ଦେଶରେ କମୁଛନ୍ତି ଟେଲିଫୋନ ଗ୍ରାହକ

୧୧୯.୦୬ କୋଟିରୁ ୧୧୭. ୫କୋଟିକୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଟେଲିଫୋନ୍‌ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି। ଗତବର୍ଷ ଡିସେମ୍ବର ତୁଳନାରେ ଚଳିତବର୍ଷ ଜାନୁଆରିରେ ଦେଶରେ ଟେଲିଫୋନ୍‌ ଗ୍ରାହକଙ୍କ ସଂଖ୍ୟା ୧.୩୨ ପ୍ରତିଶତ ହ୍ରାସ ଘଟିଛି। ଫଳରେ ୨୦୧୮ ଜାନୁଆରିରେ ଦେଶରେ ଟେଲିଫୋନ୍‌ ଗ୍ରାହକଙ୍କ ସଂଖ୍ୟା ୧୧୭ କୋଟି ୫୦ ଲକ୍ଷକୁ ଖସିଆସିଛି। ୨୦୧୭ ଡିସେମ୍ବର ଶେଷ ସୁଦ୍ଧା ଦେଶରେ ଟେଲିଫୋନ୍‌ ଉପଭୋକ୍ତାଙ୍କ ସଂଖ୍ୟା ୧୧୯ କୋଟି ୬ ଲକ୍ଷ ରହିଥିଲା। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ଦେଶରେ ଉଭୟ ମୋବାଇଲ ଓ ଲ୍ୟାଣ୍ଡଲାଇନ୍‌ ଗ୍ରାହକଙ୍କ ସଂଖ୍ୟା କମିଛି। ତଥ୍ୟରୁ ଏହା ଜଣାଯାଇଛି ଯେ ମୋବାଇଲ ଫୋନ୍‌ ଗ୍ରାହକଙ୍କ ସଂଖ୍ୟା ଗତ ଜାନୁଆରିରେ ୧.୩୩ ପ୍ରତିଶତ ହ୍ରାସ ଘଟି ୧୧୫ କୋଟି ୧୯ ଲକ୍ଷରେ ପହଞ୍ଚିଛି। ସେହିଭଳି ଲ୍ୟାଣ୍ଡଲାଇନ୍‌ ଟେଲିଫୋନ୍‌ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ଜାନୁଆରିରେ ୦.୭୧ ପ୍ରତିଶତ ହ୍ରାସ ଘଟି ୨ କୋଟି ୩୦ ଲକ୍ଷରେ ରହିଛି। ଏଥିଯୋଗୁ ଦେଶରେ ଟେଲି ସାନ୍ଦ୍ରତା ହାର ଅର୍ଥାତ୍‌ ପ୍ରତି ୧୦୦ ଜଣରେ ଟେଲିଫୋନ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୯୦.୬୧କୁ ଖସିଆସିଛି। ୨୦୧୭ ଡିସେମ୍ବର ଶେଷ ସୁଦ୍ଧା ଏହା ୯୧.୯୦ ରହିଥିଲା। ଟେଲିଫୋନ୍‌ କମ୍ପାନି ଗୁଡ଼ିକ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଆଗାମୀ କିଛି ମାସ ପର୍ଯ୍ୟନ୍ତ ମଧ୍ୟ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

ଜାନୁଆରିରେ ୬ ନିୟୁତ ଗ୍ରାହକ କମ୍ପାନି ବଦଳାଇଛନ୍ତି
ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରିରେ ଦେଶରେ ମୋଟ ୬.୧୮ ନିୟୁତ ଟେଲିଫୋନ୍‌ ଗ୍ରାହକ କମ୍ପାନି ବଦଳାଇବା ପାଇଁ ମୋବାଇଲ ନମ୍ବର ପୋର୍ଟେବିଲିଟି(ଏମ୍‌ଏନ୍‌ପି)ର ସହାୟତା ନେଇଛନ୍ତି। ଫଳରେ ଦେଶରେ ମୋଟ ଏମ୍‌ଏନ୍‌ପି ଆବେଦନ ସଂଖ୍ୟା ୩୪୪.୫୯ ନିୟୁତକୁ ବୃଦ୍ଧି ପାଇଛି। ୨୦୧୭ ଡିସେମ୍ବରରେ ଏହି ସଂଖ୍ୟା ୩୩୮.୪୧ ନିୟୁତ ରହିଥିଲା। ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ(ଟ୍ରାଇ) ରିପୋର୍ଟରୁ ଏହା ଜଣାଯାଇଛି। ଉତ୍ତର ଓ ପଶ୍ଚିମ ଭାରତ ମଧ୍ୟରୁ ରାଜସ୍ଥାନରେ ସର୍ବାଧିକ ୨୮.୬୯ ନିୟୁତ ଗ୍ରାହକ କମ୍ପାନି ବଦଳାଇବା ପାଇଁ ଆବେଦନ କରିଥିବାବେଳେ ଏହା ପଛକୁ ମହାରାଷ୍ଟ୍ର (୨୪.୫୬ ନିୟୁତ) ରହିଛି। ସେହିଭଳି ଦକ୍ଷିଣ ଏବଂ ପୂର୍ବ ଭାରତ ମଧ୍ୟରେ କର୍ଣ୍ଣାଟକରେ ସବୁଠାରୁ ଅଧିକ ଗ୍ରାହକ(୩୫.୨୭ ନିୟୁତ) କମ୍ପାନି ବଦଳାଇ ଥିବାବେଳେ ଏହାପଛକୁ ଆନ୍ଧ୍ର ପ୍ରଦେଶ(୩୦.୧୭ ନିୟୁତ) ରହିଛି। ବଡ଼ ଟେଲିଫୋନ କମ୍ପାନି ଗୁଡ଼ିକ ଏମ୍‌ଏନ୍‌ପି ମାଧ୍ୟମରେ ନୂଆ ଗ୍ରାହକ ପାଇଛନ୍ତି। କିନ୍ତୁ ରିଲାଏନ୍ସ କମ୍ୟୁନିକେସନ୍ସ ସେବା ବନ୍ଦ କରିବା ଯୋଗୁଁ ଏହି କମ୍ପାନି ୨.୧ କୋଟି ଗ୍ରାହକ ହରାଇଛି। ଉଁମାନେ ଗ୍ରାହକ ହରାଇଛନ୍ତି।

ସମ୍ବନ୍ଧିତ ଖବର