ଦକ୍ଷିଣ ଆଫ୍ରିକା: ଜନ୍ମଦିନ ପାର୍ଟିରେ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ୮ ମୃତ, ୩ ଆହତ

ଜୋହନେସ୍‌ବର୍ଗ: ରବିବାର ରାତିରେ ଦକ୍ଷିଣ ଆଫ୍ରିକାର ଇଷ୍ଟର୍ଣ୍ଣ କେପ୍‌ ପ୍ରଦେଶ ଅନ୍ତର୍ଗତ କ୍ବେବେର୍‌ହାରେ ଆୟୋଜିତ ଜନ୍ମଦିନ ପାର୍ଟିରେ ସମବେତ ଅତିଥିମାନଙ୍କୁ ଉପରକୁ ଗୁଳି ଚଳାଇ ୮ଜଣଙ୍କୁ ହତ୍ୟା କରିଥିବା ଦୁଇଜଣ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ପୁଲିସ ବ୍ୟାପକ ଅନୁସନ୍ଧାନ ଆରମ୍ଭ କରିଛି।

କ୍ବାଜାଖେଲେ ଉପନଗରୀରେ ଜଣେ ବ୍ୟକ୍ତି ଜନ୍ମଦିନ ପାଳନ କରୁଥିବା ବେଳେ ଦୁଇଜଣ ବନ୍ଧୁକଧାରୀ ଘରେ ପଶି ଆମନ୍ତ୍ରିତ ଅତିଥିମାନଙ୍କ ଉପରକୁ ଗୁଳି ଚଳାଇବାରୁ ପ୍ରଥମେ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା ଓ ୪ଜଣ ଆହତ ହୋଇଥିଲେ।

ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଘରର ମାଲିକ ଥିବା କଥା ପୁଲିସ କହିଛି।

ପୁଲିସ ମୁଖପାତ୍ର ପ୍ରିସିଲା ନାଇଡୁ କହିଛନ୍ତି, ମୃତାହତମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇନାହିଁ। ‘ପ୍ରୋଭିନ୍‌ସିଆଲ୍‌ ଅର୍ଗାନାଇଜ୍‌ଡ୍‌ କ୍ରାଇମ୍‌ ଇନ୍‌ଭେଷ୍ଟିଗେସନ୍‌’ (ୟୁନିଟ୍‌) ଏହି ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ କିଂବା ଆକ୍ରମଣ ଉଦ୍ଦେଶ୍ୟ ମଧ୍ୟ ଜଣାପଡ଼ିନାହିଁ।

ପୋଲିସ୍‌ ମିନିଷ୍ଟର୍‌ ଭେକି ସିଲେ ଆଜି କ୍ବେବେର୍‌ହାକୁ ଯାଉଥିବା ପ୍ରତିନିଧି ଦଳର ନେତୃତ୍ବ ନେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର