ବିଲ୍‌ଡର୍‌ ସଂସ୍ଥା ‘ଆସୋଟେକ୍‌’ର ନିର୍ଦେଶକ ଗିରଫ, ଘର ଦେବା ସ୍ବପ୍ନ ଦେଖାଇ ଠକୁଥିଲେ

ଆଗୁଆ ଟଙ୍କା ନେଉଥିଲେ, କିନ୍ତୁ କାମ ଆରମ୍ଭ କରୁନଥିଲେ

ନୂଆଦିଲ୍ଲୀ: ଘର ଦେବା ନାମରେ ଗ୍ରାହକମାନଙ୍କୁ ଠକୁଥିବା ରିଅଇ ଇଷ୍ଟେଟ୍‌ ସଂସ୍ଥା ଆସୋଟେକ୍‌ର ନିର୍ଦେଶକ ସଞ୍ଜୀବ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଡବ୍ଲୁଓ) ଗିରଫ କରିଛି। ଚଳିତ ମାସ ୮ ତାରିଖରେ ନୋଏଡାରୁ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଛି। ସେ ନିବେଶକ ବା ଗ୍ରାହକମାନଙ୍କୁ ଘର ଦେବା ସ୍ବପ୍ନ ଦେଖାଇ ପାଣ୍ଠି ସଂଗ୍ରହ କରୁଥିଲେ। ଗୋଟିଏ ପ୍ରକଳ୍ପ ପାଇଁ ଗ୍ରାହକଙ୍କୁ ଠାରୁ ଟଙ୍କା ନେଇଯିବା ପରେ ତାହାକୁ ଅନ୍ୟ ପ୍ରକଳ୍ପରେ ବ୍ୟବହାର କରୁଥିଲେ। ପ୍ରତିଶ୍ରୁତି ମୁତାବକ ଗ୍ରାହକଙ୍କୁ ଘର ଦେଉନଥିଲେ। ଗିରଫ ହୋଇଥିବା ଶ୍ରୀବାସ୍ତବ ଆସୋଟେକ୍‌ ଗ୍ରୁପ୍‌ର ୨୬ରୁ ଅଧିକ କଂପାନିରେ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ମୋଟ ଉପରେ ସେ ୪୦ଟି କଂପାନିର ନିର୍ଦେଶକ ଅଛନ୍ତି। ଅଧିକରୁ ଅଧିକ ଟଙ୍କା ଯୋଗାଡ଼ କରିବା ଲାଗି ସେ ନିୟମିତ ବ୍ୟବଧାନରେ ସେ ନୂଆ ପ୍ରକଳ୍ପ ଘୋଷଣା କରୁଥିଲେ। ଦିଲ୍ଲୀ ପୁଲିସର ଯୁଗ୍ମ ପୁଲିସ କମିସନର ସିପି ମିଶ୍ରଙ୍କ କହିବାନୁଯାୟୀ, ଗାଜିଆବାଦ୍‌ରେ ‘ଆସୋଟେକ୍ କାନୋପି’ ନାମକ ଏକ ପ୍ରକଳ୍ପରେ ସୁଧୀର ଗୁପ୍ତା ନାମକ ଜଣେ ବ୍ୟବସାୟୀ ୪୦ଟି ଫ୍ଲାଟ୍‌ ବୁକିଙ୍ଗ୍‌ କରିଥିଲେ। ଆସୋଟେକ୍‌ ଦେଖାଉଥିବା ଗୋଲାପୀ ଚିତ୍ର ମୋହରେ ପଡ଼ି ପୀଡ଼ିତ ନିବେଶକ ସୁଧୀର ଫ୍ଲାଟ୍‌ ବୁକିଙ୍ଗ୍‌ କରିଥିଲେ। ପେମେଣ୍ଟ୍‌ ଯୋଜନା ଅନୁସାରେ ବୁକିଂ କରିବାର ୬୦ ଦିନ ଭିତରେ ୩୦% ଟଙ୍କା (୫.୧ କୋଟି ଟଙ୍କା) ଦେଇଥିଲେ। କିନ୍ତୁ କିଛି ଦିନ ପରେ ସେହି ସବୁ ଫ୍ଲାଟ୍‌ ଅନ୍ୟ ଜଣଙ୍କ ନାମରେ ଆବଣ୍ଟନ ହୋଇଥିବା ଜଣାପଡ଼ିଥିଲା। ଯେଉଁ ପ୍ରକଳ୍ପରେ ଫ୍ଲାଟ୍‌ ବୁକ୍ ହୋଇଛି ତାହାର କାମ ମଧ୍ୟ ଆରମ୍ଭ ହୋଇନଥିବା ଜାଣିବା ପରେ ସୁଧୀର ଚକିତ ହୋଇପଡ଼ିଥିଲେ। ୨୦୧୬ରେ ସେ ଏକ ଏଫ୍‌ଆଇଆର୍‌ ରୁଜୁ କରିଥିଲେ। ଗାଜିଆବାଦ ବିକାଶ କର୍ତ୍ତୃପକ୍ଷଙ୍କ ତରଫରୁ ତଦନ୍ତ କରାଯିବା ପରେ ଆସୋଟେକ୍ କାନୋପି ନାମରେ କୌଣସି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇନଥିବା ଜଣାପଡ଼ିଥିଲା। ତାହା ଟାଉନ୍‌ସିପ୍ ପ୍ଲାନ୍‌ର ମଧ୍ୟ ଅଂଶ ନଥିଲା। ଏହି ମାମଲାରେ ଗିରଫ ହୋଇଥିବା ସଞ୍ଜୀବଙ୍କୁ ଏହା ପୂର୍ବରୁ ଅନେକ ଥର ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ସେ ସବୁ ନୋଟିସ୍‌କୁ ଏଡ଼ାଇ ଯାଉଥିଲେ। ସଞ୍ଜୀବ ଓ ତାଙ୍କ କଂପାନି ବିରୋଧରେ ଇଡବ୍ଲୁଓ ପାଖରେ ଅନେକ ମାମଲା ରହିଛି। ଆସୋଟେକ୍‌ ବିଭିନ୍ନ ରାଜ୍ୟରେ ପ୍ରକଳ୍ପ ଘୋଷଣା କରିଛି।

ସମ୍ବନ୍ଧିତ ଖବର