ଲାଞ୍ଚ ନେବାବେଳେ ଭିଜିଲାନ୍‌ସ ଧରିଲା: ବ୍ରହ୍ମଗିରି ଆର୍‌ଆଇ, ପିଅନ ଗିରଫ

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ରେ ବିନା ‘ପିସି’ରେ ଫାଇଲ୍‌ ଆଗକୁ ବଢ଼ୁନି। ତାହା ଆଜି ପ୍ରମାଣିତ ହୋଇଛି। ତହସିଲ୍‌ଦାରଙ୍କ କାର୍ଯ୍ୟାଳୟକୁ ଲାଗି ଥିବା ରାଜସ୍ବ ନୀରିକ୍ଷକ(ଆରଆଇ)ଙ୍କ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ଚଢ଼ଉ କରି ଲାଞ୍ଚ ନେଉଥିବାବେଳେ ଆର୍‌ଆଇ ଏବଂ ଜଣେ ପିଅନକୁ ଗିରଫ କରିଛି। ଗିରଫ ଆର୍‌ଆଇ ହେଲେ ବିଚିତ୍ର ମୋହନ ମିଶ୍ର ଓ ପିଅନ କବିତା ବେହେରା। ୬ ଶହ ଟଙ୍କା ଲାଞ୍ଚ‌ ନେବ ବେଳେ ଦୁହେଁ ଧରାପଡ଼ିଛନ୍ତି।

ଆର୍‌ଆଇ ମିଶ୍ର ଏକ ଦାଖଲଖାରଜ(ମିୟୁଟେସନ୍‌) ପାଇଁ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସାନବନ୍ଧକେରା ଗାଁର ଅଶ୍ବିନୀ ନାୟକଙ୍କ ଠାରୁ ଲାଞ୍ଚ‌ ବାବଦକୁ ୬୦୦ ଟଙ୍କା ଦାବି କରିଥିଲେ। ଶ୍ରୀ ନାୟକ ଗତକାଲି ଭିଜିଲାନ୍ସ କାର୍ଯ୍ୟାଳୟରେ ଏ ନେଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ ହୋଇଥିଲା। ପୂର୍ବ ଯୋଜନା ମୁତାବକ ଶ୍ରୀ ନାୟକଙ୍କୁ ସରକାରୀ ରଙ୍ଗବୋଳା ୬୦୦ ଟଙ୍କା ଦିଆ ଯାଇଥିଲା। ତାଙ୍କ ସାଙ୍ଗରେ ଜଣେ ଅଫିସର୍‌ଙ୍କୁ ପଠା ଯାଇଥିଲା। ଅନ୍ୟ ଅଫିସର କିଛି ଦୂରରେ ଛକି ରହିଥିଲେ। ଆଜି ଦ୍ବିପ୍ରହରରେ ଅଶ୍ବିନୀ ଟଙ୍କା ନେଇ ଆର୍‌ଆଇଙ୍କୁ ଦେବାବେଳେ ସେଠାରେ ଉପସ୍ଥିତ ଥିବା ପିଅନ କବିତା ବେହେରାଙ୍କୁ ଏହି ଟଙ୍କା ରଖିବାକୁ କହିଥିଲେ। ଯେମିତି ପିଅନ କବିତା ଟଙ୍କା ଧରିଛନ୍ତି ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀ କାବୁ କରି ନେଇଥିଲେ। ପରେ, ଦୁଇ ଜଣଙ୍କୁ ଗିରଫ ସହିତ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର