ଚାରି ମାସର ଅର୍ଥ ଆବଣ୍ଟନ ଅନୁମତି: ୩୧ ସୁଦ୍ଧା କାମ ସାରିବାକୁ କହିଲା ଅର୍ଥ ବିଭାଗ

ଭୁବନେଶ୍ବର: ଚଳିତ ବର୍ଷ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ଲାଗି ଲେଖାନୁଦାନ ଉପସ୍ଥାପନ ହୋଇଥିଲା। ସେଥିରେ ବିଭିନ୍ନ ବିଭାଗ ଲାଗି ଯେଉଁ ବ୍ୟୟବରାଦ କରାଯାଇଛି ତାହା ହାସଲ କରିବା ଲାଗି ବିଭାଗଗୁଡ଼ିକୁ ଅନୁମତି ଦିଆଯାଇଛି। ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ସମସ୍ତ ବିଭାଗକୁ ଜାରି କରିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଏପ୍ରିଲ୍‌ ୧ରୁ ଆରମ୍ଭ ହେଉଥିବା ଚାରି ମାସ ଲାଗି ପ୍ରଶାସନିକ ବିଭାଗଗୁଡ଼ିକ ବ୍ୟୟ ହାସଲ କରିପାରିବେ। ଚଳିତ ମାସ ୨୧ରେ ଓଡ଼ିଶା ଟ୍ରେଜେରି ପୋର୍ଟାଲ୍‌ରେ ବଜେଟ୍‌‌ରେ କରାଯାଇଥିବା ବ୍ୟୟ ଅଟକଳ ଉପଲବ୍ଧ କରାଯାଇଛି। ମାର୍ଚ୍ଚ ୨୭ରୁ ପ୍ରଶାସନିକ ବିଭାଗଗୁଡ଼ିକ ସେମାନଙ୍କ କଣ୍ଟ୍ରୋଲିଂ ଅଫିସରଙ୍କୁ ଆଲଟ୍‌ମେଣ୍ଟ୍ ଆବଣ୍ଟନ କରିପାରିବେ। ଏହା ପରେ କଣ୍ଟ୍ରୋଲିଂ ଅଫିସରମାନେ ବଜେଟ୍ ବ୍ୟୟବରାଦକୁ ମାର୍ଚ୍ଚ ୨୮ରୁ ଡିଡିଓମାନଙ୍କୁ ଆବଣ୍ଟନ କରିପାରିବେ। ବଜେଟ୍‌ ଆବଣ୍ଟନକୁ ବାଣ୍ଟିବାର ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ କିମ୍ବା ତା’ ପୂର୍ବରୁ ଶେଷ କରିବାକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ଏହା ହେଲେ ଟ୍ରେଜେରି ଓ ସବ୍‌ ଟ୍ରେଜେରିଗୁଡ଼ିକୁ ଆସନ୍ତା ଆର୍ଥିକ ବର୍ଷ (୨୦୨୪-୨୫)ର ଦାବି ଓ ବିଲ୍‌ଗୁଡ଼ିକର ପ୍ରକ୍ରିୟାକରଣ କରିପାରିବେ।

ଏହି ଚିଠିରେ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଗ୍ଲୋବାଲ୍ ଆଲଟ୍‌ମେଣ୍ଟ୍‌ ସିଷ୍ଟମ୍‌ ଅଧୀନରେ ଆସୁଥିବା ବଜେଟ୍‌ ଅଟକଳକୁ କଣ୍ଟ୍ରୋଲିଂ ଅଫିସରମ‌ାନେ ଡିଡିଓମାନଙ୍କୁ ଆବଣ୍ଟନ କରିବାର ଆବଶ୍ୟକତା ନାହିଁ। ବିଭିନ୍ନ ସମୟରେ ଅର୍ଥ ବିଭାଗ ଜାରି କରୁଥିବା ସ୍ବତନ୍ତ୍ର ନିର୍ଦ୍ଦେଶନାମା ଅନୁସାରେ ବଜେଟ୍ ଅଟ୍ଟକଳର ପାଣ୍ଠି ମଞ୍ଜୁର ଓ ଜାରି ହେବ। ଡିଡିଓମାନେ ଯେଭଳି ଏପ୍ରିଲ୍ ୧ରୁ ସେମାନଙ୍କ ଦାବି ଉପସ୍ଥାପନ କରିବା ଲାଗି ସକ୍ଷମ ହୋଇପାରିବେ, ସେଥିପାଇଁ ବଜେଟ୍ ବ୍ୟୟବରାଦକୁ ଆବଣ୍ଟନ କରିବା ଲାଗି ପ୍ରଶାସନିକ ବିଭାଗଗୁଡ଼ିକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର