ବେକାରୀକୁ ନେଇ ମୁହାଁମୁହିଁ: ରିପୋର୍ଟକୁ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଖଣ୍ଡନ

ବେକାରଙ୍କ ମଧ୍ୟରେ ୮୩% ଯୁବବର୍ଗ: ଆଇଏଲ୍‌ଓ

ନୂଆଦିଲ୍ଲୀ: ବେକାରୀ ତଥ୍ୟକୁ ନେଇ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ) ଓ ଭାରତ ସରକାର ମୁହାଁମୁହିଁ ହୋଇଛନ୍ତି। ଆଇଏଲ୍‌ଓ ଏହାର ଏକ ରିପୋର୍ଟରେ କହିଛି ଯେ ଭାରତରେ ଯୁବବର୍ଗଙ୍କ ବେକାରୀସ୍ଥିତି ବହୁ ଅଧିକ ରହିଛି। ଭାରତର ମୋଟ ବେକାରଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ପ୍ରାୟ ୮୩ ପ୍ରତିଶତ। କେବଳ ସେତିକି ନୁହେଁ, ବେକାରଙ୍କ ମଧ୍ୟରେ ଶିକ୍ଷିତ ଯୁବବର୍ଗଙ୍କ ସଂଖ୍ୟା ୫୪.୨ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୨ ମସିହାରେ ୬୫.୭ ପ୍ରତିଶତରେ ପହଞ୍ଚିଛି। ଭାରତରେ ବେକାରୀ ସମସ୍ୟା ମୁଖ୍ୟତଃ ଯୁବବର୍ଗଙ୍କ ମଧ୍ୟରେ ଅଧିକ ମାତ୍ରାରେ ରହିଛି। ବିଶେଷକରି ସହରାଞ୍ଚଳର ଶିକ୍ଷିତଙ୍କ ମଧ୍ୟରେ ବେକାରୀ ହାର ଅଧିକ ବୋଲି ରିପୋର୍ଟରେ କୁହାଯାଇଛି। କିନ୍ତୁ ଉକ୍ତ ରିପୋର୍ଟକୁ କେନ୍ଦ୍ର ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଖଣ୍ଡନ କରିଛନ୍ତି। ଭାରତୀୟ ଏଜେନ୍ସିଙ୍କ ଦ୍ବାରା ତଥ୍ୟ ଭିନ୍ନ ଚିତ୍ର ପ୍ରଦାନ କରୁଥିବା ସେ ଦାବି କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ରେ ୬୪ ନିୟୁତ ଲୋକ ପଞ୍ଜିକୃତ ହୋଇଛନ୍ତି। ଉକ୍ତ ସଂଖ୍ୟା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ବହୁ ଅନ୍ୟ ଦେଶର ଜନସଂଖ୍ୟା ଠାରୁ ଅଧିକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି। ଦେଶରେ ୩୪ କୋଟି ମୁଦ୍ରା ଋଣ ପ୍ରଦାନ କରାଯାଇଛି। ଏଥିଯୋଗୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ସେମାନେ ନିଯୁକ୍ତି ଆଶାୟୀ ହେବା ପରିବର୍ତ୍ତେ ନିଯୁକ୍ତି ପ୍ରଦାନକାରୀରେ ପରିଣତ ହୋଇଛନ୍ତି।

ଆଇଏଲ୍‌ଓ ରିପୋର୍ଟ ଉପରେ ମତବ୍ୟକ୍ତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବର୍ଷ ବର୍ଷ ଧରି ଭାରତ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସିଗୁଡ଼ିକ ଉପରେ ନିର୍ଭର କରି ଆସୁଛି। କିନ୍ତୁ ଏବେ ଘରୋଇ ସଂସ୍ଥାଗୁଡ଼ିକର ତଥ୍ୟକୁ ଦେଖିବା ଆବଶ୍ୟକ। କାରଣ ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଭଳି ସାମର୍ଥ୍ୟ ରଖିଛନ୍ତି। ଦାସତ୍ବ ମାନସିକତା କାରଣରୁ ଆମେ ଏବେ ବି ବିଦେଶୀ ରେଟିଂ ସଂସ୍ଥାଗୁଡ଼ିକ ଉପରେ ନିର୍ଭରଶୀଳ ରହିଛେ। ଆମକୁ ଏହା ପରିସରରୁ ବାହାରିବାକୁ ହେବ ଏବଂ ଆମ ଦେଶର ସଂସ୍ଥାଗୁଡ଼ିକ ଉପରେ ଆସ୍ଥା ରଖିବାକୁ ପଡ଼ିବ। ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ଉଦ୍ୟୋଗୀଙ୍କୁ ସହାୟତା କରିବା ପାଇଁ ନୀତି ପ୍ରସ୍ତୁତ କରି ନିଯୁକ୍ତି ସୃଷ୍ଟି କରୁଛନ୍ତି। ଷ୍ଟାର୍ଟଅପ୍ ସଂସ୍ଥା ଆରମ୍ଭ କରିବା ଲାଗି ଲୋକମାନେ ଏବେ ପଛଘୁଞ୍ଚା ଦେଉନାହାନ୍ତି। ସମ୍ମାନଜନକ ପ୍ରତିଷ୍ଠାନରେ ଶିକ୍ଷାଲାଭ କରି ବିଦେଶରେ ଚାକିରି କରିଥିବା ବ୍ୟକ୍ତି ଦେଶକୁ ଫେରି ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି। ଏଭଳି ଅନେକ ବ୍ୟକ୍ତିଙ୍କୁ ସେ ଭେଟିଛନ୍ତି ବୋଲି ଶ୍ରୀ ଠାକୁର କହିଛନ୍ତି।

ସମ୍ବନ୍ଧିତ ଖବର