ଫନି ସମୟ‌ର ଏସ୍‌ଏମ୍ଏସ୍‌ ଖର୍ଚ ଛାଡ଼ ପାଇଁ ଦାବି

ଭୁବନେଶ୍ବର: ବାତ୍ୟା ଫନି ସମୟରେ ଲୋକମାନଙ୍କୁ ପାଖକୁ ଏସ୍‌ଏମ୍‌ଏସ୍‌ ପଠାଇବା ବାବଦରେ ହୋଇଥିବା ଖର୍ଚ ଛାଡ଼ କରିବାକୁ ଓଡ଼ିଶା ସରକାର ଦାବି କରିଛନ୍ତି। ରାଜ୍ୟ ସରକାରଙ୍କ ଦାବି ବିଷୟରେ ବିଚାର କରିବାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଏନ୍‌ଡିଏମ୍‌ଏ) ସଦସ୍ୟ ସଚିବ ଜି ଭି ଭି ଶର୍ମା କେନ୍ଦ୍ର ଦୂରସଂଚାର ସଚିବ ଅଂଶୁ ପ୍ରକାଶଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଗତ ମେ’ ୨‌ରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଜାତୀୟ ସଙ୍କଟ ମୁକାବିଲା କମିଟିର ଏକ ବୈଠକ ହୋଇଥିଲା ନିଷ୍ପତ୍ତିି ବିଷୟରେ ଶ୍ରୀ ଶର୍ମା ପୁଣି ଥରେ ଦୂରସଂଚାର ବିଭାଗକୁ ମନେ ପକାଇ ଦେଇଛନ୍ତି। ଗତ ମେ’ ୩ରେ ବାତ୍ୟା ଫନି ସ୍ଥଳ ଭାଗ ଛୁଇଁଥିଲା। ସେହି ସମୟରେ ୧୪ଟି ପ୍ରଭାବିତ ଜିଲ୍ଲାର ଲୋକମାନଙ୍କ ପାଖକୁ ୧.୮୦ କୋଟି ଏସଏମଏସ ଆଲର୍ଟ ପଠାଯାଇଥିଲା। ଏହା ସତ୍ତ୍ବେ ବିଏସଏନଏଲ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏସଏମଏସ ବାବଦରେ ୪.୯୮ କୋଟି ଟଙ୍କାର ବିଲ ପଠାଯାଇଛି। ଏହା ପରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଏସଏମଏସ ବାବଦ ଅର୍ଥ ଆଦାୟ ନକରିବା ଲାଗି ବିଏସଏନଏଲ ଓ ଅନ୍ୟ ଦୂରସଂଚାର କଂପାନିଗୁଡ଼ିକୁ ନିର୍ଦେଶ ଦେବା ଲାଗି ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର