ଜାନୁଆରି ୨୩ରୁ ଏୟାର ଇଣ୍ଡିଆକୁ ଚଲାଇବ ଟାଟା

ନୂଆଦିଲ୍ଲୀ: ବିମାନ କଂପାନି ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍‌କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୨ ଜାନୁଆରି ୨୩ ତାରିଖରୁ ଏୟାର ଇଣ୍ଡିଆର ପରିଚାଳନା ଟାଟା ହାତକୁ ଯିବ ବୋଲି ଜଣାପଡ଼ିଛି। ଏହି ତାରିଖ ସୁଦ୍ଧା ଅଧିଗ୍ରହଣ ପ୍ରକ୍ରିୟାକୁ ଶେଷ କରିବା ଲାଗି ଉଭୟ ସରକାର ଓ ଟାଟା ଗ୍ରୁପ୍ ସହମତ ହୋଇଛନ୍ତି। ତେବେ ହିସାବ ଖାତାକୁ ନେଇ କୌଣସି ମତଭେଦ ଦେଖାଦେଲେ ଏହି ତାରିଖ ଆଗକୁ ବଢ଼ିପାରେ ବୋଲି ମଧ୍ୟ କୁହାଯାଉଛି। ଏୟାର ଇଣ୍ଡିଆକୁ ହସ୍ତାନ୍ତର କରିବା ପ୍ରକ୍ରିୟାରେ କୌଣସି ବିଳମ୍ବ ହେବା ଭଳି ମନେ ହେଉନାହିଁ। ଚଳିତ ବର୍ଷ ଶେଷ ସୁଦ୍ଧା କଂପାନିର ମାଲିକାନାକୁ ଟାଟା ହାତକୁ ଟେକି ଦେବା ଲାଗି ସରକାର ଉଦ୍ୟମ କରୁଛନ୍ତି। ଜାତୀୟକରଣ ହେବାର ୬୮ ବର୍ଷ ପରେ ପୁଣି ଥରେ ଟାଟା ପାଖକୁ ଏୟାର ଇଣ୍ଡିଆ ଫେରିଛି। ଟାଟା ଏୟାରଲାଇନ୍ସ ନାମରେ ଏହି ସଂସ୍ଥାକୁ ଜେଆର୍‌ଡି ଟାଟା ସ୍ଥାପନ କରିଥିଲେ। କିଛି ବର୍ଷ ପରେ ତାହା ସରକାରଙ୍କ ମାଲିକାନାକୁ ଚାଲିଯାଇଥିଲା। ବହୁ ବର୍ଷ ପର୍ଯ୍ୟନ୍ତ ଯାତ୍ରୀ ସେବା ଯୋଗାଇବାରେ ଏୟାର ଇଣ୍ଡିଆ ଅନେକ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଥିଲା। ଚଳିତ ବର୍ଷ ଏୟାର ଇଣ୍ଡିଆକୁ ୧୮ ହଜାର କୋଟି ଟଙ୍କାରେ ଟାଟା ଗ୍ରୁପ୍ କିଣିବାରେ ସଫଳ ହୋଇଛି।

ସମ୍ବନ୍ଧିତ ଖବର