ସ୍ବିସ୍‌ ବ୍ୟାଙ୍କରୁ ଭାରତୀୟଙ୍କ ମୋହ ଭଙ୍ଗ, ଭାରତୀୟଙ୍କ ଜମା ୬୭୫୭ କୋଟିକୁ ହ୍ରାସ

ଜୁରିକ୍/ନୂଆଦିଲ୍ଲୀ: ସ୍ବିସ୍‌ ବ୍ୟାଙ୍କ ପ୍ରତି ଭାରତୀୟଙ୍କ ମୋହ ଭଙ୍ଗ ହୋଇଥିବା ଭଳି ମନେ ହେଉଛି। ୨୦୧୮ରେ ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ୬% ହ୍ରାସ ପାଇ ୬୭୫୭ କୋଟି ଟଙ୍କାକୁ ଖସି ଆସିଛି। ବିଗତ ଦୁଇ ଦଶନ୍ଧୀ ମଧ୍ୟରେ ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଏହା ଦ୍ବିତୀୟ ସର୍ବନିମ୍ନ ଜମା। ସ୍ବିଜରଲ୍ୟାଣ୍ଡ୍‌ର କେନ୍ଦ୍ରୀୟ ବ୍ୟାଙ୍କ-ସ୍ବିସ୍‌ ନ୍ୟାସନାଲ୍ ବ୍ୟାଙ୍କ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। କେବଳ ଭାରତୀୟ ନୁହେଁ, ସ୍ବିସ୍‌ ବ୍ୟାଙ୍କରେ ସମସ୍ତ ବିଦେଶୀ ଗ୍ରାହକଙ୍କ ଜମା ୪% ହ୍ରାସ ପାଇ ୯୯ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ସ୍ବିଜରଲ୍ୟାଣ୍ଡ୍‌ରେ ମୋଟ ୨୪୮ଟି ବ୍ୟାଙ୍କ ରହିଛି।

ଜାରି ହୋଇଥିବା ତଥ୍ୟରେ ଭାରତୀୟ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକର ସମସ୍ତ ପ୍ରକାର ଜମା ଓ ଅନ୍ୟାନ୍ୟ ସମ୍ପତ୍ତିକୁ ସାମିଲ କରାଯାଇଛି। ଭାରତରେ ଥିବା ସ୍ବିସ୍‌ ବ୍ୟାଙ୍କ ଶାଖାଗୁଡ଼ିକର ଜମାକୁ ମଧ୍ୟ ଏଥିପାଇଁ ବିଚାରକୁ ନିଆଯାଇଛି। ତେବେ ଭାରତୀୟମାନଙ୍କ କେତେ ପରିମାଣର କଳାଧନ ଜମା ରହିଛି ସେ ସମ୍ପର୍କିତ କୌଣସି ସୂଚନା ସ୍ବିସ୍ କେନ୍ଦ୍ରୀୟ ବ୍ୟାଙ୍କ ଜାରି କରିନାହିଁ। ଭାରତୀୟ କିମ୍ବା ପ୍ରବାସୀ ଭାରତୀୟ ବ୍ୟକ୍ତିମାନେ ଅନ୍ୟ ବିଦେଶର କୌରସି ସଂସ୍ଥା ନାମରେ ସ୍ବିସ୍‌ ବ୍ୟାଙ୍କରେ ରଖିଥିବା ଜମାକୁ ମଧ୍ୟ ଏହି ତଥ୍ୟରେ ସାମିଲ କରାଯାଇନାହିଁ। ସ୍ବିସ୍‌ ବ୍ୟାଙ୍କରେ କ୍ରମାଗତ ତିନି ବର୍ଷ ପର୍ଯ୍ୟନ୍ତ ଭାରତୀୟଙ୍କ ଜମା ପରିମାଣ ହ୍ରାସ ପାଇବା ପରେ ୨୦୧୭ରେ ତାହା ୫୦%ରୁ ଅଧିକ ବୃଦ୍ଧି ପାଇ ୭୦୦୦ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୧୮ରେ ଏହି ଜମା ରାଶି ପରିମାଣ ୬୭୫୭ କୋଟି ଟଙ୍କାକୁ ଖସି ଆସିଛି। ଶେଷ ଥର ପାଇଁ ୧୯୯୫ରେ ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି ପରିମାଣ ଏତେ କମ୍ ରହିଥିଲା। ସ୍ବିଜରଲ୍ୟାଣ୍ଡ୍‌ର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ପ୍ରତି ତିନି ମାସରେ ଥରେ ବ୍ୟାଙ୍କ ତଥ୍ୟ ଜାରି କରାଯାଉଛି। ୨୦୧୮ର ପ୍ରଥମ ତିନି ମାସରେ ସ୍ବିସ୍‌ ବ୍ୟାଙ୍କରେ ଜମା ରାଶି ବଢ଼ିଥିବା ବେଳେ ଅନ୍ୟ ୯ ମାସରେ ଜମା ପରିମାଣ ହ୍ରାସ ପାଇଥିଲା ବୋଲି ଜଣାପଡ଼ିଛି। ୨୦୦୬ ବେଳକୁ ସ୍ବିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ସର୍ବାଧିକ ୨୩ ହଜାର କୋଟି ଟଙ୍କା ଥିଲା। ଏହାର ପରବର୍ତି ୧୦ ବର୍ଷ ଭିତରେ ଜମା ପରିମାରଣ ଏକ ଦଶମାଂଶ ହ୍ରାସ ପାଇଛି। ଚଳିତ ଦଶନ୍ଧୀରେ କେବଳ ୨୦୧୧, ୨୦୧୩ ଓ ୨୦୧୭ରେ ଭାରତୀୟଙ୍କ ଜମା ରାଶିରେ ବୃଦ୍ଧି ଦେଖିବାକୁ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୮ର ଭାରତୀୟଙ୍କ ବ୍ୟାଙ୍କ ତଥ୍ୟକୁ ସ୍ବିସ୍‌ କର୍ତ୍ତୃପକ୍ଷ ୨୦୧୯ ସେପ୍ଟେମ୍ବରରେ ହସ୍ତାନ୍ତର କରିବେ। ଏହା ପରଠାରୁ ପ୍ରତିବର୍ଷ ଭାରତୀୟଙ୍କ ବିଷୟରେ ତଥ୍ୟ ସ୍ବୟଂଚାଳିତ ଭାବେ ଉଭୟ ଦେଶ ମଧ୍ୟରେ ଆଦାନପ୍ରଦାନ ହେବ। ଏନେଇ ଦୁଇ ଦେଶ ମଧ୍ୟରେ ପୂର୍ବରୁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ସମ୍ବନ୍ଧିତ ଖବର