ଓଡ଼ିଶାରେ ଗଲ୍‌ୱାନ ସଂଘର୍ଷର ପ୍ରଭାବ: ତାଳଚେର ସାର କାରଖାନାରେ ଚୀନ୍ କମ୍ପାନିର କାର୍ଯ୍ୟ ଅଟକିଲା

ନୂଆଦିଲ୍ଲୀ: ଗଲୱାନ୍ ସଂଘର୍ଷ ପରେ ଭାରତ-ଚୀନ୍‌ର ପୂର୍ବ ସମ୍ପର୍କ ବଦଳି ଯାଇଛି। ଚୀନ୍ ବିରୋଧରେ ଭାରତ ସରକାର କଠୋର ହେବାରେ ଲାଗିଛନ୍ତି। ଏହାକୁ ବିଭିନ୍ନ କ୍ଷେତ୍ରରେ ଝଟ୍‌କା ଦେଉଛନ୍ତି। ନିକଟରେ ଚୀନର ୫୯ଟି ଆପ୍‌କୁ ସରକାର ଭାରତରେ ନିଷିଦ୍ଧ କରିଛନ୍ତି। ଏଥିସହିତ ବିଭିନ୍ନ ବନ୍ଦରରେ ଚୀନରୁ ଆମଦାନି ହୋଇ ଆସୁଥିବା ବିଭିନ୍ନ ସାମଗ୍ରୀର କଡ଼ା ଯାଞ୍ଚ ସୀମା ଶୁଳ୍କ ବିଭାଗର ଅଧିକାରୀମାନେ କରୁଛନ୍ତି। ଚୀନରୁ ଆସିବାକୁ ଥିବା ନିବେଶ ପାଇଁ ସରକାରଙ୍କ ପ୍ରାକ୍ ଅନୁମତି ଆବଶ୍ୟକ ବୋଲି ମଧ୍ୟ ସ୍ପଷ୍ଟ କରାଯାଇ ସାରିଛି। କେନ୍ଦ୍ର ସରକାରଙ୍କ ଚୀନ ବିରୋଧୀ କଠୋର ଆଭିମୁଖ୍ୟର ପ୍ରଭାବ ଓଡ଼ିଶାରେ ମଧ୍ୟ ପ୍ରତିଫଳିତ ହୋଇଥିବା ବିଷୟ ଆଜି ନଜରକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ସେପ୍ଟେମ୍ବରରେ ଚୀନର ଉହାନ ଇଞ୍ଜିନିୟରିଂ କମ୍ପାନି ଲିମିଟେଡ ୧୩,୨୭୭ କୋଟି ଟଙ୍କାରେ ତାଳଚେର ସାର କାରଖାନାର ବିକାଶ କାର୍ଯ୍ୟ ହାତେଇଥିଲା। ଏଥିପାଇଁ କମ୍ପାନି ଗେଲ୍‌, ଆର୍‌ସିଏଫ, କୋଲ୍ ଇଣ୍ଡିଆ ଲିମିଟେଡ ଓ ଏଫସିଆଇଏଲ ସହିତ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ତେବେ ଏବେ ସରକାର ଏହି କାର୍ଯ୍ୟକୁ ଅଟକାଇ ଦେଇଛନ୍ତି। କରୋନା ମହାମାରୀ କାରଣରୁ ବର୍ତ୍ତମାନ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଏଥିସହିତ ଭିସା ମିଳିବାରେ ମଧ୍ୟ ଅସୁବିଧା ରହିଛି। ଏସବୁ କାରଣରୁ କାର୍ଯ୍ୟସ୍ଥଳୀକୁ ଚୀନରୁ ବୈଷୟିକ କର୍ମଚାରୀ, ଯନ୍ତ୍ରାଂଶ ଓ ଶ୍ରମିକମାନଙ୍କୁ ଆଣିବାରେ ଅସୁବିଧା ସୃଷ୍ଟି ହେଉଛି। ତେଣୁ ବୈଷୟିକ କାରଣରୁ ଏହି ପ୍ରକଳ୍ପ କାର୍ଯ୍ୟକୁ ଏବେ ବନ୍ଦ ରଖାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

କିନ୍ତୁ ଏହି ପ୍ରକଳ୍ପ କାମ ବନ୍ଦ ହେବା ପଛରେ ଗଲୱାନ ସଂଘର୍ଷ ପରେ ବିଗିଡ଼ିଥିବା ଭାରତ-ଚୀନ ସମ୍ପର୍କ ବୋଲି ଚର୍ଚ୍ଚା ହେଉଛି।  ତେବେ ପ୍ରକଳ୍ପ କାର୍ଯ୍ୟକୁ ଅଟକାଯିବାର ପ୍ରକୃତ କାରଣ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ପ୍ରକଳ୍ପର ତୃଣମୂଳ କାର୍ଯ୍ୟ ବିଷୟରେ ଜାଣିଥିବା କଂପାନିର ଜଣେ ଅଧିକାରୀଙ୍କ ମତରେ, ଗତ ଡିସେମ୍ବରରେ ଚୀନ୍‌ର ଉହାନ୍‌ ସହରର କରୋନା ମହାମାରୀ ବ୍ୟାପିବା ପର ଠାରୁ ଏହି ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି। ସେଥିପାଇଁ ପ୍ରକଳ୍ପର ଅଗ୍ରଗତି ଧୀମା ହୋଇଛି। ୨୦୨୩ ସେପ୍ଟେମ୍ବର ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ତା‌ଳଚେର ସାର କାରଖାନା ଦୀର୍ଘଦିନ ଧରି ବନ୍ଦ ରହିବା ପରେ ସରକାର ଏହାର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଥିଲେ। ଏଥିପାଇଁ ଗତବର୍ଷ ଚୀନ କମ୍ପାନି ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। କୋଇଲା ବାଷ୍ପୀକରଣ ବା କୋଲ୍ ଗ୍ୟାସିଫିକେସନ ପ୍ରଯୁକ୍ତିକୁ ଉପଯୋଗ କରି ଏହି ପ୍ରକଳ୍ପ ହେବ। ଉକ୍ତ ପ୍ରଯୁକ୍ତିରେ ‌କୋଇଲାରୁ ଉଦ୍‌ଯାନ, ଅମ୍ଳଜାନ ଓ କାର୍ବନ ମନୋକ୍‌ସାଇଡ୍‌ ଗ୍ୟାସ ଉତ୍ପାଦନ କରାଯାଇ ତାହାକୁ ସାର ଉତ୍ପାଦନରେ ବ୍ୟବହାର କରାଯିବ। ଅନ୍ୟପକ୍ଷରେ ‌ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏହି ପ୍ରକଳ୍ପ ବନ୍ଦ ହୋଇନାହିଁ। ତେବେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଆଲୋଚନା କିପରି ଆଗକୁ ବଢ଼ୁଛି ତାହା ଉପରେ ଏହି ପ୍ରକଳ୍ପର ଭାଗ୍ୟ ନିର୍ଭର କରୁଛି। ଉପଯୁକ୍ତ କର୍ତ୍ତୃପକ୍ଷ ଏସଂକ୍ରାନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଭାରତର ୟୁରିଆ ଆମଦାନି ହ୍ରାସ ପାଇଁ ଏହି ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ହେଲେ ମଧ୍ୟ ଜାତୀୟ ସ୍ବାର୍ଥ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଅଧିକାରୀଜଣକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର