ଯୁବକଙ୍କୁ ମାଡ଼ ମାରି ଅପହରଣ

ଭୁବନେଶ୍ବର: ଡହଡହ ଖରାରେ ରାସ୍ତାରେ ଗଡ଼େଇ ପି‌ଟିଲେ। ଏହାପରେ ଏକ ଧଳା ରଙ୍ଗର ସ୍କର୍ପିଓରେ ଅପହରଣ କରିନେଲେ। ଏଭଳି ଘଟଣା ଘଟିଛି ସହିଦନଗର ଅଞ୍ଚଳରେ। ଫାଣ୍ଡିଠାରୁ ମାତ୍ର କେଇ ମିଟର ଦୂରରେ ଏଭଳି କାଣ୍ଡ ଘଟାଇ ଦୁର୍ବୃତ୍ତମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସୂଚନା ମୁତାବକ, ବୁଧବାର ଅପରାହ୍‌ଣ ପାଖାପାଖି ୪ଟା ବେଳେ ସହିଦନଗର ଅଞ୍ଚଳର ମନୁ ହାସଦାର୍‌ ନାମକ ଜଣେ ବ୍ୟକ୍ତି ଘରେ ଶୋଇଥିଲେ। ଏହି ସମୟରେ ଏକ ଧଳା ସ୍କର୍ପିଓରେ ୫ରୁ ୬ଜଣ ଯୁବକ ତାଙ୍କ ଘର ବେଲ୍‌ ମାରିଥିଲେ। ମନୁ କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କୁ ଘରୁ ଟାଣି ନେଇ ରାସ୍ତାରେ ଗଡ଼େଇ ନିସ୍ତୁକ ମାଡ଼ ମାରିଥିଲେ। ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ। ସେମାନଙ୍କୁ ଅଟକାଇବା ପାଇଁ କେହି ସାହସ କରି ପାରିନଥିଲେ। ଏହାପରେ ତାଙ୍କୁ ଗାଡ଼ିରେ ନେଇ ଫେରାର୍‌ ହୋଇଯାଇଥିଲେ। ଏହାର ଦୃଶ୍ୟ ସେଠାରେ ଥିବା ଏକ ଲେଡିଜ୍‌ ହଷ୍ଟେଲ ଓ ଅନ୍ୟ କେତେକ ଘରର ସିସିଟିଭିରେ କଏଦ୍‌ ହୋଇଛି। ଏହାଛଡ଼ା କେତେକ ଲୋକ ମଧ୍ୟ ଦୃଶ୍ୟକୁ ମୋବାଇଲ୍‌ରେ ରେକର୍ଡିଂ କରିଛନ୍ତି। ହେଲେ ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ମନୁଙ୍କ ଘର ସିସିଟିଭି ଫୁଟେଜ୍‌କୁ ଡିଲିଟ୍‌ କରିଥିବା ସୂଚନା ମିଳିଛି। ତେବେ ଦୁର୍ବୃତ୍ତମାନେ ମନୁଙ୍କ ସମ୍ପର୍କୀୟ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି।

ସମ୍ବନ୍ଧିତ ଖବର