୫ ହାଇେଓ୍ଵ ଲୁଟେରା ଗିରଫ, ୩ ନାବାଳକ

୨ ହାର, ୨୨ ମୋବାଇଲ୍‌, ୨ ବାଇକ୍‌ ଜବତ

ଖଣ୍ଡଗିରି: ଯାଁଳାରୁ ଖଣ୍ଡଗିରି ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ରାହାଜାନି ଓ ଛିନ୍‌ତାଇ କରି ଆତଙ୍କ ଖେଳାଇ ଦେଇଥିବା ଏକ କୁଖ୍ୟାତ ହାଇେଓ୍ଵ ଲୁଟେରା ଗ୍ୟାଙ୍ଗକୁ ଯାଁଳା ଫାଣ୍ଡି ପୁଲିସ ଗିରଫ କରିଛି। ଡୁମୁଡୁମା ସୁବାସ ନଗରବସ୍ତିରେ ଆଡ଼ା କରିଥିବା ଏହି ଗ୍ୟାଙ୍ଗ୍‌ରେ ୩ ଜଣ ନାବାଳକ ଥିବା ଜଣାପଡ଼ିଛି। ମଙ୍ଗଳବାର ଯାଁଳା ଫାଣ୍ଡି ପୁଲିସ ୨ ମୁଖ୍ୟ ଲୁଟେରା ଖୋର୍ଧା ଜଙ୍କିଆର ଗୋବିନ୍ଦ ଜେନା ଓ ନୟାଗଡ଼ ଓଡ଼ଗାଁର ସୁନୀଲ ଜେନା ଓରଫ୍‌ ମଣ୍ଟୁକୁ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ୩ ନାବାଳକଙ୍କୁ ଆସନ୍ତାକାଲି ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବ। ପୁଲିସ ସେମାନଙ୍କଠାରୁ ୨ଟି ହାର, ଅନ୍ୟାନ୍ୟ ସୁନାଗହଣା, ୨୨ଟି ଦାମୀ ମୋବାଇଲ୍‌ ଓ ଲୁଟ୍‌ ସମୟରେ ବ୍ୟବହାର କରୁଥିବା ୨ଟି ପଲ୍‌ସର ବାଇକ୍‌ ଜବତ କରିଛି। ଜୁଲାଇ ୩୧ ତାରିଖ ଅପରାହ୍ଣରେ ଗଙ୍ଗପଡ଼ାର ସନାତନ ପଶ୍ଚିମକବାଟ ତାଙ୍କ ସ୍ତ୍ରୀ ସସ୍ମିତାଙ୍କୁ ନେଇ ଶ୍ୱଶୁର ଘର ବରମୁଣ୍ଡା ଯାଉଥିଲେ। ହାଇେଓ୍ଵରେ ଲୁଟ୍‌ପାଟ୍‌ ହେଉଥିବା ଆଶଙ୍କାରେ ସସ୍ମିତା ତାଙ୍କ ହାର ୨ଟିକୁ ନ ପିନ୍ଧି ପର୍ସରେ ରଖିଥିଲେ। ସେଥିରେ ସେ ତାଙ୍କ ମୋବାଇଲ୍‌ ଓ ପୁତୁରାର ଜନ୍ମଦିନ ଉପହାର ମୁଦିଟି ଥିଲା। ସେମାନେ ଯାଁଳା ବଜାର ପାର୍‌ ହୋଇ ରେତଙ୍ଗ କଟ୍‌ ନିକଟରେ ପହଁଞ୍ଚିଥିବା ବେଳେ ପଛରୁ ଏକ ବାଇକ୍‌ରେ ଦୁଇ ଦୁର୍ବୃତ୍ତ ସସ୍ମିତାଙ୍କ ହାତରୁ ପର୍ସଟି ଛଡ଼ାଇ ନେଇଥିଲା। ଏହି ଲୁଟ୍‌ ପୂର୍ବରୁ ତମାଣ୍ଡୋ, ପାତ୍ରପଡ଼ା, ଆଇଗିଣିଆ, ଯାଁଳା ଆଦି ଅଞ୍ଚଳରେ ହାଇେଓ୍ଵ ଉପରେ ବହୁ ଛିନ୍‌ତାଇ ହୋଇଥିଲା। ଲୁଟେରାମାନେ ଅଧିକାଂଶଥର ଦିନ ବେଳା ଓ ସନ୍ଧ୍ୟାରେ ଲୁଟ୍‌ କରି ଫେରାର୍‌ ହୋଇ ଯାଉଥିଲେ। ମୋବାଇଲ୍‌ ଓ ବେକରୁ ସୁନାଚେନ୍‌ ଝାମ୍ପି ନେଉଥିଲେ। ତେଣୁ ଏହି ଗ୍ୟାଙ୍ଗ୍‌କୁ ଠାବ କରିବା ପାଇଁ ଖଣ୍ଡଗିରି ଥାନା, ତମାଣ୍ଡୋ ଥାନା ଓ ଯାଁଳା ଫାଣ୍ଡି ପୁଲିସ ପ୍ରସ୍ତୁତି ଚଳାଇଥିଲା।

