ଦକ୍ଷିଣ ଓଡ଼ିଶାରେ ୩ଟି ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ : ଗୋପାଳପୁର-ତାଳଚେର, ଗୋପାଳପୁର-ରାୟଗଡ଼ା କେବେ?

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ ୩ଟି ନୂତନ ରେଳ ଲାଇନ୍‌ ପ୍ରସ୍ତାବ ରହିଛି। ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହିତ ସଂଯୋଗ କରିବା ପାଇଁ ବ୍ରହ୍ମପୁର-ସମ୍ବଲପୁର ରେଳ ଲାଇନ୍‌ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଛି। ଏହି ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଗଞ୍ଜାମ, ଭଞ୍ଜନଗର, ଫୁଲବାଣୀ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଆଇନଜୀବୀମାନେ ଏକଜୁଟ୍‌ ହୋଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରି ଜୋରଦାର ଆନ୍ଦୋଳନ ଆରମ୍ଭ କରିଥିଲେ। ଶେଷରେ ଏହି ଆନ୍ଦୋଳନ ସଫଳ ହୋଇଛି। ଓଡ଼ିଶାକୁ ମିଳିଥିବା ରେଳ ଅନୁଦାନ ମଧ୍ୟରୁ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ନୂତନ ରେଳପଥ ପାଇଁ ୨ହଜାର ୯୫୭କୋଟି ଟଙ୍କା ମଂଜୁର ହୋଇଛି।

ବ୍ରହ୍ମପୁର-ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଗତ ୨୦୧୦-୧୧ରେ ପ୍ରାଥମିକ ସର୍ଭେ କରିବା ପାଇଁ ପୂର୍ବତଟ ରେଳ ବିଭାଗକୁ ଅନୁମତି ମିଳିଥିଲା। ସର୍ଭେ ପରେ ରେଳ ମନ୍ତ୍ରଣାଳୟ ନିକଟରେ ରିପୋର୍ଟ ଦାଖଲ କରାଯାଇଥିଲା। ସେହି ରିପୋର୍ଟକୁ କାର୍ଯ୍ୟକାରୀ କରିବାରେ ବାରମ୍ବାର ବିଳମ୍ବ ହେଉଥିବାରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଗଠନ କରି ଜୋରଦାର ଆନ୍ଦୋଳନ କରାଯାଇଥିଲା। ଆନ୍ଦୋଳନ ସ୍ବରୂପ ଓରିଡିଏଲ୍‌ ସର୍ଭେ ପାଇଁ ଟେଣ୍ତର‌୍‌ ଆହ୍ବାନ କରିଥିଲା। ଗତବର୍ଷ ଅଗଷ୍ଟ ମାସରେ ସର୍ଭେ ଟେଣ୍ଡର୍‌ ପ୍ରକାଶ ପାଇଥିଲା। ପୁଣିଥରେ ଡିସେମ୍ବର ମାସରେ ପୁନଃଟେଣ୍ଡର୍‌ ଆହ୍ବାନ କରାଯାଇଥିଲା। ଟେଣ୍ଡର୍‌ ଆହ୍ବାନ ପରେ ପ୍ରାୟ ୨୪୧କିମି ପର୍ଯ୍ୟନ୍ତ ରହିଥିବା ଏହି ନୂତନ ପ୍ରକଳ୍ପ ନିର୍ମାଣ କାମ ତୁରନ୍ତ ଆରମ୍ଭ ହେବା ଆଶା ଉଜ୍ବଳ ହୋଇଥିଲା। ଏବେ ଏହି ପ୍ରକଳ୍ପ ପାଇଁ ଟଙ୍କା ମଂଜୁର ହୋଇଛି। ଏହି ନୂତନ ପ୍ରକଳ୍ପ ପାଇଁ ୧୬ଟି ନୂତନ ଷ୍ଟେସନ୍‌ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି ବୋଲି ସୂଚନା ଅଧିକାର ଆଇନ ବଳରେ କବିସୂର୍ଯ୍ୟନଗରର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି. ଶଙ୍କର ପାତ୍ର ମାଗିଥିବା ତଥ୍ୟରେ ଉଲ୍ଲେଖ ରହିଛି। ୨୦୨୫ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସେହିପରି ଗୋପାଳପୁର-ରାୟଗଡ଼ା ନୂତନ ପ୍ରକଳ୍ପ ପାଇଁ ମଧ୍ୟ ଗତ ୨୦୧୩ରେ ସର୍ଭେ କରାଯାଇଥିଲା। ନୂତନ ଭାବେ ୧୮୦କିମି ରେଳ ଲାଇନ୍‌ ବିଛାଇବା ପାଇଁ ପ୍ରସ୍ତାବ ରହିଥିଲା। ଏହି ପ୍ରକଳ୍ପ ଗଞ୍ଜାମ ଜିଲ୍ଲାର ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ତପ୍ତପାଣି, ଗଜପତି ଜିଲ୍ଲାର ମୋହନା ଓ ଅଡ଼ବା ଏବଂ ରାୟଗଡ଼ା ଜିଲ୍ଲାର ଗୁମୁଡ଼ା, ଥେରୁବାଲି ହୋଇ ରାୟଗଡ଼ାକୁ ସଂଯୋଗ କରିବା ପାଇଁ ପ୍ରସ୍ତାବ ରହିଛି। ଗୋପାଳପୁର-ତାଳଚେର ନୂତନ ରେଳପଥ ପାଇଁ ମଧ୍ୟ ୩ଥର ସର୍ଭେ ହୋଇଛି। ପ୍ରାୟ ୨ଶହ କିମିର ଏହି ନୂତନ ପ୍ରକଳ୍ପ ମଧ୍ୟରେ ୨୨ଟି ସେଷ୍ଟନ୍‌ ନିର୍ମାଣ ପ୍ରସ୍ତାବରେ ରହିଛି। ଏହି ପ୍ରକଳ୍ପ ଗଞ୍ଜାମ, ଅନୁଗୁଳ, ଢ଼େଙ୍କାନାଳ, କଟକ ଓ ନୟାଗଡ଼କୁ ସଂଯୋଗ କରିବ ବୋଲି ପ୍ରସ୍ତାବ ରହିଛି।

ସମ୍ବନ୍ଧିତ ଖବର