ବିଶ୍ବ ବଜାରରେ ଯୁଦ୍ଧ ପ୍ରଭାବ: ଗହମ ଦାମ ୪୧% ବଢ଼ିଲାଣି, ୫୦ ବର୍ଷରେ ସର୍ବାଧିକ ସାପ୍ତାହିକ ବୃଦ୍ଧି

ବିଶ୍ବ ଗହମ ଯୋଗାଣରେ ରୁଷ, ୟୁକ୍ରେନ ଭାଗ ୨୫%, ଭାରତ ପାଇଁ ଅଧିକ ରପ୍ତାନି ସୁଯୋଗ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ଜାରି ରହିଛି। ଏଥିଯୋଗୁ ବିଶ୍ବରେ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଛି। ଫଳରେ ବିଶ୍ବରେ ଅଶୋଧିତ ତେଲ ଠାରୁ ଆରମ୍ଭ କରି ନିକେଲ, ଆଲୁମିନିୟମ ଭଳି ଧାତୁ ଏବଂ ଗହମ ଆଦି ସାମଗ୍ରୀ ମୂଲ୍ୟରେ ଉଚ୍ଚବୃଦ୍ଧି ଘଟିଛି। ବିଭିନ୍ନ କଞ୍ଚାମାଲର ମୂଲ୍ୟବୃଦ୍ଧି ଚଳିତ ସପ୍ତାହରେ ବ୍ୟାପକ ବୃଦ୍ଧି ପାଇଛି। ୧୯୭୪ ମସିହାରେ ଦେଖାଦେଇଥିବା ତୈଳ ସଂକଟ ସମୟ ଠାରୁ ଅର୍ଥାତ୍ ପ୍ରାୟ ୫୦ ବର୍ଷ ଭିତରେ ଏଭଳି ବୃଦ୍ଧି କେବେ ଦେଖାଦେଇ ନଥିଲା। ଚଳିତ ସପ୍ତାହରେ ଗହମ ମୂଲ୍ୟ ୪୧ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ପାଲାଡିୟମ ୧୮ ପ୍ରତିଶତ, ମକା ୧୭ ପ୍ରତିଶତ, ଅଶୋଧିତ ତେଲ ପ୍ରାୟ ୧୭ ପ୍ରତିଶତ, ଆଲୁମିନିୟମ ୧୩ ପ୍ରତିଶତ ଏବଂ ସୁନା ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ଏକ ରିପୋର୍ଟରୁ ଜଣାଯାଇଛି।

ରୁଷ୍‌ ବିରୋଧରେ ବିଭିନ୍ନ ଦେଶ ଅର୍ଥନୈତିକ କଟକଣା ଜାରି କରିଛନ୍ତି। କିନ୍ତୁ ରୁଷ୍‌ ବିଶ୍ବରେ ଶକ୍ତି, ଧାତୁ ଏବଂ ଗହମ ଆଦି ସାମଗ୍ରୀର ଏକ ପ୍ରମୁଖ ରପ୍ତାନିକାରୀ ବା ଯୋଗାଣକାରୀ ଦେଶ ହୋଇଥିବାରୁ ଆଗାମୀ ଦିନରେ ଏହାର ଅଭାବ ଅଧିକ ଦେଖାଦେବାର ଆଶଙ୍କା ରହିଛି। ଯଦି ଏହା ହୁଏ ତାହେଲେ ଦରଦାମ ବୃଦ୍ଧି ଦୀର୍ଘଦିନ ଜାରି ରହିବ ବୋଲି ଅନୁମାନ କରାଯାଉଛି। କେବଳ ବ୍ୟବସାୟୀମାନେ ନୁହନ୍ତି ବୀମା କମ୍ପାନି, ଜାହାଜ ଚଳାଚଳ କମ୍ପାନି ଗୁଡ଼ିକ ରୁଷ ଓ ୟୁକ୍ରେନରୁ ମାଲ ପରିବହନ ଯଥାସମ୍ଭବ ନକରିବା ଲାଗି ଉଦ୍ୟମ ଚଳାଇଛନ୍ତି। ରୁଷ୍‌ ସହ ବାଣିଜ୍ୟ ନକରିବାର ଅନ୍ୟ ଏକ କାରଣ ମଧ୍ୟ ହେଲା ରୁଷକୁ ସ୍ବିଫ୍ଟ ମେସେଜିଂ ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ଫଳରେ ବ୍ୟାଙ୍କଗୁଡ଼ିକ ପାଇଁ ରୁଷ୍‌ର ବ୍ୟାଙ୍କ ମାଧ୍ୟମରେ ଆର୍ଥିକ କାରବାର କରିବା ସମ୍ଭବ ହେଉନାହିଁ। ବନ୍ଦରଗୁଡ଼ିକରେ ମାଲ ପରିବହନ ମଧ୍ୟ ସ୍ଥାଣୁ ହୋଇଯାଇଛି।