କେମିତି ଧରାପଡ଼ିଲେ
ଏହି ଗ୍ୟାଙ୍ଗ୍‌ର ଲୁଟ୍‌ ତରିକାରୁ ପୁଲିସ ଠଉରାଇଥିଲା ଯେ ଏମାନେ ଅଧିକାଂଶ ସମୟରେ ହାଇେଓ୍ଵ ଉପରେ ଆଡ଼ା ଜମାଉଥିଲେ। ତେଣୁ ହାଇେଓ୍ଵ କଡ଼ ଦୋକାନମାନଙ୍କରେ ଏମାନେ ଅପେକ୍ଷା କରୁଥିବା ନେଇ ପୁଲିସ ସନ୍ଦେହ କରି ସେହି ସବୁ ସ୍ଥାନ ଉପରେ କଡ଼ା ନଜର ରଖିଥିଲା। ଗତକାଲି ଅପରାହ୍ଣରେ ଯାଁଳା ୟୁକୋ ବ୍ୟାଙ୍କ ନିକଟ ରାଜପଥ କଡ଼ରେ ଏକ ଦହିବରା ଓ ପାନ ଦୋକାନ ନିକଟରେ ଗୋବିନ୍ଦ ଓ ମଣ୍ଟୁ ବାଇକ୍‌ ଧରି ଠିଆ ହୋଇଥିଲେ। ଶିକାରକୁ ଲକ୍ଷ୍ୟ କରି ସେମାନେ ବେଶ୍‌ କିଛି ସମୟ ପର୍ଯ୍ୟନ୍ତ ସେଠାରେ ରହିଥିଲେ। ଅଧିକ ସମୟ ଠିଆ ହୋଇଥିବାରୁ ଯାଁଳା ଫାଣ୍ଡି ପୁଲିସର ସନ୍ଦେହ ହୋଇଥିଲା। ତେଣୁ ପୁଲିସ ସେମାନଙ୍କୁ ଫାଣ୍ଡିକୁ ନେଇ ପଚରାଉଚରା କରିଥିଲା। ସେମାନେ ସବୁ ସତ ମାନି ଯାଇଥିଲେ। ସେମାନଙ୍କ ସୂଚନାକୁ ଭିତ୍ତି କରି ପୁଲିସ ସୁବାସ ନଗରବସ୍ତିରେ ଚଢ଼ଉ କରି ଅନ୍ୟମାନଙ୍କୁ ଗିରଫ କରିବା ସହ ଚୋରି ମାଲ୍‌ ଜବତ କରିଥିଲା।

ସମ୍ବନ୍ଧିତ ଖବର