ରାଜଧାନୀରୁ ପୁଣି ବ୍ରାଉନ୍ ସୁଗାର ଜବତ, ବିଟେକ୍ ଛାତ୍ର ସମେତ ୨ ଗିରଫ

ଖଣ୍ତଗିରି: ଶୁକ୍ରବାର ପୁଣି ରାଜଧାନୀରୁ ୨ ବ୍ରାଉନ୍ ସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି କମିସନରେଟ୍ ପୁଲିସ ଓ ଅବକାରୀ ବିଭାଗ ଏହି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୮୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। କ୍ୟୁଏଟି ଓ ଖଣ୍ତଗିରି ଥାନା ପୁଲିସ ଜାଗମରା ଉପରସାହିର ପ୍ରଶାନ୍ତ ସାହୁ ଓରଫ୍ ରିଙ୍କୁ(୩୦)ଠାରୁ ୨୩ ଗ୍ରାମ୍ ମାଲ୍ ଓ ଅବକାରୀ ବିଭାଗ ଜଗତସିଂହପୁର ଅରିଲୋ ଗାଁର ବିଶ୍ବଜିତ୍ ସ୍ବାଇଁ(୨୫)ଠାରୁ ୬୦ ଗ୍ରାମ୍ ମାଲ୍ ଜବତ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାନୁସାରେ ଆଜି ଅବକାରୀ ବିଭାଗର କଟକ ଫ୍ଲାଇଂ ସ୍କ୍ବାଡ୍ ଓ କଟକ ଏଆଇବି ପକ୍ଷରୁ ପଟିଆ ଛକରେ ଚଢ଼ଉ କରାଯାଇଥିଲା। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ବିଶ୍ବଜିତ୍ ସ୍ବାଇଁଙ୍କୁ ଗିରଫ କରାଯାଇଥିଲା। ତା’ ଗ୍ଲାମର ବାଇକ୍(ଓଡି୦୨ଏଲ୍–୮୭୪୩)ରୁ ୬୦ ଗ୍ରାମ୍ ବ୍ରାଉନ୍ ସୁଗାର ମିଳିଥିଲା। ଆଇଆଇସି ଶରତ ଚନ୍ଦ୍ର ଭଂଜଙ୍କ ସୂଚନାନୁସାରେ ବିଶ୍ବଜିତ୍ ଉପରେ ଦୀର୍ଘ ଦିନ ହେବ କଡ଼ା ନଜର ରଖାଯାଇଥିଲା। ଆଜି ଜଗଦୀଶ୍ ସାମଲଙ୍କ ଏଆଇବି ଟିମ୍ ସହଯୋଗରେ ତାକୁ ଗିରଫ କରାଯାଇଛି। ସେହିଭଳି କ୍ୟୁଏଟି ଓ ଖଣ୍ତଗିରି ଥାନା ପୁଲିସ ଆଇଗିଣିଆ ଓଭରବ୍ରିଜ୍ ନିକଟରୁ ଜାଗମରାର ରିଙ୍କୁକୁ ଧରିଥିଲା। ତାଠାରୁ ୧୦ ହଜାର ଟଙ୍କା ସହ ୨୩ ଗ୍ରାମ୍ ମାଲ୍ ମିଳିଥିଲା।

ସମ୍ବନ୍ଧିତ ଖବର