ବିଶ୍ବ ଗହମ ଯୋଗାଣରେ ରୁଷ, ୟୁକ୍ରେନ ଭାଗ ୨୫%
ଗହମ, ମକା ଓ ବାର୍ଲି ଆଦି ଖାଦ୍ୟସାମଗ୍ରୀ ଯୋଗାଣ କ୍ଷେତ୍ରରେ ରୁଷ୍‌ ଏବଂ ୟୁକ୍ରେନର ଯୋଗଦାନ ପ୍ରାୟ ଏକ ଚତୁର୍ଥାଂଶ ରହିଛି। ୨୦୨୧-୨୨ ମସିହା‌ ପାଇଁ ଇଣ୍ଟରନ୍ୟାସନାଲ ଗ୍ରେନ୍ସ କାଉନସିଲ ପକ୍ଷରୁ କରାଯାଇଥିବା ହିସାବ ଅନୁଯାୟୀ, ଗହମ ଓ ମକା ଆଦି ଖାଦ୍ୟସାମଗ୍ରୀର ବାଣିଜ୍ୟରେ ରୁଷ୍‌ ଓ ୟୁକ୍ରେନର ଯୋଗଦାନ ୧୦୨ ନିୟୁତ ଟନ ଥିବାବେଳେ ଏହା ପଛକୁ ଆମେରିକା ୯୪ ନିୟୁତ ଟନ, ଆର୍ଜେଣ୍ଟିନା ୫୬ ନିୟୁତ ଟନ, ୟୁରୋପୀୟ ସଂଘ ୫୨ ନିୟୁତ ଟନ, ବ୍ରାଜିଲ ୪୦ ନିୟୁତ ଟନ୍ ଏବଂ ଅନ୍ୟମାନଙ୍କର ୮୦ ନିୟୁତ ଟନ୍ ଯୋଗଦାନ ରହିଛି। ତେଣୁ ଯୁଦ୍ଧ ଯେତେ ଅଧିକ ଦିନ ଲାଗି ରହିବ ବିଶ୍ବର ଖାଦ୍ୟ ଯୋଗାଣ ସେତେ ଅଧିକ ଦିନ ବ୍ୟାହତ ହେବ। ବିଶ୍ବର ମୋଟ ଗହମ ଓ ବାର୍ଲି ବାଣିଜ୍ୟରେ ରୁଷ ଓ ୟୁକ୍ରେନର ଯୋଗଦାନ ପ୍ରାୟ ୨୫ ପ୍ରତିଶତ ରହିଥିବାବେଳେ ମକାରେ ୨୦ ପ୍ରତିଶତ ଯୋଗଦାନ ରହିଥାଏ।

ଭାରତ ପାଇଁ ଅଧିକ ରପ୍ତାନି ସୁଯୋଗ
ୟୁକ୍ରେନ-ରୁଷ ଯୁଦ୍ଧ ଫଳରେ ସେଠାରୁ ଗହମ ରପ୍ତାନି ପ୍ରଭାବିତ ହୋଇଛି। ଭାରତ ପାଇଁ ଏହା ଅଧିକ ଗହମ ରପ୍ତାନିର ସୁଯୋଗ ସୃଷ୍ଟି କରିଛି। ଗହମ ମୂଲ୍ୟ ଏବେ ଟନ୍ ପିଛା ୨୪ ହଜାରରୁ ୨୫ ହଜାର ଟଙ୍କା ଭଳି ଉଚ୍ଚସ୍ତରରେ ରହିଛି। ଚଳିତ ଆର୍ଥିକ ବର୍ଷର ଫେବ୍ରୁଆରି ଶେଷ ସୁଦ୍ଧା ଭାରତ ୬.୬ ନିୟୁତ ଟନ୍ ଗହମ ରପ୍ତାନି କରିଛି। ଆର୍ଥିକ ବର୍ଷ ଶେଷହେଲା ବେଳକୁ ଭାରତର ଗହମ ରପ୍ତାନି ୭ ନିୟୁତ ଟନ ଟପି ଯାଇଥିବ ବୋଲି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଆଶାବ୍ୟକ୍ତ କରିଛନ୍ତି। ପୂର୍ବରୁ ଭାରତ ୨୦୧୨-୧୩ ଆର୍ଥିକ ବର୍ଷରେ ରେକର୍ଡ ୬.୫ ନିୟୁତ ଟନ୍ ଗହମ ରପ୍ତାନି କରିଥିଲା। କେବଳ ସେତିକି ନୁହେଁ ୨୦୨୧ ଜୁଲାଇରୁ ୨୦୨୨ ଜୁନ ଫସଲ ବର୍ଷରେ ମଧ୍ୟ ଭାରତ ରେକର୍ଡ ୧୧୧.୩୨ ନିୟୁତ ଟନ୍ ଗହମ ଉତ୍ପାଦନ କରିବ। ୨୦୨୦-୨୧ ଫସଲ ବର୍ଷରେ ଭାରତ ୧୦୯.୫୨ ନିୟୁତ ଟନ ଗହମ ଉତ୍ପାଦନ କରିଥିଲା।

ସମ୍ବନ୍ଧିତ ଖବର