚଳିତ ଆର୍ଥିକ ବର୍ଷ ୧୨୯ ଲକ୍ଷ କୋଟି ବୃଦ୍ଧି ପାଇ ୩୮୬.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର