ଜିଇଏସ୍‌- ୨୦୧୭: ପ୍ରଧାନମନ୍ତ୍ରୀ ମୋଦି କାହିଁକି ଆମନ୍ତ୍ରଣ କଲେ ଇଭାଙ୍କାଙ୍କୁ

ହାଇଦ୍ରାବାଦ: ଦକ୍ଷିଣ ଏସିଆ ବିଶ୍ୱ ଉଦ୍ୟୋଗ ସମ୍ମିଳନୀ- ୨୦୧୭ (ଜିଇଏସ୍‌)ରେ ଅଂଶଗ୍ରହଣ କରିବା ପାଇଁ ଆମେରିକୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତନୟା ଇଭାଙ୍କା। ଇଭାଙ୍କାଙ୍କୁ ଭାରତରେ ମୋଦି ପ୍ରଶାସନ ପକ୍ଷରୁ ଭବ୍ୟ ‘ରେଡ୍‌ କାର୍ପେଟ୍‌’ ସ୍ୱାଗତ କରାଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ରୂପେ ପଦଭାର ଗ୍ରହଣ କରିବା ପରେ ଟ୍ରମ୍ପଙ୍କ ବଡ଼ ଝିଅ ୩୬ ବର୍ଷୀୟା ଇଭାଙ୍କା ହ୍ଵାଇଟ୍‌ ହାଉସର ଅନ୍ୟତମ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି। ଗତ ଜୁନ୍‌ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବା କାଳରେ, ଜିଇଏସ୍‌-୨୦୧୭ରେ ଆମେରିକୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ଭାରତ ଗସ୍ତରେ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦି ଇଭାଙ୍କାଙ୍କୁ ଆମନ୍ତ୍ରଣ ଜଣାଇଥିଲେ। ଇଭାଙ୍କା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଆମନ୍ତ୍ରଣକୁ ଗ୍ରହଣ କରିବା ସହ ଏଥିପାଇଁ ମୋଦିଙ୍କୁ ଟୁଇଟ୍‌ କରି ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ଚଳିତ ବର୍ଷ ଭାରତରେ ପ୍ରଥମ ଥର ଲାଗି ଆୟୋଜିତ ହେଉଛି ଦକ୍ଷିଣ ଏସିଆ ବିଶ୍ୱ ଉଦ୍ୟୋଗ ସମ୍ମିଳନୀ-୨୦୧୭ (ଜିଇଏସ୍‌)। ହାଇଦ୍ରାବାଦରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆମେରିକା ଏବଂ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଜିଇଏସ୍‌ର ଏହି ଅଷ୍ଟମ ସଂସ୍କରଣକୁ ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୧୨୭ଟି ଦେଶରୁ ୧୫୦୦ ଉଦ୍ୟୋଗୀ, ନିବେଶକ ଏବଂ ସହଯୋଗୀମାନେ ଯୋଗ ଦେଇଥିବା ବେଳେ ଆମେରିକାକୁ ପ୍ରତିନିଧିତ୍ୱ କରୁଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌। ଜିଇଏସ୍‌- ୨୦୧୭ରେ ଅଂଶ ଗ୍ରହଣ କରିଥିବା ପ୍ରତିନିଧିମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ କେବଳ ମାତ୍ର ଆମେରିକାର ହୋଇଥିବା ବେଳେ ଅବଶିଷ୍ଟ ପ୍ରତିନିଧି ଭାରତ ସମେତ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରର।

ଅନ୍ୟପକ୍ଷରେ, ଜିଇଏସ୍‌-୨୦୧୭ରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି- ‘ପ୍ରଥମେ ମହିଳା, ସମସ୍ତଙ୍କ ସମୃଦ୍ଧି’ ଏବଂ ପ୍ରଥମ ଥର ଲାଗି ଏଥିରେ ସର୍ବାଧିକ ୫୨.୨ ପ୍ରତିଶତ ମହିଳା ଅଂଶଗ୍ରହଣ କରୁଛନ୍ତି। ଏପରିକି ଆଫଗାନିସ୍ତାନ, ସାଉଦି ଆରବ ଏବଂ ଇସ୍ରାଏଲ ସମେତ ୧୦ରୁ ଅଧିକ ମୁସ୍‌ଲିମ୍‌ ରାଷ୍ଟ୍ରର କେବଳ ମହିଳା ଉଦ୍ୟୋଗୀମାନେ ଯୋଗଦେଇ ବିଭିନ୍ନ ଅଧିବେଶନ ଏବଂ କର୍ମଶାଳାରେ ଉଦ୍‌ବୋଧନ ଦେବେ।

ତେଣୁ, ଏସବୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଏମିତି ଏକ ସୁଯୋଗର ହାତଛଡ଼ା ହେବାକୁ ନଦେଇ ଜିଇଏସ୍‌- ୨୦୧୭କୁ ଆମନ୍ତ୍ରଣ କରିଥିଲେ ଇଭାଙ୍କାଙ୍କୁ। କାରଣ, ଇଭାଙ୍କାଙ୍କ ବ୍ୟତୀତ ଅନ୍ୟ କେହି ଏତେ ପରିମାଣରେ ଏହି ସମ୍ମିଳନୀ ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇପାରି ନଥାନ୍ତେ। କାରଣ, ଇଭାଙ୍କା ଜଣେ ଆଗଧାଡ଼ିର ମହିଳା ଯୁବ ଶିଳ୍ପଦ୍ୟୋଗୀ ହେବା ସହ ରାଷ୍ଟ୍ରପତି ଟ୍ରମ୍ପଙ୍କ ଝିଅ। ତେଣୁ, ତାଙ୍କର ଉପସ୍ଥିତି ଆମେରିକୀୟ ନିବେଶକଙ୍କ ସମେତ ବିଶ୍ୱର ଅନ୍ୟ ନିବେଶକମାନଙ୍କ ଉପରେ ଯେପରି ପ୍ରଭାବ ପକାଇବା ସହ ସେମାନଙ୍କୁ ପ୍ରଭାବିତ କରିବ, ସେପରି ଢ଼ଙ୍ଗରେ ଆଉ କେହିହେଲେ କରିବାରେ ସମର୍ଥ ହେବେ ନାହିଁ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତିଙ୍କ ଉପଦେଷ୍ଟା ଭାବେ ଇଭାଙ୍କାଙ୍କର ମଧ୍ୟ ଏହା ହେଉଛି ପ୍ରଥମ ବଡ଼ ଧରଣର ବିଦେଶ ଗସ୍ତ। ତେଣୁ, ଟ୍ରମ୍ପ ତନୟା ଇଭାଙ୍କାଙ୍କୁ ଭାରତ ଯଦି ଭଲ ଅତିଥେୟତା ପ୍ରଦାନ କରିପାରିଲା, ତେବେ ଏହାର ସୁଫଳ ଭାରତ- ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କରେ ସିଧାସଳଖ ପ୍ରତିଫଳିତ ହେବ। ଏବଂ ପରବର୍ତ୍ତୀ ସମୟରେ ଏହା ଭାରତ ପାଇଁ ଲାଭପ୍ରଦ ମଧ୍ୟ ସାବ୍ୟସ୍ତ ହେବ। ଏହି ସବୁକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ ତନୟା ଇଭାଙ୍କାଙ୍କୁ ଜିଇଏସ୍‌- ୨୦୧୭କୁ ଆମନ୍ତ୍ରଣ କରିଛନ୍ତି ବୋଲି କୂଟନୈତିକ ମହଲରେ ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର