ତୈଳ ଦରବୃଦ୍ଧି ‌ନେଇ ଉଦ୍‌ବେଗ : ମୋଦୀଙ୍କୁ ଚିଠି ଲେଖିଲେ ସୋନିଆ

ଓପେକ୍, କୋଭିଡ୍‌ ପାଇଁ ଦର ବଢ଼ୁଛି: ଧର୍ମେନ୍ଦ୍ର
ଟିକସ ୧ ଟଙ୍କା ହ୍ରାସ କଲା ପଶ୍ଚିମବଙ୍ଗ, ୪ ରାଜ୍ୟ କମାଇଲେଣି

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତୈଳ ଦରବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ତୈଳ ଦର ଏବେ ଐତିହାସିକ ଉଚ୍ଚ ସ୍ତରରେ ରହିଛି। ଦେଶର କେତେକ ସ୍ଥାନରେ ପେଟ୍ରୋଲ୍ ୧୦୦ ଟଙ୍କାରୁ ଅଧିକ ହୋଇଗଲାଣି। ଡିଜେଲ୍ ଦରରେ ବୃଦ୍ଧି ଲକ୍ଷ ଲକ୍ଷ ଚାଷୀଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି। ଲୋକମାନଙ୍କ ଦୁଃଖ ଓ ପୀଡ଼ାରୁ ଲାଭ କରିବାକୁ ସରକାର ପସନ୍ଦ କରିଛନ୍ତି ବୋଲି ସେ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ସେ ଜଣାଇଛନ୍ତି ଯେ ଅଶୋଧିତ ତେଲ ଦର କଂଗ୍ରେସ ଅମଳ ତୁଳନାରେ ଅଧାରୁ ମଧ୍ୟ କମ୍ ରହିଛି। ଏବେବି ଦର ମଧ୍ୟମ ସ୍ତରରେ ଥିବା ସତ୍ତ୍ବେ ପେଟ୍ରୋଲ୍, ଡିଜେଲ୍ ଦାମ୍ ବଢ଼ୁଛି। ଆପଣଙ୍କ ସରକାର ଏକ ଲିଟର ପେଟ୍ରୋଲ୍‌ରୁ ୩୩ ଟଙ୍କା ଓ ଡିଜେଲ୍‌ରୁ ୩୨ ଟଙ୍କାର ଟିକସ ସଂଗ୍ରହ କରୁଛନ୍ତି। ଟିକସ ପରିମାଣ ପେଟ୍ରୋଲ୍‌ର ମୂଳ ଦାମ୍‌ ଠାରୁ ଅଧିକ ରହିଛି। ଅର୍ଥନୀତିର ଦୁର୍ଗତିକୁ ଲୁଚାଇବା ଲାଗି ଏହା ଏକ ଉଦ୍ୟମ ଛଡ଼ା ଆଉ କିଛି ‌ନୁହେଁ ବୋଲି ସୋନିଆ ଚିଠିରେ ଲେଖିଛନ୍ତି।

ଆଜି ପଶ୍ଚିମବଙ୍ଗ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ୧ ଟଙ୍କାର ଟିକସ ହ୍ରାସ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଛନ୍ତି ଯେ ଏହା ଲୋକମାନଙ୍କ ବୋଝକୁ କିଛିଟା ହାଲୁକା କରିବାରେ ସହାୟକ ହେବ। ମୋଦୀ ସରକାର ଆସିବା ପୂର୍ବରୁ ମୋଟ ଟିକସରେ ସେସ୍‌ର ଭାଗ ୮% ଥିଲା ଯାହା ଏବେ ବୃଦ୍ଧି ପାଇ ୧୪.୫% ହୋଇଗଲାଣି ବୋଲି ସେ କହିଛନ୍ତି। ତେଲ ଉପରୁ ଟିକସ କମାଇବାରେ ପଶ୍ଚିମବଙ୍ଗ ହେଉଛି ଚତୁର୍ଥ ରାଜ୍ୟ। ଏହା ପୂର୍ବରୁ ରାଜସ୍ଥାନ, ଆସାମ ଓ ମେଘାଳୟ ସରକାର ତେଲରୁ ଟିକସ କମାଇଥିଲେ। ମେଘାଳୟ ସରକାର ସର୍ବାଧିକ ୭ ଟଙ୍କା ୧୦ ପଇସାର ରିହାତି ଦେଇଥିଲେ। ରାଜସ୍ଥାନ ଭାଟ୍‌କୁ ୩୮%ରୁ କମାଇ ୩୬% କରିଥିଲା। କୋଭିଡ୍‌ ପାଇଁ ଆସାମ ଲଗାଇଥିବା ୫% ଅତିରିକ୍ତ ଟିକସ ପ୍ରତ୍ୟାହାର କରିିଥିଲା।

ତେବେ ତେଲ ଦରବୃଦ୍ଧି ପାଇଁ ଦୁଇଟି କାରଣକୁ ଦାୟୀ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓପେକ୍‌ ସମୂହର ଅଂଶ ଥିବା ଦେଶଗୁଡ଼ିକ ତୈଳ ଉତ୍ପାଦନ ହ୍ରାସ କରିବା ଓ କୋଭିଡ୍‌-୧୯ ପ୍ରଭାବ ଯୋଗୁଁ ପେଟ୍ରୋଲ୍ ଓ ଡିଜେଳ୍ ଦାମ୍ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ଅଧିକ ଲାଭ ସଂଗ୍ରହ ଆଶା ରଖି ଓପେକ୍ ଦେଶଗୁଡ଼ିକ ଉତ୍ପାଦନ କମ୍ ରଖୁଛନ୍ତି। ସେଥିପାଇଁ ଭାରତ ଭଳି ତେଲ ଆମଦାନି କରୁଥିବା ଦେଶଗୁଡ଼ିକୁ ସର୍ବାଧିକ ପ୍ରଭାବିତ ହେଉଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର