ବ୍ୟାଟେରି ସ୍ବାପିଂରେ ରିହାତି ଦେବେ ସରକାର: ଚାର୍ଜ ନଥିବା ବ୍ୟାଟେରି ବଦଳରେ ମିଳିବ ଫୁଲ୍ ଚାର୍ଜ ବ୍ୟାଟେରି
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଏଥର ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଟେରି ସ୍ବାପିଂ ନୀତି ଅଣାଯିବ ବୋଲି ଘୋଷଣା କରିଛନ୍ତି। ଏକ ସବୁଜ ଭବିଷ୍ୟତ ଲାଗି ଇଲେକ୍ଟ୍ରିକ୍ ଯାନକୁ ସାରା ବିଶ୍ବରେ ପ୍ରସାର କରାଯାଉଛି। ଭାରତ ମଧ୍ୟ ସେହି ଧାରାରେ ରହିଛି। ଏକ ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପୂର୍ବରୁ ଗ୍ରାହକଙ୍କୁ ବହୁତ କିଛି ଭାବିବାକୁ ପଡ଼ୁଛି। ଗାଡ଼ି ଚଳାଚଳର ଖର୍ଚ୍ଚ, ବ୍ୟାଟେରି ବଦଳାଇବା ଖର୍ଚ୍ଚ, ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାଟେରିକୁ ଚାର୍ଜ କରିବା ଏବଂ ଗାଡ଼ିର ଚଢ଼ା ଦାମ୍ ଆଦି ଅନେକ ବିଷୟ ବିଚାରକୁ ନେବାକୁ ପଡ଼ୁଛି। ଇ-ଯାନର ଗ୍ରହଣୀୟତା ବଢ଼ାଇବା ଲାଗି ସାରା ବିଶ୍ବରେ ଚାର୍ଜିଂ ଷ୍ଟେସନ, ବ୍ୟାଟେରିଂ ସ୍ବାପିଂ ଓ ବ୍ୟାଟେରି ଆଜ୍ ଏ ସର୍ଭିସ୍ (ବିଏଏଏସ୍) ମଡେଲ୍ ଉପରେ କାର୍ଯ୍ୟ ଜାରି ରହିଛି। ବଡ଼ ଧରଣର ଚାର୍ଜିଂ ଷ୍ଟେସନ ସ୍ଥାପନ କରିବା ଲାଗି ସହରାଞ୍ଚଳରେ ସ୍ଥାନ ଅଭାବ ରହିଥିବାରୁ ବ୍ୟାଟେରି ସ୍ବାପିଂ ପ୍ରତି ସରକାର ଅଧିକ ଧ୍ୟାନ ଦେଉଛନ୍ତି। ବ୍ୟାଟେରି ସ୍ବାପିଂ ଲାଗି ନିରନ୍ତର ଓ ଅଭିନବ ବ୍ୟବସାୟ ମଡେଲ୍ ବିକଶିତ କରିବାକୁ ସରକାର ଘରୋଇ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଭାରତରେ କାର୍ଯ୍ୟକାରୀ ହେବାକୁ ଥିବା ବ୍ୟାଟେରି ସ୍ବାପିଂ ନୀତି ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ବ୍ୟାଟେରି ସ୍ବାପିଂ ବ୍ୟବସ୍ଥାର ପ୍ରସାର କରିବା ଲାଗି ସରକାର କିଭଳି ପ୍ରୋତ୍ସାହନ ଦେବେ ତାହା ଜଣାପଡ଼ିନାହିଁ। ସ୍ବାପିଂ ନୀତି ଘୋଷଣା ହେବା ପରେ ସେବିଷୟରେ ଜଣାପଡ଼ିବ। କୁହାଯାଉଛି ଏହି ନୀତିରେ ଇଲେକ୍ଟ୍ରିକ୍ ଦୁଇଚକିଆ ଓ ତିନି ଚକିଆ ଯାନ ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଗାଡ଼ି ମାଲିକଙ୍କୁ ସ୍ବାପିଂ ସବ୍ସ୍କ୍ରିପନ୍ସନ୍ କିମ୍ବା ଲିଜ୍ ଖର୍ଚ୍ଚ ଉପରେ ୨୦% ପର୍ଯ୍ୟନ୍ତ ପ୍ରୋତ୍ସାହନ ବା ରିହାତି ଦିଆଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟାଟେରି ସ୍ବାପିଂର ଅର୍ଥ ହେଉଛି ବ୍ୟାଟେରି ବଦଳାଇବା। ଏହି ବ୍ୟବସ୍ଥା ଇ-ଗାଡ଼ିର ଚାର୍ଜ ଶେଷ ହେବାକୁ ଯାଉଥିବା ବ୍ୟାଟେରିକୁ ସ୍ବାପିଂ ଷ୍ଟେସନରେ ବଦଳାଇ ଏକ ପୂର୍ଣ୍ଣ ଚାର୍ଜ ହୋଇଥିବା ବ୍ୟାଟେରି ନିଆଯାଏ। ଏହା ଦ୍ବାରା ଚାର୍ଜିଂ ଷ୍ଟେସନ ସ୍ଥାପନକୁ ନେଇ ରହିଥିବା ଆହ୍ବାନଗୁଡ଼ିକୁ ଦୂର କରାଯାଇପାରିବ। ଇ-ଗାଡ଼ି ମାଲିକମାନଙ୍କୁ ନିଜ ଗାଡ଼ି ଚାର୍ଜ କରିବା ଲାଗି ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଲିଜ୍ ସୂତ୍ରରେ ବ୍ୟାଟେରି ମିଳିଲେ ଗାଡ଼ି ମାଲିକଙ୍କ ନୂଆ ବ୍ୟାଟେରି କିଣିବା ଖର୍ଚ୍ଚ ମଧ୍ୟ ସଞ୍ଚୟ ହୋଇପାରିବ। ଚାର୍ଜିଂ ଷ୍ଟେସନ୍ରେ ଗାଡ଼ିକୁ ଘଣ୍ଟା ଘଣ୍ଟା ଚାର୍ଜ କରି ଅପେକ୍ଷା କରିବା ବଦଳରେ ସ୍ବାପିଂ ଷ୍ଟେସନରେ ମାତ୍ର କିଛି ମିନିଟ୍ରେ ଗାଡ଼ିର ବ୍ୟାଟେରିକୁ ବଦଳାଇ ଏକ ପୂର୍ଣ୍ଣ ଚାର୍ଜ ଥିବା ବ୍ୟାଟେରି ନେଇହେବ।ବ୍ୟାଟେରି ସ୍ବାପିଂ ଆଉଟ୍ଲେଟ୍ ସାଧାରଣତଃ ବିଦ୍ୟୁତ କଂପାନି ଦ୍ବାରା ସ୍ଥାପନ କରାଯାଇଥାଏ। ଇ-ଗାଡ଼ିର ଚାଳକ ସେହି ଆଉଟ୍ଲେଟ୍ରେ ପହଞ୍ଚି ନିଜ ଗାଡ଼ିର ଚାର୍ଜ ଶେଷ ହୋଇଯାଇଥିବା ବ୍ୟାଟେରିକୁ ଦାଖଲ କରିବେ।
ତାହା ପୂର୍ଣ୍ଣ ଚାର୍ଜ ହେବା ଲାଗି ଯେତିକି ବିଦ୍ୟୁତ ଶକ୍ତି ଦରକାର ସେଥିପାଇଁ ଚାଳକ ଜଣକ ପେମେଣ୍ଟ୍ କରିବେ। ଏଲ୍ପିଜି ସିଲିଣ୍ଡରକୁ ଲୋକମାନେ ଯେଉଁଭଳି ପାଉଛନ୍ତି ବ୍ୟାଟେରିକୁ ମଧ୍ୟ ସେହିଭଳି ପାଇପାରିବେ। ସ୍ବାପିଂ ଆଉଟ୍ଲେଟ୍ଗୁଡ଼ିକ ବିପୁଳ ସଂଖ୍ୟକ ବ୍ୟାଟେରି କିଣିବା ସହ ଚାର୍ଜିଂ ଷ୍ଟେସନ ସ୍ଥାପନ କରିବେ। ସେଠାରେ ଚାର୍ଜ ନଥିବା ବ୍ୟାଟେରିଗୁଡ଼ିକୁ ଚାର୍ଜ କରାଯିବ। ବ୍ୟାଟେରି ସ୍ବାପିଂ ସୁବିଧା ପାଇବାକୁ ହେଲେ ଏକ ସ୍ବତନ୍ତ୍ର ଅପରେଟରଙ୍କ ସହିତ ବୁଝାମଣା ସ୍ବାକ୍ଷର କରିବାକୁ ପଡ଼ିବ। ଏହା ପରେ କେବଳ ସେହି ଅପରେଟରଙ୍କ ଆଉଟ୍ଲେଟ୍ରେ ଗାଡ଼ି ଚାଳକ ଜଣକ ବ୍ୟାଟେରି ସ୍ବାପିଂ ସୁବିଧା ପାଇପାରିବେ। ଉଦାହରଣ ସ୍ବରୂପ ଯଦି ‘କ’ ସଂସ୍ଥା ସହ ଗାଡ଼ି ଚାଳକ ସ୍ବାପିଂ ଚୁକ୍ତି ସ୍ବାକ୍ଷର କରିଥିବେ ତେବେ ସହରରେ ସେହି ସଂସ୍ଥାର ଯେଉଁ ସ୍ଥାନରେ ସ୍ବାପିଂ ସେଣ୍ଟର ବା ଆଉଟ୍ଲେଟ୍ ଥିବ ଚାଳକ ଜଣକ ସେହିଠାରେ ବ୍ୟାଟେରିକୁ ବଦଳାଇପାରିବେ।